ନୂଆଦିଲ୍ଲୀ : କେରଳରେ କରୋନା ସଂକ୍ରମଣ ଅଣାୟତ୍ତ ହେଲାଣି। ଗତ ୫ ଦିନ ଭିତରେ ରାଜ୍ୟରୁ ପ୍ରାୟ ଦେଢ଼ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ରମାଗତ ଚତୁର୍ଥ ଦିନ ପାଇଁ ରାଜ୍ୟର ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୩୦ ହଜାରରୁ ଅଧିକ ରହିଛି। ରାଜ୍ୟର ବଡ଼ ପର୍ବ ଓନମ୍‌ ପରେ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। କେବଳ ୫ ଦିନରେ ୧ ଲକ୍ଷ ୪୯ ହଜାର ୮୧୪ ଜଣ ନୂଆ କରୋନା ରୋଗୀ ଠାବ ହୋଇନାହାନ୍ତି, ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ଏହି ସମୟରେ ପାଖାପାଖି ୫୦ ହଜାର ବୃଦ୍ଧି ଘଟିଛି। ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏକ ସମ୍ବାଦିକ ସମ୍ମିଳନୀ କରି ସୋମବାରଠାରୁ ରାଜ୍ୟରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି। ଏଥିସହିତ ସ୍ବାୟତ୍ତ ଶାସନ ଅଞ୍ଚଳ, ଯେଉଁଠି ଲୋକସଂଖ୍ୟା ତୁଳନାରେ ସାପ୍ତାହିକ ସଂକ୍ରମଣ ହାର ୭ ପ୍ରତିଶତରୁ ଅଧିକ ରହିଛି, ସେଠାରେ ଟ୍ରିପଲ୍‌ ଲକଡାଉନ୍‌ ଲାଗୁହେବ।

କେରଳ ଯୋଗୁ ଦେଶରେ କରୋନା ସଂକ୍ରମଣ ପୁଣି ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି। ଶୁକ୍ରବାର ଦେଶରେ ୪୬୭୮୩ ଜଣ ସଂକ୍ରମିତ ହୋଇଥିବାବେଳେ ଶନିବାର ୪୫୦୫୬ ଜଣ ସଂକ୍ରମିତ ହୋଇଛନ୍ତି। କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୨୬୫ ଜଣ ନୂଆ ସଂକ୍ରମିତ ଠାବ ହୋଇଛନ୍ତି। ଦେଶର ମୋଟ ସଂକ୍ରମଣକୁ ଦେଖିଲେ କେରଳରେ ପ୍ରାୟ ୭୦ ପ୍ରତିଶତ (୬୯.୪) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଆଶ୍ବସ୍ତିର ବିଷୟ ହେଲା ରାଜ୍ୟରେ ଟେଷ୍ଟ ପଜିଟିଭିଟି ରେଟ୍‌ ପୂର୍ବଦିନର ୧୯.୨୨ ପ୍ରତିଶତ ତୁଳନାରେ ୧୮.୬୭ ପ୍ରତିଶତକୁ ହ୍ରାସ ପାଇଛି। ଦେଶର ମୋଟ ସକ୍ରିୟ କରୋନା ରୋଗୀଙ୍କ ମଧ୍ୟରେ ୫୫ ପ୍ରତିଶତରୁ ଅଧିକ ରୋଗୀ କେରଳରେ ରହିଛନ୍ତି।

The post କେରଳରେ କରୋନା ଅଣାୟତ୍ତ, ୫ ଦିନରେ ଦେଢ଼ ଲକ୍ଷ ମାମଲା first appeared on Sambad.

from କରୋନା | Sambad https://ift.tt/3gHoFrg