ନୂଆଦିଲ୍ଲୀ: ଦେଶରେ ଆସନ୍ତା ଅକ୍ଟୋବର ବେଳକୁ କୋଭିଡ୍‌ ତୃତୀୟ ଲହର ଆସିବା ସମ୍ଭାବନା ରହିଛି। ତେଣୁ ତୃତୀୟ ଲହରକୁ ଏଡ଼ାଇବା ପାଇଁ ଦେଶର ବିଭିନ୍ନ ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଚାଲିଛି। ଏଭଳି ସମୟରେ ଆର୍‌-ଭାଲ୍ୟୁ ବୃଦ୍ଧି ଚିନ୍ତା ବଢ଼ାଇଲାଣି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥେମେଟିକାଲ ସାଇନ୍‌ସେସ୍‌,ଚେନ୍ନାଇର ଗବେଷକଙ୍କ ସୂଚନା ଅନୁଯାୟୀ ଅଗଷ୍ଟ ୧୪ରୁ ୧୭ ତାରିଖ ମଧ୍ୟରେ ଦେଶରେ ଆର୍‌-ଭାଲ୍ୟୁ ୦.୮୯ ଥିବାବେଳେ ଅଗଷ୍ଟ ଶେଷ ସପ୍ତାହରେ ଏହା ୧.୧୭କୁ ବୃଦ୍ଧି ପାଇଛି। ଆର୍‌-ଭାଲ୍ୟୁ ବୃଦ୍ଧି ଦ୍ବାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ହାରରେ ବ୍ୟାପୁଥିବା ସୂଚନା ମିଳୁଛି। ଜଣେ ସଂକ୍ରମିତ ହାରାହାରି କେତେଜଣଙ୍କୁ ସଂକ୍ରମିତ କରୁଛନ୍ତି ତାହା ଆର୍‌-ଭାଲ୍ୟୁ ଦର୍ଶାଇଥାଏ । ବିଭିନ୍ନ କାରଣ ପାଇଁ ଅଗଷ୍ଟ ଶେଷ ସପ୍ତାହରେ ଆର୍‌-ଭାଲ୍ୟୁ ୧ରୁ ଅଧିକ ରହିଥିଲା।

ମୁଖ୍ୟତଃ କେରଳ, ମହାରାଷ୍ଟ୍ର, ମିଜୋରାମ ଏବଂ ଜମ୍ମୁ କାଶ୍ମୀର ଆଦି ରାଜ୍ୟ ପାଇଁ ଏହି ସ୍ଥିତି ଉପୁଜୁଛି ବୋଲି ଗବେଷଣା ଟିମ୍‌ର ନେତୃତ୍ବ ନେଇଥିବା ଗବେଷକ କହିଛନ୍ତି। ଦେଶରେ ମେ ୧୫ରୁ ଜୁନ ୨୬ ମଧ୍ୟରେ ଆର୍‌-ଭାଲ୍ୟୁ ୦.୭୮ ରହିଥିଲା। ଜୁନ ୨୦ରୁ ଜୁଲାଇ ୭ ମଧ୍ୟରେ ୦.୮୮, ଜୁଲାଇ ୩ରୁ ୨୨ ମଧ୍ୟରେ ୦.୯୫ ଏବଂ ଜୁଲାଇ ୨୪ରୁ ୨୭ ମଧ୍ୟରେ ୦.୯୬ ରହିଥିଲା। ଦ୍ବିତୀୟ ଲହର ପରେ ପ୍ରଥମ ଥର ପାଇଁ ଏହା ଜୁଲାଇ ୨୭ରୁ ୩୧ ମଧ୍ୟରେ ୧ ଟପି ୧.୦୩ ରହିଥିଲା। ତେବେ ତାହା ପରଠାରୁ ଏହା କମିବାରେ ଲାଗିଥିଲା। କିନ୍ତୁ ଅଗଷ୍ଟ ୬ରୁ ୯ ମଧ୍ୟରେ ଏହା ୦.୯୨ ଥିବାବେଳେ ଅଗଷ୍ଟ ୧୨ରୁ ୧୪ ମଧ୍ୟରେ ଏହା ୦.୯୯କୁ ବୃଦ୍ଧି ପାଇଥିଲା। ତାହା ପରେ ଅଗଷ୍ଟ ୧୪ରୁ ୧୭ ମଧ୍ୟରେ ୦.୮୯କୁ ହ୍ରାସ ପାଇଥିଲା। ଅଗଷ୍ଟ ଶେ‌ଷ ସପ୍ତାହରେ ଏହା ୧.୧୭କୁ ବୃଦ୍ଧି ପାଇଛି।

The post ତୃତୀୟ ଲହର ପୂର୍ବରୁ ଚିନ୍ତା ବଢ଼ାଇଲା ଆର୍‌-ଭାଲ୍ୟୁ first appeared on Sambad.

from କରୋନା | Sambad https://ift.tt/3BIgbbE