୫ ଦିନ ହେଲା ୪୦ ହଜାର ଉପରେ ସଂକ୍ରମଣ, ଦୈନିକ ସଂକ୍ରମଣ ହାର ୨.୩୪%

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଗତ ୫ ଦିନ ହେଲା ଲଗାତାର ୪୦ ହଜାର ଉପରେ ରହୁଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧୮୩୧ ଜଣ‌ କରୋନାରେ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେରଳରେ ୨୦୬୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ରମାଗତ ଭାବେ ପଞ୍ଚମ ଦିନ ପାଇଁ ଦେଶରେ ସକ୍ରିୟ ମାମଲା ମଧ୍ୟ ବଢ଼ିଛି। ଶନିବାର ଦିନ ଦେଶରେ ୪ ଲକ୍ଷ ୧୦ ହଜାର ୯୫୨ ଜଣ ସକ୍ରିୟ କରୋନା ରୋଗୀ ଥିଲେ, ଯାହାକି ଦେଶର ମୋଟ ସଂକ୍ରମଣ ସଂଖ୍ୟା ୧.୩୦ ପ୍ରତିଶତ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୬୫ ହଜାର କେରଳରେ। ଦେଶରେ ‌ଏବେ ମୋଟ କରୋନା ସଂକ୍ରମଣ ମାମଲା ୩ କୋଟି ୧୬ ଲକ୍ଷ ୫୫ ହଜାର ୮୨୪ରେ ପହଞ୍ଚି ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୪ ହଜାର ୩୫୧ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୫୪୧ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ୨୩୧ ଜଣ ଏବଂ କେରଳରେ ୮୦ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। ଦେଶରେ ଦୈନିକ ସଂକ୍ରମଣ ହାର ୨.୩୪ ପ୍ରତିଶତ ରହିଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୨.୪୨ ପ୍ରତିଶତ ରହିଛି।

ଅନ୍ୟପକ୍ଷରେ ଦେଶରେ ଆଜି ସୁଦ୍ଧା କରୋନା ଟିକାକରଣ ୪୭ କୋଟି ୨ ଲକ୍ଷ ୯୮ ହଜାର ୫୯୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୬୦ ଲକ୍ଷ ୧୫ ହଜାର ୮୪୨ ଜଣଙ୍କୁ ଟିକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଘରୋଇ ଡାକ୍ତରଖାନାଗୁଡ଼ିକ ନିକଟରେ ୩ କୋଟିରୁ ଅଧିକ ଟିକା ଡୋଜ୍‌ ମହଜୁଦ ରହିଛି। ଆଜି ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ସୂତ୍ରରୁ ୪୯ କୋଟି, ୪୯ ଲକ୍ଷ ୮୯ ହଜାର ୫୫୦ ଟିକା ଡୋଜ୍ ‌େଯୋଗାଇ ଦିଆଯାଇଛି।

ତୃତୀୟ ଲହର ନିଶ୍ଚିତ: ସିଏସଆଇଆର ମୁଖ୍ୟ‌
ହାଇଦ୍ରାବାଦ: ଦେଶରେ କେରାନାର ପରବର୍ତ୍ତୀ ତଥା ତୃତୀୟ ଲହର ନିଶ୍ଚିତ ଆସିବ। ଏହା କହିଛନ୍ତି ଭାରତୀୟ ‌ଔଦ୍ୟୋଗିକ ତଥା ଅନୁସନ୍ଧାନ ପରିଷଦ (ସିଏସଆଇଆର) ମହାନିର୍ଦ୍ଦେଶକ ଡ ଶେଖର ମଣ୍ଡେ। ତେବେ ଏହା କିପରି ଆସିବ ଏବଂ କେତେବେଳେ ଆସିବ ସେ ସଂପର୍କରେ ପୂର୍ବାନୁମାନ କରିବାକୁ ଡ ମଣ୍ଡେ ମନା କରିଦେଇଛନ୍ତି। ଶନିବାର ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ତୃତୀୟ ଲହରର ପ୍ରକୋପକୁ କମ୍ କରିବାରେ ଟିକାକରଣ ଏବଂ ମାସ୍କ ପିନ୍ଧିବା ସହାୟକ ହେବ। କେରଳରେ ସଂପ୍ରତି କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ବୃଦ୍ଧିର ବିଶ୍ଳେଷଣ କରାଯାଉଛି। ତେବେ ଡେଲ୍‌ଟା ପ୍ଲସ ଭାରିଆଣ୍ଟ୍ ସେତେଟା ଚିନ୍ତାଜନକ ନୁହେଁ ବୋଲିସେ କହିଛନ୍ତି।

ବ୍ରିଟେନ, ୟୁରୋପ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ତୃତୀୟ ଲହରକୁ ଦେଖି‌ ସାରିଲେଣି। ତେଣୁ ପରବର୍ତ୍ତୀ ଲହରକୁ ନେଇ ଆମକୁ ସତର୍କ ରହିବାକୁ ହେବ। ତୃତୀୟ ଲହର କରୋନା ଭୂତାଣୁର ନୂଆ ଭାରିଆଣ୍ଟ ପାଇଁ କିମ୍ବା କରୋନା ନିୟମାବଳି ପାଳନ କରିବାରେ ଲୋକଙ୍କ କୋହଳ ମନୋଭାବ ଯୋଗୁ ହୋଇପାରେ। ତେଣୁ କରୋନାକୁ ଦୂରରେ ରଖିବା ପାଇଁ ଉପଯୁକ୍ତ ନିୟମ ପାଳନ କରିବା ଅତି ଜରୁରୀ ବୋଲି ଡ. ମଣ୍ଡେ ପରାମର୍ଶ ଦେଇଛନ୍ତି। ଟିକାକରଣ ଫଳପ୍ରଦ ହେଉଥିବାର ଯଥେଷ୍ଟ ବୈଜ୍ଞାନିକ ପ୍ରମାଣ ରହିଥିବା ସେ କହିଛନ୍ତି।

ଆର୍‌-ଭାଲ୍ୟୁ ବୃଦ୍ଧି ଚିନ୍ତାଜନକ: ଗୁଲେରିଆ
ନୂଆଦିଲ୍ଲୀ: ଭାରତରେ କରୋନାର ଆର୍‌-ଭାଲ୍ୟୁ ବୃଦ୍ଧି ପାଉଥିବାରୁ ଏହା ଚିନ୍ତାଜନକ ବୋଲି କହିଛନ୍ତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ-ନୂଆଦିଲ୍ଲୀର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। ଆର୍‌-ଭାଲ୍ୟୁକୁ ହ୍ରାସ କରିବା ପାଇଁ ଅବରୋଧ ରଣନୀତିକୁ ଭଲଭାବେ କାର୍ଯ୍ୟକାରୀ କରିବାକୁ ହେବ। ବିଶେଷକରି ଦେଶର ଯେଉଁସବୁ ଅଞ୍ଚଳରେ ‌ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ସେଠାରେ ଅବରୋଧ ରଣନୀତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଦେଶରେ ସମ୍ଭାବ୍ୟ ତୃତୀୟ ଲହର ନେଇ ଚର୍ଚ୍ଚା ଚାଲିଥିବାବେଳେ ଗୁଲେରିଆ ଏଭଳି ମନ୍ତବ୍ୟ ଦେଇଛନ୍ତି। ଆର୍‌ ଭାଲ୍ୟୁ ୦.୯୬ରୁ ବଢ଼ି ବଢ଼ି ୧ ଆଡ଼କୁ ଗଲାଣି। ତେଣୁ କରୋନା ରୋଗୀଙ୍କଠାରୁ ସଂକ୍ରମଣ ବ୍ୟାପିବା ଆଶଙ୍କା ବଢ଼ିଛି। ଯେଉଁସବୁ ଅଞ୍ଚଳରେ ସଂକ୍ରମଣ ବଢ଼ିଛି ସେଠାରେ ଉକ୍ତ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଟେଷ୍ଟ୍‌-ଟ୍ରାକ୍‌-ଟ୍ରିଟ୍‌ ରଣନୀତି ଆପଣାଇବା ଆବଶ୍ୟକ।

ଚଳିତ ସପ୍ତାହରେ ଆମେରିକାର ସିଡିସି ପକ୍ଷରୁ କୁହାଯାଇଛି ଯେ କରୋନାର ଅନ୍ୟ ଭୂତାଣୁ ଭାରିଆଣ୍ଟ୍ ତୁଳନାରେ ଡେଲ୍‌ଟା ଅଧିକ ବିପଜ୍ଜନକ। ଏହା ହାଡ଼ଫୁଟି ଭଳି ବ୍ୟାପୁଛି ବୋଲି ଏହି ସଂସ୍ଥା କହିଥିଲା। ଏହା ଉପରେ ମତ ରଖି ଗୁଲେରିଆ କହିଛନ୍ତି, ମିଳିମିଳା ଏବଂ ହାଡ଼ଫୁଟିରେ ଆର୍‌ ଫ୍ୟାକ୍ଟର ୮ କିମ୍ବା ତାହାଠାରୁ ଅଧିକ। ଅର୍ଥାତ୍ ଏହି ରୋଗରେ ଆକ୍ରାନ୍ତ ଜଣେ ବ୍ୟକ୍ତି ଅନ୍ୟ ୮ଜଣକୁ ସଂକ୍ରମିତ କରିବା ଆଶଙ୍କା ରହିଛି। ତେଣୁ କରୋନା ଭୂତାଣୁ ମଧ୍ୟ ଅଧିକ ସଂକ୍ରାମକ ବୋଲି ଏଥିରୁ ଜଣାଯାଉଛି। ଦ୍ବିତୀୟ ଲହରରେ ଡେଲଟା ଭାରିଆଣ୍ଟ୍ ଦ୍ବାରା ଗୋଟିଏ ଗୋଟିଏ ପରିବାର ପୂରା ପୀଡ଼ିତ ହୋଇଥିଲେ। ହାଡ଼ଫୁଟି କ୍ଷେତ୍ରରେ ମଧ୍ୟ ‌ଏପରି ଦେଖିବାକୁ ମିଳିଥାଏ ବୋଲି ସେ କହିଛନ୍ତି।

 

The post ୫ ଦିନ ହେଲା ୪୦ ହଜାର ଉପରେ ସଂକ୍ରମଣ, ଦୈନିକ ସଂକ୍ରମଣ ହାର ୨.୩୪% first appeared on Sambad.

from କରୋନା | Sambad https://ift.tt/3fjY6rz

Post a Comment

0 Comments