୨ ମାସରେ ସର୍ବାଧିକ ସଂକ୍ରମଣ: ପୂର୍ବାପେକ୍ଷା ଅଧିକ ସତର୍କ ରହିବାକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ : ଦେଶରେ ଆଜି ୨ ମାସରେ ସର୍ବାଧିକ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୪୭,୦୯୨ ନୂଆ ମାମଲା ଚିହ୍ନଟ ହୋଇଛି। ଶେଷ ଥର ପାଇଁ ୬୩ ଦିନ ପୂ‌ର୍ବେ ଗତ ଜୁଲାଇ ୧ ତାରିଖରେ ଦେଶରେ ସଂକ୍ରମଣ ମାମଲା ୪୮,୭୮୬ ଥିଲା। ବୁଧବାର ଦିନ ଦେଶରେ ସଂକ୍ରମଣ ମାମଲା ୪୧,୯୬୫ ଥିଲା। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ କେରଳରେ ୩୨,୮୦୩ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୪,୪୫୬, ମିଜୋରାମରେ ୧୯୯୨, ତାମିଲନାଡ଼ୁରେ ୧୫୦୯ ଏବଂ ଆନ୍ଧ୍ରପ୍ରଦେଶରେ ୧୧୮୬ ମାମଲା ଚିହ୍ନଟ ହୋଇଛି। ଉପରୋକ୍ତ ୫ ରାଜ୍ୟରୁ ଦେଶର ନୂଆ ମାମଲା ୮୯.୦୭ ପ୍ରତିଶତ ଚିହ୍ନଟ ହୋଇଥିବା ବେଳେ କେବଳ କେରଳରେ ୬୯.୬୬ ପ୍ରତିଶତ ମାମଲା ରହିଛି। ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୩୯,୫୨୯ରେ ପହଞ୍ଚିଛି।

ଆରୋଗ୍ୟ ହାର ୯୭.୪୮ ପ୍ରତିଶତ ଥିବା ବେଳେ ଗତ ୨୪ ଘଣ୍ଟାରେ ୩୫,୧୮୧ ଜଣ ଆରୋଗ୍ୟ ହେବା ସହ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୨୦,୨୮,୮୨୫କୁ ବୃଦ୍ଧି ପାଇଛି। ତେବେ ଦେଶରେ ଦ୍ବିତୀୟ ଲହର ଏଯାଏଁ ଶେଷ ହୋଇନି ବୋଲି ସରକାର କହିଛନ୍ତି। ସଂକ୍ରମଣ ବୃଦ୍ଧି ସହ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସରକାର ପୁଣି ଥରେ ସତର୍କ କରିଛନ୍ତି ଏବଂ ଲୋକମାନଙ୍କୁ ଭିଡ଼ ସ୍ଥାନକୁ ନଯିବାପାଇଁ କହିଛନ୍ତି। ଘରେ ରହି ଉତ୍ସବ ପାଳନ କରିବା ଉଚିତ୍‌ ବୋଲି ସରକାର କହିଛନ୍ତି। ଯଦି ଭିଡ଼ ସ୍ଥାନକୁ ଯିବା ନିହାତି ଜରୁରୀ ତେବେ ଏଥିପାଇଁ ଜଣେ ସମ୍ପୂର୍ଣ୍ଣ ଟିକା ନେଇଥିବା ଉଚିତ। ଦେଶରେ ୩୦୦ ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଛି ବୋଲି ସରକାର କହିଛନ୍ତି। ଅଗଷ୍ଟ ୩୧ ରେ ଶେଷ ହୋଇଥିବା ସପ୍ତାହରେ ଦେଶରେ ୩୯ଟି ଜିଲ୍ଲାରେ ଟେଷ୍ଟ୍‌ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ଥିଲା। ଅନ୍ୟପକ୍ଷେ ୩୮ଟି ଜିଲ୍ଲାରେ‌ ଟେଷ୍ଟ୍‌ ପଜିଟିଭ୍‌ ହାର ୫ରୁ ୧୦ ପ୍ରତିଶତ ରହିଛି। କେରଳ ସ୍ଥିତିକୁ ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏକମାତ୍ର ରାଜ୍ୟ କେରଳରେ ସକ୍ରିୟ ମାମଲା ୧ ଲକ୍ଷରୁ ଅଧିକ ରହିଛି।

The post ୨ ମାସରେ ସର୍ବାଧିକ ସଂକ୍ରମଣ: ପୂର୍ବାପେକ୍ଷା ଅଧିକ ସତର୍କ ରହିବାକୁ କେନ୍ଦ୍ରର ପରାମର୍ଶ first appeared on Sambad.

from କରୋନା | Sambad https://ift.tt/2WPwF2f

Post a Comment

0 Comments