୪ଜିଲ୍ଲା ଏବେ ବି ଚିନ୍ତାଜନକ, ୧୮ ଜିଲ୍ଲାରେ ଟିପିଆର୍ ୧% ତଳେ

ଭୁବନେଶ୍ବର : ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ବି ଉପକୂଳ ଓଡ଼ିଶାର ୪ଟି ଜିଲ୍ଲା ଏବେବି ଚିନ୍ତାଜନକ ସ୍ଥିତିରେ ଅଛି। ଏଠାରେ ଭଦ୍ରକ ଓ ଗଞ୍ଜାମକୁ ଛାଡ଼ି ବାକି ସବୁ ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ (ଟିପିଆର୍) ୧% ଉପରେ ରହିଛି। ଫଳରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଖସୁନି। ଆଜି ୧୨୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଶନିବାର ୬୯,୪୨୭ଜଣଙ୍କର କୋଭିଡ ଟେଷ୍ଟ ହୋଇଥିବା ବେଳେ ଏଥିରୁ ୧୨୪୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଟିପିଆର୍ ୧.୭୯%ରହିଛି। ଏପରିକି ୧୮ଟି ଜିଲ୍ଲାରେ ଟିପିଅାର୍ ୧% ତଳେ ରହିଛି। ୧୨ଟି ଜିଲ୍ଲାରେ ଟିପିଆର୍ ୧% ଉପରେ ଥିଲେ ହେଁ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁରରେ ଟିପିଆର୍ ୩% ଉପରେ ରହିଛି। ଜଗତସିଂହପୁରେ ଶନିବାର ୧୯୭୬ଜଣଙ୍କର ଟେଷ୍ଟିଂ ହୋଇଥିବା ବେଳେ ୮୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଟିପିଆର୍ ୪.୪୫% ରହିଛି। କଟକରେ ୫୬୭୪ଜଣଙ୍କର ଟେଷ୍ଟିଂ ହୋଇଥିବା ବେଳେ ଏଠାରୁ ୧୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଟିପିଆର୍ ୩.୧୨% ରହିଛି। ପୁରୀରେ ୧୯୫୫ଜଣଙ୍କର ଟେଷ୍ଟିଂ ହୋଇଥିବାବେଳେ ଏଠାରୁ ୬୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟିପିଆର୍ ୩.୫୩% ରହିଛି। ଖୋର୍ଦ୍ଧାରେ ୧୦୮୦୧ଜଣଙ୍କର ଟେଷ୍ଟିଂ ହୋଇଥିବାବେଳେ ୩୯୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟିପିଆର୍ ୩.୬୯% ରହିଛି। ଏହାବାଦ୍ ମୟୂରଭଞ୍ଜରେ ଟିପିଆର୍ ୧.୫%, ବାଲେଶ୍ବରରେ ୧.୮%, ନୟାଗଡ଼ରେ ୧.୫%, ଢେଙ୍କାନାଳରେ ୨.୧%, ଯାଜପୁରରେ ୧.୪% ରହିଛି।

ସବୁଠୁ କମ୍‌ ଟିପିଆର୍ କୋରାପୁଟରେ ରହିଛି। ଏଠାରେ ୧୫୯୯ଜଣଙ୍କର ଟେଷ୍ଟିଂ ହୋଇଥିବାବେଳେ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

ସୂଚନାଯୋଗ୍ୟ ଯେ, ଆଜି ସୁଦ୍ଧା ରାଜ୍ୟରେ ୯,୮୭,୦୭୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯,୬୮,୪୫୩ଜଣ ସୁସ୍ଥ ହୋଇଛନ୍ତି। ୬୪୩୫ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

The post ୪ଜିଲ୍ଲା ଏବେ ବି ଚିନ୍ତାଜନକ, ୧୮ ଜିଲ୍ଲାରେ ଟିପିଆର୍ ୧% ତଳେ first appeared on Sambad.

from କରୋନା | Sambad https://ift.tt/3lJCBUZ

Post a Comment

0 Comments