
ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ର ପ୍ରକୋପ ଜାରି ରହିଥିବା ବେଳେ ଇତିମଧ୍ୟରେ ଟିକା ମିଶ୍ରଣକୁ ନେଇ ଭଲ ଖବର ଆସିଛି। ଭାରତର ସ୍ବଦେଶୀ ଟିକା କୋଭାକ୍ସିନ ଏବଂ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ କୋଭିସିଲ୍ଡ ଟିକାର ମିଶ୍ର ପ୍ରୟୋଗ ଭଲ ଫଳ ଦେଉଛି ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) କହିଛି। ଏହି ଦୁଇଟି ଭିନ୍ନ ଟିକାର ମିଶ୍ରଣକୁ ନେଇ ଆଇସିଏମ୍ଆର୍ ଅଧ୍ୟୟନରୁ ଭଲ ପରିଣାମ ମିଳିଥିବା କୁହାଯାଇଥିବାରୁ ଏହାର ପ୍ରୟୋଗ ନେଇ ପରବର୍ତ୍ତୀ ରଣନୀତି ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। କୋଭିସିଲ୍ଡ ଏବଂ କୋଭାକ୍ସିନର ମ୍ୟାଚିଂ ଏବଂ ମିକ୍ସିଂ ରିପୋର୍ଟ ଅତ୍ୟନ୍ତ ଉତ୍ସାହଜନକ ବୋଲି ଆଇସିଏମ୍ଆର୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
ଏଡିନୋ ଭାଇରସ୍ ଭେକ୍ଟର ପ୍ଲାଟଫର୍ମ ଆଧାରିତ ଟିକା ସହିତ ନିଷ୍କ୍ରିୟ ଭାଇରସ ଟିକାର ମିଶ୍ରଣ ସୁରକ୍ଷିତ ରହିବା ସହ ଅଧିକ ଆଣ୍ଟିବଡ଼ି ସୃଷ୍ଟି କରିବାରେ ସଫଳ ହେଉଛି ବୋଲି ଆଇସିଏମ୍ଆର୍ କହିଛି । ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାଇନାଇଜେନ (ସିଡିଏସ୍ସିଓ)ର କୋଭିଡ-୧୯ ବିଶେଷଜ୍ଞ କମିଟିର ସୁପାରିସକ୍ରମେ ଏହି ଭିନ୍ନ ଟିକାର ମିଶ୍ରଣ ଏବଂ ପ୍ରୟୋଗ କରାଯାଇଛି। ତେବେ ଏହାର ନୈଦାନିକ ପରୀକ୍ଷଣ ରିପୋର୍ଟ ଆସିବା ପରେ ହିଁ ସଫଳତା ଆଧାରରେ ବ୍ୟବହାର ଅନୁମତି ମିଳିପାରିବ। ଭାରତରେ ଟିକା ମିଶ୍ରଣ ସଫଳ ଓ ନିରାପଦ ପ୍ରମାଣିତ ହେଲେ ଯୋଗାଣଜନିତ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ। ଦୁଇଟି ଟିକାର ମିଶ୍ରଣ ରୋଗନିରୋଧକ କ୍ଷମତାକୁ ଅଧିକ ବୃଦ୍ଧି କରିଥାଏ ବୋଲି ବିଶେଷଜ୍ଞମାନେ କହିଥିବା ବେଳେ ଏବେ କୋଭିସିଲ୍ଡ ଏବଂ ରୁଷ୍ ନିର୍ମିତ ସ୍ପୁଟ୍ନିକ ଟିକା ମିଶ୍ରଣକୁ ନେଇ ମଧ୍ୟ ଅଧିକ ଅଧ୍ୟୟନ ଜାରି ରହିଛି। ଆମେରିକା ଏବଂ ୟୁରୋପରେ ଏ ବାବଦରେ ଅଧିକ ଗବେଷଣା ଜାରି ରହିଥିବାରୁ ଭାରତ ସରକାର ମଧ୍ୟ ଏ କ୍ଷେତ୍ରରେ ସତର୍କତା ଅବଲମ୍ବନ କରୁଛନ୍ତି ଏବଂ ପରବର୍ତ୍ତୀ ରିପୋର୍ଟଗୁଡ଼ିକ ଆଧାରରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି।
The post ଆଇସିଏମ୍ଆର୍ ଅଧ୍ୟୟନ ରିପୋର୍ଟ, କୋଭାକ୍ସିନ-କୋଭିସିଲ୍ଡ ମିଶ୍ରଣ ଭଲ ଫଳ ଦେଉଛି first appeared on Sambad.from କରୋନା | Sambad https://ift.tt/3AfGMvU
0 Comments