ଡେଲ୍‌ଟା ପ୍ରଜାତି ପାଇଁ ଦେଶରେ ସଂକ୍ରମଣ ବଢ଼ୁଛି

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଏବେ ବି ଅଧିକ ରହୁଛି। ତେବେ କରୋନାଭାଇରସ୍‌ର ଡେଲ୍‌ଟା ପ୍ରଜାତି ପାଇଁ ଦେଶରେ ସଂକ୍ରମଣ ବଢ଼ୁଛି ବୋଲି ଇଣ୍ଡିଆନ୍‌ ସାର୍ସ‌୍ କଭ୍‌-୨ ଜେନମିକ୍ସ କନ୍‌ସୋର୍ଟିୟମ୍‌ ପକ୍ଷରୁ କୁହାଯାଇଛି। ଦେଶରେ ସଂକ୍ରମଣ ବୃଦ୍ଧିର ୩ଟି ପ୍ରମୁଖ କାରଣ ଦର୍ଶା‌ଯାଇଥିବା ବେଳେ ଏଥି ମଧ୍ୟରୁ ପ୍ରଥମ କାରଣଟି ହେଉଛି ଡେଲ୍‌ଟା ପ୍ରଜାତି। ଡେଲ୍‌ଟା ଯୋଗୁଁ ଟିକାର ପ୍ରଭାବ ରହୁନାହିଁ। ୨ଟି ଯାକ ଟିକା ନେବାପରେ ବି ଦେଶରେ ୮୭ ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ତେବେ କୋଭିଡ୍‌ ଟିକା ଯୋଗୁଁ ରୋଗୀ ବେଶୀ ଗୁରୁତର ହେଉନାହାନ୍ତି କି ରୋଗୀଙ୍କର ମୃତ୍ୟୁ ହେଉନାହିଁ। କରୋନା ମୃତ୍ୟୁ ଏବଂ ସଂକ୍ରମଣ କମାଇବା ଦିଗରେ ବିଭିନ୍ନ ସତର୍କତା ପଦ‌କ୍ଷେପ ଗ୍ରହଣ ଉପରେ ଗୁରୁ୍ତ୍ବ ଦିଆଯାଇଛି। ଅଗଷ୍ଟ ୧୪ରୁ ୧୬ ମଧ୍ୟରେ ଦେଶରେ ଆର୍‌ ଫ୍ୟାକ୍ଟର ୦.୮୯ ରହିଥିଲା। ଦେଶରେ ଦୈନିକ ସଂକ୍ରମଣ ମାମଲା ଏବେ ବି ୩୦ ହଜାର ଉପରେ ରହୁଛି। ଡେଲ୍‌ଟା ଯୋଗୁଁ ଦେଶ‌ରେ ୮୦ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

୫୬ ଦିନ ଧରି ସାପ୍ତାହିକ ପଜିଟିଭ୍‌ ହାର ୩% ତଳେ
ନୂଆଦିଲ୍ଲୀ : ଦେଶରେ ଆଜି ୩୬,୫୭୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫୪୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୨୩,୫୮,୮୨୯କୁ ବୃଦ୍ଧି ପାଇଥିବା ବେଳେ କୋଭିଡ୍‌ ମୃତ୍ୟୁସଂଖ୍ୟା ୪,୩୩,୫୮୯ରେ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ୩,୬୩,୬୦୫ ରହିଛି ଏବଂ ଏହା ମୋଟ୍‌ ସଂକ୍ରମଣ ମାମଲାର ୧.୧୨ ପ୍ରତିଶତ। କୋଭିଡ୍‌ ଆରୋଗ୍ୟ ହାର ୯୭.୫୪ ପ୍ରତିଶତ ରହିଥିବା ବେଳେ ଗତ ୨୪ ଘଣ୍ଟାରେ ୩୬,୫୭୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ଦୀର୍ଘ ୫୬ ଦିନ ଧରି ୩ ପ୍ରତିଶତ ତଳେ ରହୁଛି। ଦୈନିକ ପଜିଟିଭ୍‌ ହାର ଏବେ ୧.୯୪ ପ୍ରତିଶତ ରହିଛି। କେରଳରେ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କେରଳରେ ଆଜି ୨୧,୧୧୬ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ମାମଲାର ୫୦ ପ୍ରତିଶତରୁ ଅଧିକ ମାମଲା କେବଳ କେରଳରୁ ଚିହ୍ନଟ ହୋଇଛି। କେରଳରେ ଟେଷ୍ଟ୍‌ ପଜିଟିଭ୍‌ ହାର ଏବେ ୧୩.୯୭ ପ୍ରତିଶତ ରହିଥିବାରୁ କଡ଼ା କଟକଣା ଲାଗୁ ହୋଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ୫,୨୨୫ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୧୫୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଦେଶରେ କୋଭିଡ୍‌ ଟିକାକରଣ ୫୭.୨୨ କୋଟିରେ ପହଞ୍ଚିଛି।

The post ଡେଲ୍‌ଟା ପ୍ରଜାତି ପାଇଁ ଦେଶରେ ସଂକ୍ରମଣ ବଢ଼ୁଛି first appeared on Sambad.

from କରୋନା | Sambad https://ift.tt/3gDPs87

Post a Comment

0 Comments