
ନୂଆଦିଲ୍ଲୀ: ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେବାର ୩୦ ଦିନ ଭିତରେ ଯଦି ମୃତ୍ୟୁବରଣ କରନ୍ତି ତାହେଲେ ସେ କରୋନାରେ ମୃତ୍ୟୁବରଣ କରିଛନ୍ତି ବୋଲି ବିବେଚନା କରାଯିବ। କରୋନା ମୃତ୍ୟୁ ନେଇ କେନ୍ଦ୍ର ସରକାର ନୂଆ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ପକ୍ଷରୁ ମିଳିତଭାବେ ଏହି ମାର୍ଗଦର୍ଶିକା ଚଳିତମାସ ୩ ତାରିଖରେ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ସୁପ୍ରିମ କୋର୍ଟଙ୍କୁ ପ୍ରଦାନ କରାଯାଇଛି।
ନୂଆ ମାର୍ଗଦର୍ଶିକା ଅନୁଯାୟୀ ଜଣେ ବ୍ୟକ୍ତି ଯଦି କରୋନା ସଂକ୍ରମିତ ହେବାର ୩୦ ଦିନ ଭିତରେ ତ୍ୟୁବରଣ କରନ୍ତି ତାହେଲେ ତାହାକୁ କରୋନାଜିନତ ମୃତ୍ୟୁ ବୋଲି ବିବେଚନା କରାଯିବ। ରୋଗୀଜଣକ ହସ୍ପିଟାଲ ଭିତରେ କିମ୍ବା ବାହାରେ ମୃତ୍ୟୁବରଣ କରିଥାନ୍ତୁ ସେଥିରେ କିଛି ଯାଆସ ନାହିଁ। ତେବେ କୋଭିଡ ଥିଲେ ମଧ୍ୟ ଜଣେ ବ୍ୟକ୍ତି ଯଦି ବିଷକ୍ରିୟା, ଆତ୍ମହତ୍ୟା, ହତ୍ୟା ଏବଂ ଦୁର୍ଘଟଣା ଆଦି କାରଣରୁ ମୃତ୍ୟୁବରଣ କରିଥାନ୍ତି ତାହେଲେ ତାହାକୁ କୋଭିଡ-୧୯ ମୃତ୍ୟୁଭାବେ ବିବେଚନା କରାଯିବ ନାହିଁ ବୋଲି ମାଗଦର୍ଶିକାରେ କୁହାଯାଇଛି। ମେଡିକାଲ ସାର୍ଟିଫିକେଟରେ ମୃତ୍ୟୁର କାରଣ ସଂପର୍କରେ ଦିଆଯାଇଥିବା ପ୍ରମାଣପତ୍ରକୁ ନେଇ ଯଦି କୌଣସି ପରିବାର ସନ୍ତୁଷ୍ଟ ନଥାନ୍ତି କିମ୍ବା ମୃତ୍ୟୁଟି ଉଲ୍ଲିଖିତ ବର୍ଗରେ ଆସୁ ନଥାଏ ତାହେଲେ ତାହାର ସମାଧାନ ପାଇଁ ଜିଲ୍ଲ ସ୍ତରରେ ଏକ କମିଟି ଗଠନ କରାଯିବ। କମିଟି ଉକ୍ତ ମାମଲାର ଯାଞ୍ଚ କରିବ ଏବଂ ସଂଶୋଧନ ପଦକ୍ଷେପର ପ୍ରସ୍ତାବ ଦେବ। ତଥ୍ୟ ଯାଞ୍ଚ ପରେ ସଂଶୋଧିତ ଦସ୍ତାବିଜ୍ ପ୍ରଦାନ କରିବ। ତେବେ କମିଟି ଏହି ଆବେଦନକୁ ୩୦ ଦିନ ଭିତରେ ସମାଧାନ କରିବ।
ଉଲ୍ଲେଖଯୋଗ୍ୟ, କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଉକ୍ତ ପ୍ରମାଣପତ୍ର ପ୍ରଦାନ କରିବା ଲାଗି ସରଳ ମାର୍ଗଦର୍ଶିକା ପ୍ରସ୍ତୁତ ପାଇଁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମ କୋର୍ଟର ବିଚାରପତି ଏମ ଆର ଶାହ ଉକ୍ତ ମାମଲାର ଶୁଣାଣି କରିବା ସମୟରେ କେନ୍ଦ୍ରକୁ ଭର୍ତ୍ସନା କରିଥିଲେ। ସରକାର ପଦକ୍ଷେପ ନେଉ ନେଉ ଦେଶରେ ତୃତୀୟ ଲହର ଶେଷ ହୋଇଯାଇଥିବ ବୋଲି ଟିପ୍ପଣୀ ଦେଇଥିଲେ। ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ଅର୍ଥାତ୍ ସୋମବାର ହେବାର ରହିଛି।
The post କରୋନା ମୃତ୍ୟୁ ନେଇ କେନ୍ଦ୍ରର ନୂଆ ମାର୍ଗଦର୍ଶିକା: ସଂକ୍ରମଣର ମାସକ ଭିତରେ ମଲେ କୋଭିଡ୍ ମୃତ୍ୟୁ first appeared on Sambad.from କରୋନା | Sambad https://ift.tt/2XfkNqv
0 Comments