ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବରରେ ଭାରତରେ କରୋନା ସଂକ୍ରମଣର ତୃତୀୟ ଲହର ଆରମ୍ଭ ହୋଇଯିବ। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଦ୍ବାରା ଗଠିତ ବିଶେଷଜ୍ଞ କମିଟି ସୋମବାର ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ତୃତୀୟ ଲହର ନେଇ ସତର୍କ କରାଯିବା ସହ ଶିଶୁମାନଙ୍କ ପ୍ରତି ଅଧିକ ବିପଦ ଆଶଙ୍କା କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ଏନ୍‌ଆଇଡିଏମ୍‌ (ଜାତୀୟ ବିପର୍ଯ୍ୟୟ ପରିଚାଳନା ଅନୁଷ୍ଠାନ)ର ଏକ ବିଶେଷଜ୍ଞ କମିଟି ଦେଇଥିବା ରିପୋର୍ଟ ଅନୁଯାୟୀ ତୃତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହେବାର ଆଶଙ୍କା ରହିଛି। ଶିଶୁ ଚିକିତ୍ସା ପାଇଁ ଦେଶରେ ଆବଶ୍ୟକ ପ୍ରସ୍ତୁତି ହୋଇନାହିଁ। ବିଭିନ୍ନ ରାଜ୍ୟ ତୃତୀୟ ଲହରର ମୁକାବିଲା ପାଇଁ ବିହୀତ ବ୍ୟବସ୍ଥା କରିନାହାନ୍ତି। ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଭେଣ୍ଟିଲେଟର, ଆମ୍ବୂଲାନ୍ସ ସମେତ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ଯେଭଳି ପ୍ରସ୍ତୁତ ରଖାଯିବା କଥା ତାହା ହୋଇନାହିଁ ବୋଲି କମିଟି ରିପୋର୍ଟ ଦେଇଛି। ଏ ଦିଗରେ ଯୁଦ୍ଧସ୍ତରରେ ପଦକ୍ଷେପ ନେବାକୁ କମିଟି ସୁପାରିସ କରିଛି। ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାନେଇ ବିଶେଷ କିଛି ପ୍ରମାଣ ନଥିଲେ ମଧ୍ୟ ଶିଶୁମାନଙ୍କୁ ଟିକା ଦିଆଯାଇନଥିବାରୁ ଏହା ଚିନ୍ତାର କାରଣ ବୋଲି ରିପୋର୍ଟରେ କୁହାଯାଇଛି।

ତେବେ ଶିଶୁମାନଙ୍କ କ୍ଷେତ୍ରରେ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସଙ୍କଟ ନେଇ ଏନ୍‌ଆଇଡିଏମ୍‌ ଗୁରୁତ୍ବ ଦେଇଛି। ଅଧିକାଂଶ ଶିଶୁଙ୍କ ରୋଗପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବା ଜରୁରୀ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ୬୦ ଏବଂ ୭୦ ପ୍ରତିଶତ କୋଭିଡ୍‌ ପଜିଟିଭ୍‌ ଶିଶୁଙ୍କର ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ରହିଛି। ଜାଇଡସ୍‌ କାଡିଲାର ୩ ଡୋଜ୍‌ ଟିକାକୁ ଏମର୍ଜେନ୍ସି ବ୍ୟବହାର ପାଇଁ ଅନୁମତି ମିଳିଥିଲେ ସୁଦ୍ଧା ଏହା ଏଯାବତ୍‌ ଆରମ୍ଭ ହୋଇନାହିଁ। ଶିଶୁମାନଙ୍କୁ ତୁରନ୍ତ ଟିକା ଦେବାପାଇଁ ବିଶେଷଜ୍ଞ କମିଟି ପ୍ରସ୍ତାବ ଦେଇଛନ୍ତି। ଦେଶବ୍ୟାପୀ ଶିକ୍ଷକ ଏବଂ ସ୍କୁଲ କର୍ମଚାରୀଙ୍କୁ ବି ଟିକା ଦିଆ‌ଯିବା ଜରୁରୀ। କେବଳ ଶିଶୁ ନୁହେଁ ଶିଶୁର ବାପା ମା’ଙ୍କ ପାଇଁ ହସ୍ପିଟାଲ୍‌ରେ ରହିବା ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଉ ବୋଲି କମିଟି କହିଛନ୍ତି।

ନିକଟରେ ‌ହୋଇଥିବା ଏକ ଅଧ୍ୟୟନକୁ ଉଦାହରଣ ଭାବେ ଦର୍ଶାଇ କମିଟି କହିଛି ଯେ, ଯଦି ଟିକାକରଣ ତ୍ବରାନ୍ବିତ ନ‌ହୁଏ ତେବେ ତୃତୀୟ ଲହରରେ ଦେଶରେ ଦୈନିକ ସଂକ୍ରମଣ ୬ ଲକ୍ଷ ରହିବ। ଯଦି ଟିକାକରଣ ତ୍ବରାନ୍ବିତ ହୁଏ ଦ୍ବିତୀୟ ଲହରରେ ଦେଶ ଯେତିକି ସଂକ୍ରମଣ ଦେଖିଥିଲା ତୃତୀୟ ଲହରରେ ତା’ର ମାତ୍ର ୨୫ ପ୍ରତିଶତ ସଂକ୍ରମଣ ଦେଖିବ। ଅନ୍ୟପକ୍ଷେ ଡେଲ୍‌ଟା ପ୍ଲସ୍‌ ପ୍ରଜାତି ପାଇଁ ଦେଶରେ ତୃତୀୟ ଲହର ଆସିବ ବୋଲି କୌଣସି ବଳିଷ୍ଠ ପ୍ରମାଣ ନାହିଁ ବୋଲି କମିଟି କହିଛି।

The post ବିଶେଷଜ୍ଞ କମିଟିର ରିପୋର୍ଟ: ଅକ୍ଟୋବରରେ ତୃତୀୟ ଲହର, ଶିଶୁମାନଙ୍କ ପ୍ରତି ବିପଦ ଆଶଙ୍କା ଅଧିକ first appeared on Sambad.

from କରୋନା | Sambad https://ift.tt/3gnJxDO