
ଭୁବନେଶ୍ବର : ରାଜ୍ୟରେ ଏବେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବେ ହଜାରେ ତଳେ ରହୁଥିଲେ ହେଁ ଖୋର୍ଦ୍ଧା ଓ କଟକ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାର ବିଷୟ ପାଲଟିଛି। ଏହି ଦୁଇଟି ଜିଲ୍ଲାରୁ ପ୍ରତିଦିନ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଖୋର୍ଦ୍ଧା ଜିଲ୍ଲା ଏବେ ରେଡ୍ ଜୋନ୍ରେ ଏବଂ କଟକ ଜିଲ୍ଲା ୟେଲୋ ଜୋନ୍ରେ ରହିଛି। ବାକି ସବୁ ଜିଲ୍ଲା ସବୁଜ ଜୋନ୍ରେ ଅଛି।
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରବିବାର ରାଜ୍ୟରେ ୮୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୨୮୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଖୋର୍ଦ୍ଧା ଜିଲ୍ଲାରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬୬ରେ ପହଞ୍ଚିଛି। ସେହିପରି କଟକରୁ ୧୪୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୨ରେ ପହଞ୍ଚିଛି। ରାଜ୍ୟର ସବୁଠୁ କମ୍ ସକ୍ରିୟ ଆକ୍ରାନ୍ତ ଗଜପତି ଜିଲ୍ଲାରେ ଅଛନ୍ତି। ଏଠାରେ ୯ଜଣ ଚିକିତ୍ସାଧୀନ ଆକ୍ରାନ୍ତ ଅଛନ୍ତି। ସେହିପରି ବୌଦ୍ଧରେ ୧୦ ଏବଂ ନବରଙ୍ଗପୁରରେ ୧୩ଜଣ ଚିକିତ୍ସାଧୀନ ଆକ୍ରାନ୍ତ ଅଛନ୍ତି।
ଶନିବାର ୬୭,୮୩୪ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ୮୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଟିପିଆର୍ ୧.୨୬%କୁ ଖସିଛି। ହେଲେ ଦେବଗଡ଼ ଜିଲ୍ଲାରେ ଶନିବାର ୨୫୯ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କମ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବି କମ୍ ପରୀକ୍ଷା ହୋଇଥିବାରୁ ଏଠାରେ ଟିପିଆର୍ ୫.୦୨% ରହିଛି।
ରାଜ୍ୟରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୯୩୭ରେ ପହଞ୍ଚିଛି। ୧୦୭୮ଜଣ ସୁସ୍ଥ ହୋଇଥିବାବେଳେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୯,୮୫,୩୦୨ ହୋଇଛି। ସେହିପରି ଆଜି ୬୯ଜଣଙ୍କର ମୃତ୍ୟୁ ଦର୍ଶାଯାଇଥିବାବେଳେ ମୋଟ୍ ମୃତକଙ୍କ ସଂଖ୍ୟା ୭୩୫୮ରେ ପହଞ୍ଚିଛି।
The post ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନି; ରେଡ୍ ଜୋନ୍ରେ ଖୋର୍ଦ୍ଧା, ୟେଲୋ ଜୋନ୍ରେ କଟକ first appeared on Sambad.from କରୋନା | Sambad https://ift.tt/3sQWCL7
0 Comments