
ୱାସିଂଟନ: ଦ୍ରୁତ ସଂକ୍ରମଣଶୀଳ ଡେଲ୍ଟା ପ୍ରଜାତି ପାଇଁ କୋଭିଡ୍-୧୯ ବିରୋଧରେ ଆମର ରଣନୀତିକୁ ବଦଳାଇବା ଦରକାର ବୋଲି ଆମେରିକା ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ୍ (ସିଡିସି) କହିବା ସହ ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ବାଧ୍ୟତାମୂଳକ ଟିକାକରଣ ଏବଂ ସମସ୍ତେ ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ବ ପ୍ରଦାନ କରିଛି।
ସିଡିସିର ଏକ ଆଭ୍ୟନ୍ତରୀଣ ଡକୁମେଣ୍ଟ ଅନୁସାରେ, ଏହି ପ୍ରଜାତି ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା ଏବଂ ବର୍ତ୍ତମାନ ସାରା ପୃଥିବୀରେ ବ୍ୟାପିଗଲାଣି। ଏହା ହାଡ଼ଫୁଟି ଭଳି ସଂକ୍ରାମକ ଏବଂ ସାଧାରଣ ଥଣ୍ଡାସର୍ଦ୍ଦିଠାରୁ ବହୁ ଅଧିକ ସଂକ୍ରାମକ। ଏହା ଟିକା ନେଇଥିବା ଲୋକଙ୍କୁ ବି ହୋଇପାରେ ଏବଂ କୋଭିଡ୍ର ପୁରୁଣା ଷ୍ଟ୍ରେନ୍ ଅପେକ୍ଷା ଏହା ଅଧିକ ମାରାତ୍ମକ। ଲୋକମାନେ ଏହି ନୂଆ ଭାରିଆଣ୍ଟର ବିପଦକୁ ଭଲଭାବେ ବୁଝିବା ଆବଶ୍ୟକ। ସଂକ୍ରମିତ ହେଲେ ଯେଉଁମାନେ ଟିକା ନେଇ ନାହାନ୍ତି, ସେମାନେ ଟିକା ନେଇଥିବା ଲୋକଙ୍କ ତୁଳନାରେ ୧୦ ଗୁଣା ଅଧିକ ଗୁରୁତର ହେବାର ବା ମୃତ୍ୟୁବରଣ କରିବାର ଭୟ ରହିଛି।
ଏଥିରେ ସ୍ବାସ୍ଥ୍ୟ ବିଭାଗରେ କାମ କରୁଥିବା ସବୁ ଲୋକଙ୍କ ଟିକାକରଣକୁ ବାଧ୍ୟତାମୂଳକ କରିବା ଏବଂ ସମସ୍ତେ ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଯେଉଁମାନେ ଟିକା ନେଇଛନ୍ତି, ସେମାନଙ୍କର ସଂକ୍ରମିତ ହେବାର ଆଶଙ୍କା କମ୍ ଥିବାବେଳେ ଯଦି ସେମାନେ ଡେଲ୍ଟା ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୁଅନ୍ତି ତେବେ ସେମାନେ ଟିକା ନେଇ ନ ଥିବା ଲୋକଙ୍କ ପରି ଅନ୍ୟମାନଙ୍କୁ ସଂକ୍ରମିତ କରିପାରନ୍ତି। ତେଣୁ ଟିକା ନେଇଥିବା ଲୋକମାନେ ବି ଫେସ୍ ମାସ୍କ ବ୍ୟବହାର କରିବା ଉଚିତ ବୋଲି ଏଥିରେ କୁହାଯାଇଛି।
The post ଡେଲ୍ଟା ପ୍ରଜାତି ନେଇ ସିଡିସିର ସତର୍କଘଣ୍ଟି first appeared on Sambad.from କରୋନା | Sambad https://ift.tt/3CeObNZ
0 Comments