ଶିଶୁଙ୍କ ସଂକ୍ରମଣର ମ୍ୟାପିଂ ଚାଲିଛି, ପଜିଟିଭ୍ ଚିହ୍ନଟ ହେଲେ ଆଉ ୧୩୮ ଶିଶୁ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତ ଶିଶୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପୁଣି ୧୩୮ ଜଣ ଶିଶୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ବର୍ଗ ପାଇଁ ଏ ପର୍ଯ୍ୟନ୍ତ କୌଣସି ଟିକା ଆସି ନ ଥିବାରୁ କରୋନା ଭୂତାଣୁ ନେଇ ୧୮ବର୍ଷରୁ କମ୍ ଶିଶୁମାନେ ଅଧିକ ସମ୍ବେଦନଶୀଳ ହୋଇ ପଡ଼ିଛନ୍ତି। ଆଗକୁ ମଧ୍ୟ ଏହି ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ଦେଖା‌ଦେଲାଣି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ପ୍ରଥମ ଓ ଦ୍ବିତୀୟ ଲହରରେ ୦-୧୦ବର୍ଷ ବୟସର ୩.୫ ପ୍ରତିଶତ ଶିଶୁ ସଂକ୍ରମିତ ହେଉଥିଲେ। ୧୦-୧୮ବର୍ଷ ୮-୮.୫ ପ୍ରତିଶତ ଆକ୍ରାନ୍ତ ହେଉଥିବା ନଜରକୁ ଆସିଥିଲା। ମାତ୍ର ଦ୍ବିତୀୟ ଲହରରେ ଡେଲ୍‌ଟା ଭାରିଏଣ୍ଟର ପ୍ରଭାବରେ ପିଲାଙ୍କ ସଂକ୍ରମଣ ହାର ୧୨ ପ୍ରତିଶତକୁ ବୃଦ୍ଧି ପାଇଥିଲା। ହେଲେ ଖୁସିର ଖବର ହେଉଛି ପିଲାମ‌ାନେ ପ୍ରାୟତଃ ଗୁରୁତର ହୋଇ ନ ଥାନ୍ତି। ତେଣୁ ଡାକ୍ତରଖାନାରେ ଭର୍ତ୍ତି ହେବା ସଂଖ୍ୟା କମ୍। ତୃତୀୟ ଲହରରେ ଆକଳନ ଅନୁଯାୟୀ ଯେତିକି ପିଲା ସଂକ୍ରମିତ ହେବେ ତହିଁରୁ ୫-୬ ପ୍ରତିଶତ ଡାକ୍ତରଖାନାରେ ଭର୍ତ୍ତି ହେବେ ବୋଲି କେନ୍ଦ୍ର ସରକାରଙ୍କ ଆକଳନ କହୁଛି। ତେଣୁ ଏବେଠାରୁ ଆତଙ୍କିତ ହେବାର କିଛି ନାହିଁ। ରାଜ୍ୟ ସରକାର ପିଲାଙ୍କ ସଂକ୍ରମଣର ମ୍ୟାପିଂ କରୁଛନ୍ତି। ଶିଶୁମାନଙ୍କ ପାଇଁ ଶଯ୍ୟାଠାରୁ ଆରମ୍ଭ କରି ଔଷଧ ଓ ଅକ୍ସିଜେନ୍ ଯାଏ ସବୁକିଛି ପ୍ରସ୍ତୁତ ରଖାଯାଉଛି। ଏବେ ରାଜ୍ୟ‌ରେ ଶିଶୁଙ୍କ ସଂକ୍ରମଣ ଜାତୀୟ ହାର ଭିତରେ ରହିଛି ବୋଲି ଡା. ମିଶ୍ର ସୂଚନା ଦେଇଛନ୍ତି।

ଡିଏମ୍‌ଇଟି ପ୍ରଫେସର ଡା. ସିବ‌ିକେ ମହାନ୍ତି କହିଛନ୍ତି, ଶିଶୁଙ୍କ ସଂକ୍ରମଣକୁ ରୋକିବାକୁ ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସତର୍କ ରହିବାକୁ ହେବ। କାରଣ ସେମାନେ ସଂକ୍ରମିତ ହେଲେ ଶିଶୁମାନେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। ଶିଶୁମାନେ ଲକ୍ଷଣହୀନ ରହୁଛନ୍ତି। ହସ୍ପିଟାଲାଇଜେସନ୍ କମ୍ ରହିବା ସହିତ ଆଇସିୟୁର କମ୍ ଆବଶ୍ୟକତା ରହୁଛି। ତେବେ ସେରୋ ସର୍ଭେ ରିପୋର୍ଟ କହୁଛି ଯେ ପିଲାମାନେ ବି କରୋନାରେ ସଂକ୍ରମିତ ହେଉଛନ୍ତି। ତାଙ୍କ ଶରୀରକୁ ଭୂତାଣୁ ଯାଉଛି। ତେଣୁ ଆଣ୍ଟିବଡି ସୃଷ୍ଟି ହେଉଛି ବୋଲି ଡା. ମହାନ୍ତି କହିଛନ୍ତି।

ଅନ୍ୟପକ୍ଷରେ ଗତ ୨୪ଘଣ୍ଟାରେ ରାଜ୍ୟରେ ୯୯୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟର ସଂକ୍ରମଣ ହାର ୧.୪୪ ପ୍ରତିଶତ ରହିଛି। ‌ଖୋର୍ଧାରେ ସର୍ବାଧିକ ୪୧୯ ଆକ୍ରାନ୍ତ ବାହାରିଛନ୍ତି। ଏହାସହ କଟକ ୯୫, ଯାଜପୁର ୬୦, ଜଗତସିଂହପୁର ୫୧, ମୟୂରଭଞ୍ଜ ୪୨, ‌ଢେଙ୍କାନାଳ ୩୨, ବାଲେଶ୍ବର ୩୦, ପୁରୀ ୨୫ ଓ ଷ୍ଟେଟ୍‌ ପୁଲରୁ ୯୫ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୯୭ହଜାର ୪୧୬କୁ ବୃଦ୍ଧି ପାଇଛି। ରାଜ୍ୟରେ ବଳକା‌ କୋଭିଡ୍‌ ମୃତ୍ୟୁର ଘୋଷଣା ଜାରି ରହିଛି। ଆଉ ୬୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଘୋଷଣା କରିଛି। ଏଥିରେ କଟକ ୧୫, ଜଗତସିଂହପୁର ୧୧, କେନ୍ଦ୍ରାପଡ଼ା ୯, ଢେଙ୍କାନାଳ ୭, ଅନୁଗୁଳ-ବାଲେଶ୍ବର ୫ ଲେଖାଏଁ, ଭଦ୍ରକ, ମୟୂରଭଞ୍ଜରେ ୩ ଲେଖାଏଁ, ପୁରୀ ୨, ଗଞ୍ଜାମ, କେନ୍ଦୁଝର, ଖୋର୍ଧା, କୋରାପୁଟ, ନୟାଗଡ଼ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୭୦୮୬କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ୮୪୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୮୧ହଜାର ୩୧୬କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ୮୬୯୧ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

The post ଶିଶୁଙ୍କ ସଂକ୍ରମଣର ମ୍ୟାପିଂ ଚାଲିଛି, ପଜିଟିଭ୍ ଚିହ୍ନଟ ହେଲେ ଆଉ ୧୩୮ ଶିଶୁ first appeared on Sambad.

from କରୋନା | Sambad https://ift.tt/3geWnEx

Post a Comment

0 Comments