
ଭୁବନେଶ୍ବର : ରାଜ୍ୟରେ କରୋନା ମୃତ୍ୟୁ ୬ ହଜାର ଟପିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ଆଉ ୬୭ଜଣ କରୋନାରେ ପ୍ରାଣ ହରାଇଥିବା ଘୋଷଣା କରାଯିବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୬୦୩୩ରେ ପହଞ୍ଚିଛି। ପ୍ରଥମ ଲହରରେ ରାଜ୍ୟରେ ସରକାରୀ ଭାବେ ୧୮୭୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ବିତୀୟ ଲହରରେ ଏ ପର୍ଯ୍ୟନ୍ତ ୪୧୫୭ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ବଳକା କୋଭିଡ୍ ମୃତ୍ୟୁ ଘୋଷଣା ଶେଷ ହେବାକୁ ଆଉ କିଛି ଦିନ ଲାଗିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିକଟରେ କୁହାଯାଇଥିଲା। ତେଣୁ ରାଜ୍ୟର ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।
ଘୋଷଣା ହୋଇଥିବା ୬୭ ମୃତ୍ୟରେ ଖୋର୍ଧାରୁ ୧୨, ସୁନ୍ଦରଗଡ଼ ୧୧, କଟକ ୧୦, ପୁରୀ ୬, ଢେଙ୍କାନାଳ ୫, ଜଗତସିଂହପୁର ଓ ଗଞ୍ଜାମରୁ ୪ ଲେଖାଏଁ, ଅନୁଗୁଳ, ଓ ଭଦ୍ରକରୁ ୩ ଲେଖାଏଁ, ବାଲେଶ୍ବର, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରେ ୨ଲେଖାଏଁ, କେନ୍ଦୁଝର, ଯାଜପୁର ଓ ବରଗଡ଼ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଖୋର୍ଧାରେ ସର୍ବାଧିକ ୧୧୬୫, ସୁନ୍ଦରଗଡ଼ ୫୩୮, ଗଞ୍ଜାମ ୪୪୭, କଟକ ୩୫୭, ବରଗଡ଼ ୨୯୦ ଓ ଅନୁଗୁଳରେ ୨୬୦ଜଣ କରୋନାରେ ପ୍ରାଣ ହରାଇଛନ୍ତି।
ଅପରପକ୍ଷରେ ରାଜ୍ୟରେ ଦୈନିକ ସଂକ୍ରମଣ ହଜାରକୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୭,୧୩୧ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୦୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂକ୍ରମଣ ହାର ୧.୫୪ ପ୍ରତିଶତ ରହିଛି। ୪ ମାସ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ହଜାରକୁ ଖସିଛି। ୨୪ ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧା ୨୩୭, କଟକ ୧୫୪, ଜଗତସିଂହପୁର ଓ ପୁରୀରେ ୪୨ ଲେଖାଏଁ, ଅନୁଗୁଳ ୪୮, ଭଦ୍ରକ ୪୭, ଯାଜପୁର ୪୩, ବାଲେଶ୍ବର ୩୬, ଢେଙ୍କାନାଳ ୨୫, ମୟୂରଭଞ୍ଜ ୨୦, ସୁନ୍ଦରଗଡ଼ ୨୩, ନୟାଗଡ଼ ୩୦ ଓ ଷ୍ଟେଟ୍ ପୁଲରୁ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୭୯ହଜାର ୭୩୭ରେ ପହଞ୍ଚିଛି।
ରାଜ୍ୟରେ ସଂକ୍ରମଣ ସ୍ଥିତି ଉପରେ ଡିଏମ୍ଇଟି ପ୍ରଫେସର୍ ଡା. ସିବିକେ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ‘ଆର୍’ ଭ୍ୟାଲୁ ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଛି। ‘ଆର୍’ ଭ୍ୟାଲୁ ୧ ଉପରେ ରହିଲେ ଅଧିକ ସଂକ୍ରମଣର ଆଶଙ୍କା ରହିଥାଏ। କେତେକ ରାଜ୍ୟରେ ଏହା ୧ ପାଖାପାଖି ପହଞ୍ଚି ସାରିଛି। ମାତ୍ର ଓଡ଼ିଶାରେ କମ୍ ରହିଛି। ଚୀନ୍ରେ ପ୍ରଥମ ଲହରରେ ‘ଆର୍’ ଭ୍ୟାଲୁ ୬ ଉପରେ ଥିଲା। ମାତ୍ର ଦ୍ବିତୀୟ ଲହରରେ ସେଭଳି ଦେଖିବାକୁ ମିଳୁ ନାହିଁ। ‘ଆର୍’ ଭ୍ୟାଲୁ କମ୍ୟୁନିଟିରେ କିଭଳି ପ୍ରତିଫଳିତ ହେଉଛି, ତାହାର କାରଣ ଖୋଜା ଚାଲିଛି। ଏହା ୧ରୁ ଅଧିକ ହେଲେ ସଂକ୍ରମଣ ବଢ଼ିଥାଏ ସତ ମାତ୍ର ତା’ ଅର୍ଥ ନୁହେଁ ଯେ ସମସ୍ତେ ସଂକ୍ରମିତ ହେବେ। ଟିକାକରଣ, କୋଭିଡ୍ ନିୟମର ଅନୁପାଳନ ଜାରି ରଖିବା ଜରୁରୀ ବୋଲି ପ୍ରଫେସର୍ ମହାନ୍ତି କହିଛନ୍ତି।
The post ରାଜ୍ୟରେ କୋଭିଡ୍ ମୃତ୍ୟୁ ୬ ହଜାର ଟପିଲା, ହଜାରକୁ ଖସିଲା ଦୈନିକ ସଂକ୍ରମଣ first appeared on Sambad.from କରୋନା | Sambad https://ift.tt/3CabQ1F
0 Comments