ଭୁବନେଶ୍ବର: ରାଜ୍ୟରେ ଏବେ ଯେତେ ଚିକିତ୍ସାଧୀନ ରୋଗୀ ରହିଛନ୍ତି, ତାହାର ୭୦ ପ୍ରତିଶତ ଆକ୍ରାନ୍ତ କେବଳ ୪ଟି ଜିଲ୍ଲାର। ଏଥିରେ ଖୋର୍ଧାରୁ ସର୍ବାଧିକ ୪୭ ପ୍ରତିଶତ, କଟକ ୧୩, ବାଲେଶ୍ବର ୬ ଓ ଯାଜପୁର ଜିଲ୍ଲାରୁ ୪ ପ୍ରତିଶତ ଚିକିତ୍ସାଧୀନ ରୋଗୀ ଅଛନ୍ତି। ଅନ୍ୟ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମ୍ ବୋଲି ସ୍ବାସ୍ଥ୍ୟ ବିଭାଗର ସୂଚନାରୁ ସ୍ପଷ୍ଟ ହୋଇଛି। ରାଜ୍ୟରେ ବଳକା ଜିଲ୍ଲାରେ ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଏହି ୪ ଜିଲ୍ଲାରେ ଅନ୍ୟ ଜିଲ୍ଲା ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୯୩ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ରହିଛନ୍ତି। କଟକ ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେରୁ ତଳକୁ ଖସି ଆସିଛି। ହେଲେ ଖୋର୍ଧା ଜିଲ୍ଲାରେ ଏହା ପୂର୍ବଭଳି ବଳବତ୍ତର ରହିଛି। ଖୋର୍ଧରୁ ୨୪୫, କଟକ ୬୬, ବାଲେଶ୍ବର ୩୩, ଯାଜପୁର ୩୨, ଜଗତସିଂହପୁର-ମୟୂରଭଞ୍ଜ ୨୨ ଲେଖାଏ, ପୁରୀ ୧୮, କେନ୍ଦ୍ରାପଡ଼ା-ସୁନ୍ଦରଗଡ଼ ୧୫ ଲେଖାଏଁ, କେନ୍ଦୁଝର ୧୪ ଓ ଷ୍ଟେଟ୍‌ ପୁଲରୁ ୫୨ଜଣଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୧୨ହଜାର ୮୦୫କୁ ବୃଦ୍ଧି ପାଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ରାଜ୍ୟରେ ଭେଣ୍ଟିଲେଟର୍‌ରେ କୌଣସି ଶିଶୁ ନାହାନ୍ତି। ଅଧିକାଂଶ ଶିଶୁ ସ୍ବଳ୍ପ ସଂକ୍ରମିତ ହେଉଛନ୍ତି। ତେଣୁ ହସ୍ପିଟାଲରେ ଆଡମିସନ କମ୍ ରହିବା ସହିତ କମ୍ ସଂଖ୍ୟାରେ ଶିଶୁ ଗୁରୁତର ହେଉଛନ୍ତି। ତେଣୁ କୋଭିଡ୍‌ ନିୟମାବଳୀକୁ ଲୋକମାନଙ୍କୁ ମାନିବାକୁ ପଡ଼ିବ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି। ରାଜ୍ୟରେ ଆଉ ୭ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅନୁଗୁଳ, କଟକ, ଖୋର୍ଧାରୁ ୨ ଲେଖାଏଁ ଓ ପୁରୀରେ ଜଣେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୮୦୬୨କୁ ବୃଦ୍ଧି ପାଇଛି। ଆଉ ୮୦୧ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୦୯୯କୁ ଖସି ଆସିଛି।

The post ରାଜ୍ୟରେ ୪ ଜିଲ୍ଲାରୁ ୭୦%ରୁ ଅଧିକ ସଂକ୍ରମଣ first appeared on Sambad.

from କରୋନା | Sambad https://ift.tt/2YpXhaX