୪ମାସ ପରେ ମିଳିଲା ଆଶ୍ବସ୍ତି, ହଜାରେ ତଳକୁ ‌ଖସିଲା ସଂକ୍ରମଣ

ଭୁବନେଶ୍ବର : କରୋନା ସଂକ୍ରମଣ‌କୁ ନେଇ ରାଜ୍ୟବାସୀଙ୍କ ପାଇଁ ଆସିଛି ଆଶ୍ବସ୍ତିର ଖବର। ୪ ମାସର ବ୍ୟବଧାନ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ହଜାର ତଳକୁ ଖସି ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୮୮୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେବଳ ଖୋର୍ଧା ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ଶହେ ତଳେ ରହିଛି। ଏପରିକି ବଲାଙ୍ଗୀର ଓ ନୂଆପଡ଼ାରେ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ତେଣୁ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣ ଆଡ଼କୁ ମୁହାଁଇଛି। ଏପ୍ରିଲ ୭ତାରିଖରେ ରାଜ୍ୟରେ ଶେଷଥର ଲାଗି ହଜାର ତଳକୁ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ରାଜ୍ୟରେ ସଂକ୍ରମଣ ହାର ଆହୁରି ନିମ୍ନଗାମୀ ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ସଂକ୍ରମଣ ହାର ୧.୩୪ ପ୍ରତିଶତ ରେକର୍ଡ କରାଯାଇଛି। ମାତ୍ର ବାଲେଶ୍ବର, ପୁରୀ, ଖୋର୍ଧା, କଟକ ଓ ଜଗତସିଂହପୁରରେ ସଂକ୍ରମଣ ହାର ରାଜ୍ୟର ସଂକ୍ରମଣ ହାରଠାରୁ ଅଧିକ ରହିଛି। ରାଜ୍ୟ ସରକାର ଚଳିତମାସ ବ୍ୟାପୀ ଦୈନିକ ୭୦ହଜାରରୁ ଅଧିକ ନମୁନା ପରୀକ୍ଷା ଜାରି ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। ତେଣୁ ଆଗକୁ ସଂକ୍ରମଣ ହାରରେ ଆହୁରି ହ୍ରାସ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି।

EURACTIV.com

ସବୁଠାରୁ ଅଧିକ ଚିନ୍ତାର କାରଣ ପାଲଟିଥିବା ଖୋର୍ଧା ଜିଲ୍ଲାରେ ମଧ୍ୟ ସଂକ୍ରମଣ ଖସି ଆସିଛି। ସୋମବାର ଜିଲ୍ଲାରୁ ୨୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରେ ଲଗାତାର ଭାବେ ସଂକ୍ରମଣ ଶହେ ତଳେ ଦେଖିବାକୁ ମିଳିଛି। ଜିଲ୍ଲାରେ ୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ବର ୬୨, ଯାଜପୁର ୬୦, ଜଗତସିଂହପୁର ୫୪, କେନ୍ଦ୍ରାପଡ଼ା ୩୩, ଅନୁଗୁଳ ୩୨, ଭଦ୍ରକ ୩୧, ମୟୂରଭଞ୍ଜ ଓ ନୟାଗଡ଼ରେ ୨୫ ଲେଖାଏଁ ଓ ଷ୍ଟେଟ୍‌ ପୁଲରୁ ୫୧ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୧୨ଟି ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୮୭ହଜାର ୯୫୬କୁ ବୃଦ୍ଧି କରାଯାଇଛି।

ଆଉ ୬୬ଜଣ କରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ଖୋର୍ଧାରୁ ୨୯, କଟକ ୧୩, ସମ୍ବଲପୁର ୮, ବରଗଡ଼ ୭, ବଲାଙ୍ଗୀର ୩, ନୂଆପଡ଼ା ୨, ଝାରସୁଗୁଡ଼ା, କଳାହାଣ୍ଡି, ସୋନପୁର ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୫୦୧କୁ ବୃଦ୍ଧି ପାଇଛି। ରାଜ୍ୟରେ କେସ୍ ଫାଟାଲିଟି ରେଟ୍ ବା ସିଏଫ୍‌ଆର୍‌ ୦.୬୫ ପ୍ରତିଶତ ରହିଛି। ବଳକା ମୃତ୍ୟୁ ପାଇଁ ରାଜ୍ୟରେ ସିଏଫ୍‌ଆର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଆଜି ୧୪୫୭ କରୋନା ରୋଗୀ ସୁସ୍ଥ ହୋଇଥିବା ସଂପର୍କରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ୧୦,୦୨୯ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଖସି ଆସିଛି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୭୧ହଜାର ୩୯୧କୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ଚିକିତ୍ସାଧୀନ ରୋଗୀ ଅଛନ୍ତି।

The post ୪ମାସ ପରେ ମିଳିଲା ଆଶ୍ବସ୍ତି, ହଜାରେ ତଳକୁ ‌ଖସିଲା ସଂକ୍ରମଣ first appeared on Sambad.

from କରୋନା | Sambad https://ift.tt/3lKvr2U

Post a Comment

0 Comments