ନୂଆଦିଲ୍ଲୀ: ଅକ୍ଟୋବର ସୁଦ୍ଧା ‘ଭାରତ ବାୟୋଟେକ୍‌’ର ‘କୋଭାକ୍ସିନ୍‌’କୁ ଚୂଡ଼ାନ୍ତ ଅନୁମ‌ୋଦନ ମିଳିପାରେ ବ‌ୋଲି କୋଭିଡ୍‌-୧୯ ଟିକାର ଜରୁରୀକାଳୀନ ବ୍ୟବହାର ତାଲିକା ନିମନ୍ତେ ମୂଲ୍ୟାୟନ ସଂକ୍ରାନ୍ତ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ‘ଗାଇଡାନ୍‌ସ୍‌ ଡକ୍ୟୁମେଣ୍ଟ୍‌’ରୁ ଆକଳନ କରାଯାଉଛି।

ଜୁଲାଇ ୬ ତାରିଖରୁ ଏହି ଟିକାର ‘ରୋଲିଙ୍ଗ୍‌ ରିଭ୍ୟୁ’ ଆରମ୍ଭ ହୋଇଥିବା କଥା ମଧ୍ୟ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର କାଗଜପତ୍ରରୁ ଜଣାପଡ଼ିଛି। ପୂର୍ବରୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ବରିଷ୍ଠ ଅଧିକାରୀ କ୍ଷେତ୍ରପାଳ ସିଂହ କହିଥିଲେ ଯେ, ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ଜରୁରୀକାଳୀନ ବ୍ୟବହାର ତାଲିକାଭୁକ୍ତ ହେବା ନିମନ୍ତେ ଚାହୁଁଥିବା ‘ଭାରତ ବାୟୋଟେକ୍‌’ର ଟିକାକୁ ବୈଷୟିକ ବିଶେଷଜ୍ଞମାନେ ସମୀକ୍ଷା କରୁଛନ୍ତି। ସମୀକ୍ଷା ପ୍ରକ୍ରିୟା ଶେଷ ହେଲେ ଆମେ ନିଷ୍ପତ୍ତି ବିଷୟରେ ଜାଣି ପାରିବା।

ମଙ୍ଗଳବାର ଦିନ ମଧ୍ୟ ହାଇଦ୍ରାବାଦର ‘ଭାରତ ବାୟୋଟେକ୍‌’ କହିଥିଲା ଯେ, ଯଥାଶୀଘ୍ର ସମ୍ଭବ ‘କୋଭାକ୍ସିନ୍‌’ର ଜରୁରୀକାଳୀନ ବ୍ୟବହାର ସ୍ବୀକୃତି ପାଇବା ଲାଗି କମ୍ପାନି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’କୁ ସହଯୋଗ କରୁଛି।

Image Courtesy of NDTV

ଗଣମାଧ୍ୟମକୁ ‘ଭାରତ ବାୟୋଟେକ୍‌’ କହିଥିଲା, ଆମର ଅନ୍ୟାନ୍ୟ ଟିକାଗୁଡ଼ିକ ଅତୀତରେ ମଞ୍ଜୁରି ପାଇଥିବା ଦୃଷ୍ଟିରୁ ଗୋଟାଏ ଦାୟିତ୍ବାବାନ୍‌ ନିର୍ମାତା ହିସାବରେ ଆମେ ନିୟନ୍ତ୍ରଣକାରୀଙ୍କ ଅନୁମୋଦନ ପ୍ରକ୍ରିୟା ଏବଂ ସମୟସୀମା ସଂକ୍ରାନ୍ତରେ କଳ୍ପନାଜଳ୍ପନା କରିବା କିଂବା ମନ୍ତବ୍ୟ ଦେବାକୁ ଉଚିତ ମଣୁନାହୁଁ। ଯଥାଶୀଘ୍ର ସମ୍ଭବ ‘କୋଭାକ୍ସିନ୍‌’ର ଜରୁରୀକାଳୀନ ବ୍ୟବହାର ସ୍ବୀକୃତି ପାଇବା ଲାଗି ଆମେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ସହ କାର୍ଯ୍ୟ କରୁଛୁ।

ସେହିପରି, ରୁଷ୍‌ ନିର୍ମିତ ବିଶ୍ବର ପ୍ରଥମ ପଞ୍ଜିକୃତ କୋଭିଡ୍‌-ନିରୋଧୀ ଟିକା ‘ସ୍ପୁଟ୍‌ନିକ ଭି’ର ମୂଲ୍ୟାୟନ ସ୍ଥଗିତ ରଖାଯାଇଛି। ବିଦେଶରେ ‘ନୋଭାଭ୍ୟାକ୍ସ୍‌’ ଭାବେ ପରିଚିତ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କୋଭିଡ୍‌-୧୯ ନିରୋଧୀ ଟିକା ‘କୋଭାଭ୍ୟକ୍ସ୍‌’ର ପ୍ରସ୍ତୁତି ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ରେ ଚାଲିଛି। ତାହାକୁ ପିଲାମାନଙ୍କ ଶରୀରରେ ମଧ୍ୟ ପରୀକ୍ଷା କରାଯାଇଛି। ‘କୋଭାଭ୍ୟାକ୍ସ’ ଟିକାକୁ ମଞ୍ଜୁରି ଆଶା କରାଯାଇ ପାରେ ବୋଲି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର କାଗଜପତ୍ରରୁ ଜଣାପଡ଼ିଛି।

The post ଅକ୍ଟୋବର ସୁଦ୍ଧା ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ଚୂଡ଼ାନ୍ତ ଅନୁମୋଦନ ପାଇ ପାରେ ‘ଭାରତ ବାୟୋଟେକ୍‌’ର ‘କୋଭାକ୍ସିନ୍’ first appeared on Sambad.

from କରୋନା | Sambad https://ift.tt/3ilWxuB