ବିଶ୍ବବ୍ୟାପୀ ସଂକ୍ରମଣ ବଢ଼ୁଛି: କେନ୍ଦ୍ରର ଉଦ୍‌ବେଗ, ତୃତୀୟ ଲହର ଚେତାବନୀକୁ ଲୋକ ପାଣିପାଗ ଆକଳନ ଭାବୁଛନ୍ତି

ନୂଆଦିଲ୍ଲୀ: ବିଶ୍ବରେ ବିଭିନ୍ନ ଅଂଚଳରେ ଏବେ ତୃତୀୟ ଲହର ଆରମ୍ଭ ହୋଇସାରିଛି। ୟୁରୋପ, ଆମେରିକା ଏବଂ ଆଫ୍ରିକୀୟ ଦେଶଗୁଡ଼ିକରେ ସଂକ୍ରମଣ ବଢ଼ୁଛି। ‌ ବିଶ୍ବରେ ଦୈନିକ ନୂଆ ସଂକ୍ରମଣ ମାମଲା ପ୍ରାୟ ୩.୯ ଲକ୍ଷ ରହୁଛି। ଭାରତରେ ମଧ୍ୟ ତୃତୀୟ ଲହର ଲକ୍ଷଣ ଦେଖିବାକୁ ମିଳିଥିବାରୁ ଆମକୁ ଏକାଠି କାମ କରିବାକୁ ପଡ଼ିବ ବୋଲି ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡାକ୍ତର ଭି.କେ. ପଲ୍‌ କହିଛନ୍ତି। ବିଶ୍ବରେ ମୋଟ୍‌ ସଂକ୍ରମଣ ମାମଲା ୧୮୮,୨୯୯,୩୮୭ ଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ୪୦,୫୮,୬୩୯ ରହିଛି। ଆମେରିକାରେ ସର୍ବାଧିକ ୩୪,୭୬୬,୭୪୪ ସଂକ୍ରମଣ ମାମଲା ଥିବା ବେଳେ ମୋଟ୍‌ ୬୨୩,୦୩୮ ଜଣ କରୋନାରେ ପ୍ରାଣ ହାରିଛନ୍ତି। ଗତ କିଛି ଦିନ ଧରି ରୁଷ୍‌, ଫ୍ରାନ୍ସ ଏବଂ ବ୍ରିଟେନ୍‌ରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ବ୍ରିଟେନ୍‌ରେ ଡେଲ୍‌ଟା ପ୍ରଜାତି ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି।

ଖୁବ୍‌ଶୀଘ୍ର ବ୍ରିଟେନ୍‌ରେ ଚତୁର୍ଥ ଲହର ଆସିଯିବ ବୋଲି କୁହାଯାଉଛି। ବ୍ରିଟେନ୍‌ରେ ମୋଟ୍‌ ସଂକ୍ରମଣ ମାମଲା ୫,୧୯୧,୪୫୯ ଏବଂ ମୃତ୍ୟୁ ୧୨୮,୪୮୧ ରହିଛି। ଅନ୍ୟପକ୍ଷେ ରୁଷ୍‌ରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫,୮୩୩,୧୭୫ ଏବଂ ମୃତ୍ୟୁସଂଖ୍ୟା ୧୪୪,୪୯୨ରେ ପହଞ୍ଚିଛି। ଦେଶରେ କରୋନା ନିୟମାବଳିର ଯେଭଳି ବ୍ୟାପକ ଉଲ୍ଲଂଘନ ହେଉଛି ତାହାକୁ ଅତ୍ୟନ୍ତ ଗମ୍ଭୀରତାର ସହ‌ ନେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ତୃତୀୟ ଲହର ନେଇ ଯେଉଁ ଚେତାବନୀ ଦିଆଯାଇଛି ଲୋକମାନେ ତାକୁ ଅତି ସାଧାରଣ ଭାବୁଛନ୍ତି।

ସେମାନେ ଏହାକୁ ପାଣିପାଗ ଆକଳନ ବୋଲି ଭାବୁଛନ୍ତି ଏବଂ ଏ‌ହାକୁ ଆଦୌ ଗମ୍ଭୀରତାର ସହ ନେଉନାହାନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ସଂକ୍ରମଣ ବଢ଼ୁଥିଲେ ସୁଦ୍ଧା ବିଭିନ୍ନ ରାଜ୍ୟମାନଙ୍କରେ ପର୍ଯ୍ୟଟକମାନେ ଭିଡ଼ ଜମାଇବା ଏବଂ ବଜାରମାନଙ୍କରେ ବିନା ମାସ୍କରେ ବୁଲିବା ଘଟଣାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଛନ୍ତି, ଦେଶରେ ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ନୂଆ ସଂକ୍ରମଣ ମାମଲାର ପ୍ରାୟ ୭୩.୪ ପ୍ରତିଶତ ରହିଛି। ସଂକ୍ରମଣ ବଢ଼ୁଥିବାରୁ ମହାରାଷ୍ଟ୍ର, ଛତିଶଗଡ଼, ଆସାମ ସମେତ ୧୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍‌ ମୁତୟନ ହୋଇଛନ୍ତି ବୋଲି ସେ କହିଛନ୍ତି।

ଅଗ୍ରୱାଲ୍‌ କହିଛନ୍ତି, ଲୋକେ ତୃତୀୟ ଲହର ସଂକ୍ରାନ୍ତରେ କଥା ହେବା ସମୟରେ ଏହାକୁ ଅତି ସାଧାରଣ ଭାବୁଛନ୍ତି। ସେମାନେ ତୃତୀୟ ଲହର ଚେତାବନୀକୁ ପାଣିପାଗ ଆକଳନ ବୋଲି ଭାବୁଛନ୍ତି। ଏହାର ଜଟିଳତାକୁ ଲୋକ ବୁଝିପାରୁନାହାନ୍ତି। ଦେଶରେ କିଛି ରାଜ୍ୟରେ ସଂକ୍ରମଣ ପୁଣି ବଢ଼ିଛି। ମଣିପୁର, ମିଜୋରାମ, ତ୍ରିପୁରା , ଅରୁଣାଚଳପ୍ରଦେଶ ପରି ରାଜ୍ୟମାନଙ୍କରେ ସଂକ୍ରମଣ ବଢ଼ିଛି। ନିତି ଆୟୋଗ ସଦସ୍ୟ ଡାକ୍ତର ପଲ୍‌ କହିଛନ୍ତି, ବିଶ୍ବ ତୃତୀୟ ଲହର ସହ ଲଢ଼ୁଥିବାରୁ ଭାରତ ଏବେ ସତର୍କତାର ସହ ଆଗକୁ ବଢ଼ୁଛି। କୋଭିଡ୍‌ ସଂକ୍ରମଣକୁ ରୋକିବା ପାଇଁ ନିୟମ ମାନିବା ଅତି ଜରୁରୀ ବୋଲି ସେ କହିଛନ୍ତି।

The post ବିଶ୍ବବ୍ୟାପୀ ସଂକ୍ରମଣ ବଢ଼ୁଛି: କେନ୍ଦ୍ରର ଉଦ୍‌ବେଗ, ତୃତୀୟ ଲହର ଚେତାବନୀକୁ ଲୋକ ପାଣିପାଗ ଆକଳନ ଭାବୁଛନ୍ତି first appeared on Sambad.

from କରୋନା | Sambad https://ift.tt/3km7HS9

Post a Comment

0 Comments