
ଭୁବନେଶ୍ୱର: ସମ୍ଭାବ୍ୟ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଜାରି ରଖିଛନ୍ତି। ୩ୟ ଲହର ଶିଶୁମାନଙ୍କ ପାଇଁ ଅଧିକ ବିପଦ ହୋଇପାରେ ମନେ କରି ସରକାର ଏଥି ପାଇଁ ସତର୍କ ରହିଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର, ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଏବଂ ସରକାରୀ ମେଡିକାଲ କଲେଜର ଅଧୀକ୍ଷକମାନଙ୍କୁ ନୋଟିସ୍ ଜାରି କରିଛନ୍ତି।
ଏସ୍ସିଏସ୍ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏପର୍ଯ୍ୟନ୍ତ ୧୮ ବର୍ଷରୁ କମ୍ ପିଲାମାନେ କରୋନା ଟିକା ନେଇନାହାନ୍ତି। ତେଣୁ ସମ୍ଭାବିତ ୩ୟ ଲହରରେ ଏହି ବର୍ଗରେ ଆସୁଥିବା ପିଲାମାନେ ସଂକ୍ରମିତ ହେବାର ଆଶଙ୍କା ଦେଖାଯାଉଛି। ସେଥିପାଇଁ ରାଜ୍ୟକୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ରହିବାର ଅଛି।
କରୋନାର ୩ୟ ଲହର ମୁକାବିଲା ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ ହେବ। ଏଥିରେ ସିଡିଏମ୍ଓ, ପିଏଚ୍ଓ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ବରିଷ୍ଠ ଶିଶୁ ବିଶେଷଜ୍ଞ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କର୍ମଚାରୀ ଆଦି ସଦସ୍ୟ ରହିବେ। ଜିଲ୍ଲାପାଳ ଏକ ସପ୍ତାହ ମଧ୍ୟରେ ଏକ ବୈଠକରେ ଅଧ୍ୟକ୍ଷତା କରି ସ୍ଥିତି ସମୀକ୍ଷା କରିବେ। ଶିଶୁମାନଙ୍କର କୋଭିଡ ରିପୋର୍ଟ ନଥିଲେ ବି ଚିକିତ୍ସା ଯୋଗାଇ ଦିଆଯିବ। ସେହିପରି ୫୦ ପ୍ରତିଶତ ଆଇସିୟୁ, ପିଆଇସିୟୁ, ଏନଆଇସିୟୁରେ ଶିଶୁଙ୍କ ପାଇଁ ସଂରକ୍ଷଣ ରହିବ।
The post କୋଭିଡ୍ ୩ୟ ଲହରରେ ଶିଶୁଙ୍କ ଯତ୍ନ, ମୁକାବିଲା ନେଇ ରାଜ୍ୟର ଜିଲ୍ଲାପାଳ-ମ୍ୟୁନିସିପାଲ କମିସନରଙ୍କୁ ଚିଠି ଲେଖିଲେ ସରକାର first appeared on Sambad.from କରୋନା | Sambad https://ift.tt/3AC2vhD
0 Comments