
ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧ ହଜାର ଆଖପାଖରେ ସ୍ଥିର ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୭୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେବଳ କଟକ ଓ ଖୋର୍ଧା ଜିଲ୍ଲାରୁ ରାଜ୍ୟର ୪୮ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ସଂକ୍ରମଣ ହାର ମଧ୍ୟ ଏହି ଦୁଇ ଜିଲ୍ଲାରେ ୨ ପ୍ରତିଶତ ଉପରେ ରହିଛି। ଯାହାକି ରାଜ୍ୟର ସଂକ୍ରମଣ ହାରଠାରୁ ଅଧିକ।
ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୧୫ଟି ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି। ହେଲେ ଖୋର୍ଧା ଓ କଟକ ଜିଲ୍ଲା ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଖୋର୍ଧାରେ ୩୭୨, କଟକ ୧୪୭, ଜଗତସିଂହପୁର, ଯାଜପୁରରେ ୫୮ ଲେଖାଏଁ, କେନ୍ଦ୍ରାପଡ଼ା ୫୧, ବାଲେଶ୍ବର, ପୁରୀରେ ୪୫ ଲେଖାଏଁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୯୦ହଜାର ୭୫କୁ ବୃଦ୍ଧି ପାଇଛି।
ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି; ପୂର୍ବରୁ ଯେଉଁ ଜିଲ୍ଲାରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଥିଲେ, ସେଠାରେ ସଂକ୍ରମଣ ହ୍ରାସ ପାଇଛି। ରାଜ୍ୟ ସରକାର ଦ୍ବିତୀୟ ଲହରରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ତେଣୁ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିଛୁ। ତୃତୀୟ ଲହରରେ ଅଧିକ ସଂଖ୍ୟାରେ ଶିଶୁ ସଂକ୍ରମିତ ହେବାର ଆଶଙ୍କା ରହିଥିବା କାରଣରୁ ଏଥିପାଇଁ ୩ହଜାର ଶଯ୍ୟା ସଂରକ୍ଷିତ କରାଯାଇଛି। ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏପରିକି ଲୋକଙ୍କୁ ସଚେତନ କରାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି ବୋଲି ଡା.ମିଶ୍ର କହିଛନ୍ତି।
ବୁଧବାର ଆଉ ୬୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ଖୋର୍ଧାରେ ସର୍ବାଧିକ ୨୦, କଟକ ୧୨, ନୟାଗଡ଼ ୬, ଅନୁଗୁଳ ୫, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବରରେ ୩ ଲେଖାଏଁ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ୨ ଲେଖାଏଁ, ଯାଜପୁର, କଳାହାଣ୍ଡି, ରାୟଗଡ଼ାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୬୬୩୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୮୬୯ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି। ଯାହାଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହୋଇଛି। ଏବେ ୯୮୧୩ ରୋଗୀ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୭୩ହଜାର ୫୭୯କୁ ବୃଦ୍ଧି ପାଇଛି।
The post ୧ ହଜାରରେ ସ୍ଥିର ଦୈନିକ ସଂକ୍ରମଣ, କଟକ ଓ ଖୋର୍ଧା ଜିଲ୍ଲାରୁ ୪୮ ପ୍ରତିଶତ first appeared on Sambad.from କରୋନା | Sambad https://ift.tt/3CyoIyW
0 Comments