
ଭୁବନେଶ୍ବର: ଖୁବ୍ଶୀଘ୍ର କଟକ-ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ଆରମ୍ଭ ହେବ ସେରୋସର୍ଭେ। ନିକଟରେ କେନ୍ଦ୍ର ସରକାର ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଆଇସିଏମ୍ଆର ପରାମର୍ଶରେ ରାଜ୍ୟମାନଙ୍କୁ ସେରୋସର୍ଭେ ପାଇଁ ନିର୍ଦ୍ଦେଶ ଦେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ଜିଲ୍ଲାସ୍ତରରେ ଆଣ୍ଟିବଡି ସ୍ତର କିଭଳି ରହିଛି, ତାହା ସ୍ପଷ୍ଟ ହୋଇପାରିବ। ଉଚ୍ଚ ସଂକ୍ରମଣ ହାର ବା ଟିପିଆର୍ ଅଧିକ ଥିବା ଜିଲ୍ଲାଗୁଡ଼ିକୁ ପ୍ରାଥମିକ ପର୍ଯ୍ୟାୟରେ ସେରୋ ସର୍ଭେରେ ସାମିଲ କରାଯିବ ବୋଲି ଜଣାପଡ଼ିଛି।
ନିକଟରେ ଦେଶବ୍ୟାପୀ ଚତୁର୍ଥ ପର୍ଯ୍ୟାୟ ସେରୋସର୍ଭେ ହୋଇଥିଲା। ଏଥିରେ ରାଜ୍ୟର ୩ଟି ଜିଲ୍ଲା ଅଂଶଗ୍ରହଣ କରିଥିଲେ। ଗଞ୍ଜାମରେ ୭୧ ପ୍ରତିଶତ, ରାୟଗଡ଼ାରେ ୬୩ ଓ କୋରାପୁଟରେ ୬୧.୩ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ନଜରକୁ ଆସିଥିଲା। ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସେରୋସର୍ଭେ କରାଯିବ। ଭୁବନେଶ୍ବର, କଟକ, ପୁରୀ ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାକୁ ଏଥିରେ ପ୍ରାଥମିକତା ଦିଆଯାଇଥିବା ସୂଚନା ମିଳିଛି। ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, କିଭଳି ଢଙ୍ଗରେ ଓ ଉପକୂଳର କେଉଁ ଜିଲ୍ଲାକୁ ସେରୋ ସର୍ଭେରେ ପ୍ରାଥମିକତା ଦିଆଯିବ, ସେନେଇ ଆରଏମ୍ଆର୍ସି ସହ ଆଲୋଚନା କରାଯିବ। ଟିପିଆର୍ ଅଧିକ ଥିବା ଜିଲ୍ଲାକୁ ସାମିଲ ହେବାର ଅଧିକ ସମ୍ଭାବନା ରହିଛି। କରୋନାର ଦ୍ବିତୀୟ ଲହରରେ ରାଜ୍ୟରେ ୩ମାସ ଧରି ଲକ୍ଡାଉନ୍/ସଟ୍ଡାଉନ୍ ସତ୍ତ୍ବେ ଭୁବନେଶ୍ବର, କଟକ ଓ ପୁରୀ ସହରରେ ବହୁ ଲୋକ ସଂକ୍ରମିତ ହୋଇଥିଲେ। ତେଣୁ ଏସବୁ ସ୍ଥାନରେ କେତେ ପରିମାଣର ଲୋକ ଭୂତାଣୁ ସଂସ୍ପର୍ଶରେ ଆସିଛନ୍ତି, ତାହା ସ୍ପଷ୍ଟ ହୋଇପାରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ କରୋନାର ପ୍ରଥମ ଲହରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସେରୋସର୍ଭେ ହୋଇଥିଲା। ପ୍ରଥମେ ପୁରୀରେ ଏହା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ରାଜ୍ୟର ବିଭିନ୍ନ ସହରରେ କରାଯାଇଥିଲା। ଭୁବନେଶ୍ବରରେ ୫୫ ପ୍ରତିଶତ, କଟକ ୪୬ ପ୍ରତିଶତ ଓ ଗଜପତିରେ ୬୩ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।
The post ଦ୍ବୈତନଗରୀ ସମେତ ଉପକୂଳ ଓଡ଼ିଶାରେ ସେରୋସର୍ଭେ ଖୁବ୍ଶୀଘ୍ର first appeared on Sambad.from କରୋନା | Sambad https://ift.tt/3jmoUbW
0 Comments