
ମସ୍କୋ: ସଂସ୍ପର୍ଶରେ ଆସିଥିବା ପରିଚିତ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ଶରୀରରେ କୋଭିଡ୍-୧୯ ସଂକ୍ରମଣ ହୋଇଥିବା ଜଣାପଡ଼ିବାରୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଏକାନ୍ତବାସ କରିବା ଲାଗି ଯୋଜନା କରୁଛନ୍ତି ବୋଲି ଆଜି ସମ୍ବାଦ ସରବରାହ ସଂସ୍ଥାନ ‘ସ୍ପୁଟ୍ନିକ୍’ ରିପୋର୍ଟ କରିଛି।
ତାଙ୍କ ପରିଚିତ ବ୍ୟକ୍ତିମାନେ କୋଭିଡ୍-୧୯ଦ୍ବାରା ସଂକ୍ରମିତ ହୋଇ ଅସୁସ୍ଥ ହୋଇପଡ଼ିଥିଲେ ମଧ୍ୟ ସେ ‘ସମ୍ପୂଣ୍ଣ’ ସୁସ୍ଥ ଅଛନ୍ତି ଏବଂ ରୋଗ ସଙ୍କ୍ରମିତ ହୋଇ ନାହାନ୍ତି ବୋଲି କ୍ରେମ୍ଲିନ୍ କହିଛି।
ତେଣୁ, ଏ ସପ୍ତାହରେ ହେବା ପାଇଁ ଯୋଜନା କରାଯାଇଥିବା ଆଞ୍ଚଳିକ ନିରାପତ୍ତା ବୈଠକରେ ଯୋଗ ଦେବା ପାଇଁ ୬୮ ବର୍ଷିୟ ପୁଟିନ୍ ତାଜିକିସ୍ତାନ୍ ଯିବା ପରିବର୍ତ୍ତେ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ସେଥିରେ ଅଂଶ ଗ୍ରହଣ କରିବେ।
ଦେଇଥିବା ବିବୃତିରେ କ୍ରେମ୍ଲିନ୍ ମଧ୍ୟ କହିଛି ଯେ, ସୋମବାର ଦିନ ସିରୀୟ ରାଷ୍ଟ୍ରପତି ବାଶର୍ ଅଲ୍-ଅସଦ୍ଙ୍କୁ କ୍ରେମ୍ଲିନ୍ରେ ଭେଟିବା ପରେ ଡାକ୍ତରମାନଙ୍କ ସହ ପରାମର୍ଶ କରି ‘ଏକାନ୍ତବାସ’ କରିବେ ବୋଲି ପୁଟିନ୍ ନିଷ୍ପତ୍ତି ନେଇଛନ୍ତି। ତାଜିକ୍ସ୍ତାନ ସାଧାରଣତନ୍ତ୍ରର ରାଷ୍ଟ୍ରପତି ଇମୋମାଲି ରହମୋନ୍ଙ୍କ ସହ ରୁଷୀୟ ସଂଘର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି। ଭ୍ଲାଦିମିର୍ ପୁଟିନ୍ କହିଲେ ଯେ, ତାଙ୍କ ପରିଚିତ ବ୍ୟକ୍ତିମାନଙ୍କ ମଧ୍ୟରେ କରୋନାଭାଇରସ୍ ମାମଲା ଚିହ୍ନଟ ହୋଇଥିବାରୁ ନିର୍ଦ୍ଦିଷ୍ଟ କିଛି ଦିନ ପାଇଁ ସେ ଏକାନ୍ତବାସ କରିବା ଉଚିତ।
ଏହା ବ୍ୟତିରେକେ, ପୁଟିନ୍ ମଧ୍ୟ ପାରାଲିମ୍ପିଆନ୍ମାନଙ୍କୁ ଭେଟିଥିଲେ ଏବଂ ସୋମବାର ଦିନ ବେଲାରୁଷ୍ରେ ଅନୁଷ୍ଠିତ ମିଳିତ ସାମରିକ ଅଭ୍ୟାସ ଦେଖିବା ଲାଗି ପଶ୍ଚିମାଞ୍ଚଳ ରୁଷ୍ ଗସ୍ତ କରିଥିଲେ।
ପୁଟିନ୍ ଏପ୍ରିଲ୍ ମାସରେ ସ୍ବଦେଶ ପ୍ରସ୍ତୁତ କରୋନାଭାଇରସ୍ ବିରୋଧୀ ଟିକା ‘ସ୍ପୁଟ୍ନିକ୍ ଭି’ ନେଇଥିଲେ। ପୁଟିନ୍ କୋଭିଡ୍-୧୯ ନେଗେଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଛି କି, ବୋଲି ପଚରାଯିବାରୁ କ୍ରେମ୍ଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ କହିଲେ, ହଁ। ରାଷ୍ଟ୍ରପତି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।
Image Courtesy of Reuters
The post ସଂସ୍ପର୍ଶରେ ଆସିଥିବା ପରିଚିତ ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଅନେକ କୋଭିଡ୍-୧୯ ଚିହ୍ନଟ ହେବାରୁ ଏକାନ୍ତବାସ କରିବେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ first appeared on Sambad.from କରୋନା | Sambad https://ift.tt/3zaCll5
0 Comments