ୱାଶିଂଟନ: ସେପ୍ଟେମ୍ବର ୨୧ରୁ ୨୭ ପର୍ଯ୍ୟନ୍ତ ଚାଲିଥିବା ଜାତିସଂଘ ସାଧାରଣ ପରିଷଦର ୭୬ତମ ଅଧିବେଶନରେ ଉଦ୍‌ବୋଧନ ଦେବା ଅବସରରେ କୋଭିଡ୍‌-୧୯ ଟିକା ଯୋଗାଣରେ ସହଯୋଗ ପାଇଁ ବିଶ୍ବନେତାମାନେ ଭାରତକୁ ଧନ୍ୟବାଦ ଅର୍ପଣ କରିଥିଲେ। ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକା ପରସାଦ ସନ୍ତୋଖୀ ତାଙ୍କ ଉଦ୍‌ବୋଧନରେ କହିଲେ ଯେ, ଭାରତ ସମେତ ଯେଉଁସବୁ ଦେଶ ମହାମାରୀର ପ୍ରାରମ୍ଭ ସମୟରେ ଟିକା ଓ ଚିକିତ୍ସା ସରଞ୍ଜାମ ଆଦି ଯୋଗାଣ କରିବା ସହିତ ତାଙ୍କ ଦେଶକୁ ସହଯୋଗର ହାତ ବଢ଼ାଇଛନ୍ତି ସେମାନଙ୍କ ପ୍ରତି ସେ କୃତଜ୍ଞ। ନାଉରୁ ରାଷ୍ଟ୍ରପତି ଲାୟନେଲ ରାୱେନ ଐଙ୍ଗିମିଆ କହିଲେ ଯେ, ଅନ୍ୟ ଦେଶର ସହଯୋଗ ବିନା ତାଙ୍କ ଦେଶ ମହାମାରୀ ସହ ଲଢ଼ିପାରି ନ ଥାନ୍ତା।

ଏଥିପାଇଁ ଭାରତ, ଜାପାନ, ଅଷ୍ଟ୍ରେଲିଆ, ଚୀନ୍ ପ୍ରଭୃତି ଦେଶକୁ ସେ ଧନ୍ୟବାଦ ଅର୍ପଣ କରିଥିଲେ। ନାଇଜେରିଆର ରାଷ୍ଟ୍ରପତି ମୁହମ୍ମଦୁ ବୁହାରୀ କହିଲେ ଯେ, ବିଶ୍ବର ସହଯୋଗୀ ରାଷ୍ଟ୍ରମାନଙ୍କ ସମୟୋଚିତ ସାହାଯ୍ୟ ପାଇଁ ଆବୁଜା ସଦା କୃତଜ୍ଞ ରହିବ। ମାହାମାରୀ ସଂକଟରୁ ମୁକୁଳିବା ପାଇଁ ଟିକା ହେଉଛି ଏକମାତ୍ର ବାଟ। କୋଭାକ୍ସ ପଦକ୍ଷେପକୁ ସେ ସମର୍ଥନ ଜଣାଇଥିଲେ, ଯାହାଦ୍ବାରା ତାଙ୍କ ଦେଶ ଉପକୃତ ହୋଇଥିଲା। ସେ ମଧ୍ୟ ଭାରତ, ଆମେରିକା, ତୁର୍କୀ, ୟୁରୋପୀୟ ଦେଶ ଓ ଅନ୍ୟମାନଙ୍କୁ ଟିକା ଯେଗାଣରେ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସେଣ୍ଟ ଲୁସିଆର ପ୍ରଧାନମନ୍ତ୍ରୀ ଫିଲିପ ପ୍ୟାରେ କହିଲେ ଯେ, କୋଭାକ୍ସ ଫାସିଲିଟି ସମେତ ଅନ୍ତର୍ଜାତୀୟ ଅନୁଷ୍ଠାନ ତଥା ଭାରତ, ଆମେରିକା ପ୍ରଭୃତି ଦେଶ ପ୍ରତି ସେମାନେ କୃତଜ୍ଞ ରହିବେ। ତାଙ୍କ ପରି ଦ୍ବୀପ ରାଷ୍ଟ୍ର ଯେପରି ଟିକା ସୁରକ୍ଷାରୁ ବଞ୍ଚିତ ନ ହୁଏ ସେଥି ପ୍ରତି ଏହି ମିତ୍ର ରାଷ୍ଟ୍ରମାନେ ଗୁରୁତ୍ବ ଦେଇଥିଲେ। ସେହିପରି ଅନ୍ୟ ଅନେକ ରାଷ୍ଟ୍ରମୁଖ୍ୟ ଭାରତକୁ ଧନ୍ୟବାଦ ଜଣାଇଥିଲେ।

୨୦୨୧ ଚତୁର୍ଥ ତ୍ରିମାସୀରେ ଭାରତ କୋଭାକ୍ସ ଗ୍ଲୋବାଲ ପୁଲ ପ୍ରତିବଦ୍ଧତାକୁ ପାଳନ କରିବା ପାଇଁ ଏହାର ବଳକା କୋଭିଡ୍‌-୧୯ ଟିକାକୁ ଭ୍ୟାକ୍ସିନ୍ ମୈତ୍ରୀ ଯୋଜନାରେ ପୁଣି ରପ୍ତାନି କରିବାକୁ ନିଷ୍ପତ୍ତି ନେଇଛି। ଭାରତ କୋଭିଡ୍‌-୧୯ ଦ୍ବିତୀୟ ଲହରରେ ଟିକା ଅଭାବର ସମ୍ମୁଖୀନ ହୋଇଥିଲା ଏବଂ ସେତେବେଳେ ଟିକା ରପ୍ତାନି ସ୍ଥଗିତ ରଖିଥିଲା। ଭାରତ ଗ୍ରାଣ୍ଟ, ବାଣିଜ୍ୟିକ ସିପ୍‌ମେଣ୍ଟ ଓ କାଭାକ୍ସ ଫାସିଲିଟି ମାଧ୍ୟମରେ ୧୦୦ରୁ ଅଧିକ ଦେଶକୁ ୬୬ ନିୟୁତରୁ ଅଧିକ ଟିକା ଡୋଜ୍ ରପ୍ତାନି କରିଥିଲା।

The post କୋଭିଡ୍‌ ଟିକା ଯୋଗାଣ ଲାଗି ଭାରତକୁ ବିଶ୍ବନେତାଙ୍କ ଧନ୍ୟବାଦ ଅର୍ପଣ first appeared on Sambad.

from କରୋନା | Sambad https://ift.tt/3ojuRKF