ହାଇଦ୍ରାବାଦ: ନିପଟ ମଫସଲର ଅଗମ୍ୟ ଅଞ୍ଚଳକୁ ଡ୍ରୋନ୍ ସାହାଯ୍ୟରେ ଟିକା ଓ ଔଷଧ ଆଦିର ପରିବହନ ପାଇଁ ତେଲେଙ୍ଗାନା ସରକାରଙ୍କ ‘ଆକାଶରୁ ଔଷଧ’ ପ୍ରକଳ୍ପକୁ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉଦ୍‌ଘାଟନ କରିଛନ୍ତି। ତେଲେଙ୍ଗାନାର ୧୬ଟି ଗ୍ରୀନ୍ ଜୋନ୍‌ରେ ଏହି ଯୋଜନା କାର୍ଯ୍ୟକାରୀ ହେବ ଏବଂ ପରେ ଦେଶ ସାରା ଏହାର ସମ୍ପ୍ରସାରଣ କରାଯାଇପାରେ ବୋଲି ସିନ୍ଧିଆ କହିଛନ୍ତି। ଉଦ୍‌ଘାଟନ ଅବସରରେ ସିନ୍ଧିଆ କହିଲେ ଯେ, ପ୍ରଥମେ ତେଲେଙ୍ଗାନାର ୧୬ଟି ଗ୍ରୀନ୍ ଜୋନ୍‌ରେ ‘ଆକାଶରୁ ଔଷଧ’ ଯୋଜନାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ତିନିମାସ ପରେ ଆଇଟି ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ରାଜ୍ୟ ଓ କେନ୍ଦ୍ର ସରକାର ମିଶି ଏହାର ସଫଳତା ବିଷୟରେ ତର୍ଜମା କରିବେ। ତା’ପରେ ସାରା ଦେଶରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ।

ଆଜି କେବଳ ତେଲେଙ୍ଗାନା ପାଇଁ ନୁହେଁ, ବରଂ ସାରା ଦେଶ ପାଇଁ ଏକ ବୈପ୍ଳବିକ ଦିନ ବୋଲି ମନ୍ତ୍ରୀ କହିଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଲେ ଯେ, ଡ୍ରୋନ୍ ଉଡାଣ ନେଇ ନୀତିର ସରଳୀକରଣ କରାଯାଇଛି। ସେହି ଅନୁସାରେ ଗ୍ରୀନ୍ ଜୋନ୍‌ରେ ଡ୍ରୋନ୍ ଉଡାଣ ପାଇଁ କୌଣସି ଅନୁମତି ଆବଶ୍ୟକତା ନାହିଁ। ୟେଲୋ ଜୋନ୍‌ରେ ବି କୌଣସି ଅନୁମତି ଲୋଡ଼ା ନାହିଁ। କିନ୍ତୁ ରେଡ୍‌ ଜୋନ୍‌ଗୁଡ଼ିକ ହେଉଛି ନୋ-ଫ୍ଲାଇ ଜୋନ୍। ସେଠାରେ ବିନା ଅନୁମତିରେ ଡ୍ରୋନ୍ ଉଡ଼ାଯାଇପାରିବ ନାହିଁ। ସୂଚନାଯୋଗ୍ୟ ଯେ, ‘ଆକାଶରୁ ଔଷଧ’ ହେଉଛି ବିଶ୍ବ ଅର୍ଥନୈତିକ ସାମ୍ମୁଖ୍ୟ, ନୀତି ଆୟୋଗ ଏବଂ ଆପୋଲୋ ହସ୍ପିଟାଲର ହେଲ୍‌ଥନେଟ୍‌ ଗ୍ଲୋବାଲର ସହଭାଗିତାରେ ତେଲେଙ୍ଗାନା ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ।

The post ତେଲେଙ୍ଗାନାରେ ଟିକା, ଔଷଧ ଯୋଗାଣରେ ଡ୍ରୋନ୍‌ ନିୟୋଜିତ ହେବ first appeared on Sambad.

from କରୋନା | Sambad https://ift.tt/3lf5Ddo