ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ସରକାରୀ ବ୍ୟାଙ୍କ୍‌ମାନଙ୍କରୁ ଋଣ ନେଇ  ଓଡିଶାର ୫୫୨୨ ଜଣ ବ୍ୟକ୍ତି କୋଭିଡ୍‌-୧୯ ଚିକିତ୍ସା କରାଇଛନ୍ତି। ସରକାରୀ ବ୍ୟାଙ୍କ୍‌ମାନଙ୍କରୁ ଋଣ ନେଇ କୋଭିଡ୍‌-୧୯ ଚିକିତ୍ସା କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ଷଷ୍ଠ ସ୍ଥାନରେ ରହିଛି। ଏ କ୍ଷେତ୍ରରେ ତାମିଲନାଡୁ ଶୀର୍ଷରେ ରହିଥିବା ବେଳେ କର୍ଣ୍ଣାଟକ ଦ୍ବିତୀୟ ଓ ଉତ୍ତର ପ୍ରଦେଶ ତୃତୀୟ ସ୍ଥାନରେ ରହିଛି।

କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଦେଶରେ ବିଭିନ୍ନ ସରକାରୀ ବ୍ୟାଙ୍କ୍‌ମାନଙ୍କରୁ ଋଣ ନେଇ କୋଭିଡ୍‌-୧୯ ଚିକିତ୍ସା କରିବାର ସଂଖ୍ୟା ହେଉଛି ୧.୩୩ ଲକ୍ଷ। ଅର୍ଥାତ୍‌ ଦେଶର ସରକାରୀ ବ୍ୟାଙ୍କ୍‌ମାନଙ୍କରୁ ୧.୩୩ ଲକ୍ଷ ବ୍ୟକ୍ତି ଋଣ ନେଇ କୋଭିଡ୍‌-୧୯ ଚିକିତ୍ସା କରିଛନ୍ତି। ଘରୋଇ ବ୍ୟାଙ୍କ୍‌ ଏବଂ ଅନ୍ୟାନ୍ୟ ଆର୍ଥିକ ସଂସ୍ଥାମାନଙ୍କରୁ କୋଭିଡ୍‌-୧୯ ଚିକିତ୍ସା ପାଇଁ ଋଣ କରିବାର ପରିମାଣ  ବହୁତ ଅଧିକ ରହିଥିବ ବୋଲି ଅନୁମାନ କରାଯାଉଛି। ଏଯାବତ୍ ଏ ସଂକ୍ରାନ୍ତରେ କୌଣସି ତଥ୍ୟ ଉପଲବ୍ଧ ହୋଇପାରିନାହିଁ।

ତାମିଲନାଡୁରେ ୩୩,୯୧୭ ଜଣ ଋଣ ନେଇଥିବା ବେଳେ କର୍ଣ୍ଣାଟକରେ ୨୦,୩୯୧ ଓ ଉତ୍ତର ପ୍ରଦେଶରେ ୧୨,୫୬୯ ଜଣ କୋଭିଡ୍‌-୧୯ ଚିକିତ୍ସା ପାଇଁ ସରକାରୀ ବ୍ୟାଙ୍କ୍‌ମାନଙ୍କରୁ ଋଣ ନେଇଛନ୍ତି। ସେହିଭଳି, ପଶ୍ଚିମବଙ୍ଗରେ ୮,୦୦୦ ଜଣ ଏବଂ ମହାରାଷ୍ଟ୍ରରେ ୭,୯୬୭ ଜଣ ସରକାରୀ ବ୍ୟାଙ୍କ୍‌ରୁ ଋଣ ନେଇଛନ୍ତି। କେତେ ସଂଖ୍ୟକ ଲୋକ କୋଭିଡ୍‌-୧୯ ଚିକିତ୍ସା ପାଇଁ ସରକାରୀ ବ୍ୟାଙ୍କ୍‌ମାନଙ୍କରୁ ଋଣ ନେବା ପାଇଁ ଆବେଦନ କରିଥିଲୋ ତାହା କେନ୍ଦ୍ର ସରକାରଙ୍କର ରିପୋର୍ଟରେ ସ୍ପଷ୍ଟ କରାଯାଇନାହିଁ।

Image Courtesy of The Indian Express

ଅପରପକ୍ଷେ, ଅଧିକାଂଶ ରାଜ୍ୟରେ ଘରୋଇ ଡାକ୍ତରଖାନା ସବୁ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସାରେ ଅଧିକ ଖର୍ଚ୍ଚ ଆଦାୟ କରିଥିବାର ମଧ୍ୟ ଅଭିଯୋଗ ଆସିଛି। ଗୁଜରାଟ ଭଳି କିଛି ରାଜ୍ୟରେ ଘରୋଇ ଡାକ୍ତରଖାନା ସବୁରେ ମନଇଛା ଅର୍ଥ ଦାବି କରାଯାଉଥିବା ଅଭିଯୋଗର ତଦନ୍ତ କମିଟି ମଧ୍ୟ ଗଠନ କରାଯାଇଛି।

ଯେତେବେଳେ କୋଭିଡ୍‌-୧୯ ଚିକିତ୍ସା ସବୁଠାରୁ ଆହ୍ବାନପୂର୍ଣ୍ଣ ଥିଲା, ସେତେବେଳେ କେନ୍ଦ୍ର ସରକାର ଏହି ମହଙ୍ଗା ଚିକିତ୍ସାକୁ ଦୃଷ୍ଟିରେ ରଖି ଆକାଉଣ୍ଟଧାରୀଙ୍କୁ ଗ୍ୟାରେଣ୍ଟିବିହୀନ ୫ ଲକ୍ଷ ଟଙ୍କା ଋଣ ଦେବା ପାଇଁ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କମାନଙ୍କୁ କହିଥିଲୋ ଋଣ ୩ ବର୍ଷରୁ ୫ ବର୍ଷର ଅବଧି ପାଇଁ ଧାର୍ଯ୍ୟ କରାଯାଇଥିଲା। ସେତେବେଳେ ସରକାର ଏହା ମଧ୍ୟ ସ୍ପଷ୍ଟ କରିଥିଲେ ବ୍ୟାଙ୍କ ସବୁ ଗ୍ରାହକଙ୍କୁ ସେମାନଙ୍କ ପରିସ୍ଥିତି ମୁତାବକ ଋଣର ପ୍ରଥମ କିସ୍ତି ତିନିରୁ ଛଅ ମାସ ମଧ୍ୟରୁ ପୈଠ କରିବା ପାଇଁ ସମୟ ଦେଇପାରିବେ।

ବ୍ୟାଙ୍କରୁ ଋଣ ନେଇ କୋଭିଡ୍-୧୯ ଚିକିତ୍ସା କରାଇ ଜୀବନ ତ ବଞ୍ଚିଗଲା କିନ୍ତୁ, ଋଣ ପରିଶୋଧ ଯନ୍ତ୍ରଣା ପ୍ରତିଦିନ ଚିନ୍ତା ବଢାଇ ଚାଲିଛି। ରୋଜଗାର ହରାଇବା, କାମଧନ୍ଧା ନ ମିଳିବା ସମୟରେ ଋଣ ଶୁଝିବା ସମସ୍ୟା ଏବେ ବି ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କୁ ବିଚଳିତ କରି ପକାଉଛି। ଜୀବନଯାତ୍ରା ସ୍ବାଭବିକ ଅବସ୍ଥାକୁ ଆସିବା ଲାଗି ହୁଏ ତ ସମୟସା‌ପେକ୍ଷ ହୋଇ ପାରେ।

ସମ୍ପ୍ରତି କାମଧନ୍ଧା ହରାଇଥିବା ଯୋଗୁଁ  ଅନେକ ଲୋକଙ୍କ ପାଖରେ ଋଣ ଟଙ୍କା ଶୁଝିବା କଷ୍ଟକର ବ୍ୟାପାର ହୋଇପଡିଛି।

The post କୋଭିଡ୍‌-୧୯ ଚିକିତ୍ସା ପାଇଁ ସରକାରୀ ବ୍ୟାଙ୍କ୍‌ରୁ ଋଣ ନେବା କ୍ଷେତ୍ରରେ ଦେଶର ଷଷ୍ଠ ସ୍ଥାନରେ ଓଡ଼ିଶା first appeared on Sambad.

from କରୋନା | Sambad https://ift.tt/3kml7vN