
ନୂଆଦିଲ୍ଲୀ: ଚଳିତ ମାସରେ ଭାରତରେ କୋଭିଡ୍-୧୯ ସଂକ୍ରମଣ ପୁନର୍ବାର ବଢ଼ି ଅକ୍ଟୋବର ମାସରେ ଚରମସୀମାରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ଗବେଷକମାନେ କହିଛନ୍ତି। ତୃତୀୟ ପ୍ରବାହ ବୋଲି କୁହାଯାଉଥିବା ଏହି ସଂକ୍ରମଣରେ ଦୈନିକ ୧୦୦,୦୦୦ରୁ ୧୫୦,୦୦୦ ପର୍ଯ୍ୟନ୍ତ ଜନତା ସଂକ୍ରମିତ ହୋଇପାରନ୍ତି ବୋଲି ଯଥାକ୍ରମେ ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି’- ହାଇଦ୍ରାବାଦର ମତୁକୁମଲ୍ଲି ବିଦ୍ୟାସାଗର ଏବଂ କାନପୁରର ମନୀନ୍ଦ୍ର ଅଗ୍ରୱାଲ୍ଙ୍କ ନେତୃତ୍ବରେ ହୋଇଥିବା ଗବେଷଣାକୁ ଆଧାର କରି ‘ବ୍ଲୁମ୍ବର୍ଗ’ ଏହି ରିପୋର୍ଟ କରିଛି।
‘ବ୍ଲୁମ୍ବର୍ଗ’କୁ ବିଦ୍ୟାସାଗର କରିଥିବା ଇ-ମେଲ୍ ରେ ଉଲ୍ଲେଖ ଅଛି ଯେ, ଅଧିକ କୋଭିଡ୍-୧୯ ବ୍ୟାପିଥିବା କେରଳ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ଦେଶର ସାମ୍ପ୍ରତିକ ମହାମାରୀ ଚିତ୍ରପଟ୍ଟ ବଦଳାଇ ଦେଇପାରେ।
ଭାରତରେ ତୃତୀୟ ପ୍ରବାହ ଦୈନିକ ୪୦୦୦୦୦ରୁ ଅଧିକ ସଂକ୍ରମଣ ମାମଲା ରିପୋର୍ଟ ହେଉଥିବା କୋଭିଡ୍-୧୯ ମହାମାରୀର ଦ୍ବିତୀୟ ପ୍ରବାହ ପରି ହୋଇ ନ ପାରେ। ଏବର୍ଷ ପ୍ରାରମ୍ଭରେ ଆରମ୍ଭ ହୋଇଥିବା ଦ୍ବିତୀୟ ପ୍ରବାହକୁ ଭିତ୍ତିକରି ହୋଇଥିବା ଗୋଟାଏ ଗାଣିତିକ ମଡେଲ୍କୁ ଆଧାର କରି ଗବେଷକମାନେ ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି।
ମେ ମାସରେ ବିଦ୍ୟାସାଗର କହିଥିଲେ ଯେ, ଏହି ଗାଣିତକ ମଡେଲ୍ ଅନୁସାରେ ଆଗାମୀ ଦିନମାନଙ୍କରେ ଭାରତରେ କରୋନାଭାଇରସ୍ ଚରମସୀମା ସ୍ପର୍ଶ କରିପାରେ। ‘ବ୍ଲୁମ୍ବର୍ଗ’କୁ କରିଥିବା ଇ-ମେଲ୍ରେ ବିଦ୍ୟାସାଗର କହିଛନ୍ତି ଯେ, ଅଳ୍ପ କେତେ ଦିନ ଭିତରେ ସଂକ୍ରମଣ ଚରମସୀମା ଛୁଇଁବାର ସମ୍ଭାବନା ଥିବା କଥା ଆମେ କହୁଛୁ। ସାମ୍ପ୍ରତିକ ଚିତ୍ରପଟ୍ଟ ଅନୁସାରେ ଜୁନ୍ ମାସ ଶେଷ ସୁଦ୍ଧା ଦୈନିକ ୨୦ ହଜାର ସଂକ୍ରମଣ ମାମଲା ରିପୋର୍ଟ ହୋଇପାରେ। ଆବଶ୍ୟକ ସ୍ଥଳେ ଆମେ ଏହି ତଥ୍ୟାବଳୀ ସଂଶୋଧନ କରିବୁ।
କିନ୍ତୁ, ଏପ୍ରିଲ୍ ମାସରେ ବିଦ୍ୟାସାଗରଙ୍କ ଗବେଷକ ଦଳ କରିଥିବା ପୂର୍ବାନୁମାନ ମିଥ୍ୟା ହୋଇଥିଲା। ଗତମାସ ଶେଷରେ ସଂକ୍ରମଣ ଚରମସୀମାରେ ପହଞ୍ଚିବ ବୋଲି ସେମାନେ କହିଥିଲେ ସୁଦ୍ଧା ତାହା ହୋଇ ନ ଥିଲା। ଏହାର ସ୍ପଷ୍ଟିକରଣ ଦେବାକୁ ଯାଇ ସେ ଟୁଇଟ୍ କରିଥିଲେ ଯେ, ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ମହାମାରୀ ଦ୍ରୁତବେଗରେ ଏବଂ ଅନିୟନ୍ତ୍ରିତ ଭାବେ ପରିବର୍ତ୍ତିତ ହେଉଥିବାରୁ ସେମାନଙ୍କ ଆକଳନ ତ୍ରୁଟିପୂର୍ଣ୍ଣ ସାବ୍ୟସ୍ତ ହୋଇଛି।
ଏହା ବ୍ୟତିରେକେ, ମେ ୩ ରୁ ୫ ମଧ୍ୟରେ ସଂକ୍ରମଣ ଚରମସୀମା ସ୍ପର୍ଶ କରିବ ବୋଲି ସେ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ କହିଥିଲା ବେଳେ ମେ ୭ ତାରିଖରେ ଚରମସୀମା ସ୍ପର୍ଶ କରିବ ବୋଲି ‘ଇଣ୍ଡିଆ ଟୁଡେ’କୁ କହିଥିଲେ।
The post ଏମାସରେ ଭାରତରେ କୋଭିଡ୍ ତୃତୀୟ ପ୍ରବାହ ସମ୍ଭାବନା, ଅକ୍ଟୋବରରେ ଛୁଇଁପାରେ ଚରମସୀମା: ରିପୋର୍ଟ first appeared on Sambad.from କରୋନା | Sambad https://ift.tt/3C6hpOL
0 Comments