
କଟକ : କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ପ୍ରସଂଗରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଦାଖଲ ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପ୍ରସଂଗରେ ସାନି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଜି ନିର୍ଦ୍ଦେଶ ଦେଇଛନ୍ତି। କରୋନା ଜନିତ ମୃତ୍ୟୁ ସଂଖ୍ୟା ସଂକ୍ରାନ୍ତରେ ସବିଶେଷ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ହାଇକୋର୍ଟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୭କୁ ଧାର୍ଯ୍ୟ କରାଯାଇଥିବାବେଳେ ଏହାପୂର୍ବରୁ ଏ ସଂପର୍କିତ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ସୋହନ ମିଶ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜୁଲାଇ ୨୦ରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ପ୍ରସଂଗରେ ହାଇକୋର୍ଟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟପାଠ ଦାଖଲ କରିଥିଲେ। ସତ୍ୟପାଠ ସହିତି ସବୁ ଜିଲ୍ଲାରେ ଯାଞ୍ଚ ପରର କରୋନା ଜନିତ ମୃତ୍ୟୁ ସଂଖ୍ୟା (ଅଡିଟେଡ୍ ଡେଥ୍ ପୋଜିସନ୍) ସଂକ୍ରାନ୍ତରେ ତଥ୍ୟ ଦାଖଲ କରାଯାଇଥିଲା। ଜୁଲାଇ ୧୫ ତାରିଖ ସୁଦ୍ଧା ୪ ହଜାର ୯୨୫ଜଣ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଦୁଇ ପୃଷ୍ଠାର ସତ୍ୟପାଠ ସହିତ ଗୋଟିଏ ପୃଷ୍ଠାର କରୋନା ଜନିତ ମୃତ୍ୟୁ ସଂଖ୍ୟା ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଥିଲା। କିନ୍ତୁ ଏପରି ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିବା ସହିତ ସାନି ସତ୍ୟପାଠ ଦେବାକୁ କହିଛନ୍ତି।
କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରାଯାଉ ନଥିବା ଅଭିଯୋଗ କରି ଆଇନଜୀବୀ ନିଶିକାନ୍ତ ମିଶ୍ର ଦାୟର କରିଥିବା ଜନସ୍ବାର୍ଥ ଆବେଦନକୁ ଜୁନ୍ ୨୩ରେ ହାଇକୋର୍ଟ ପିଆଇଏଲ୍ ରୁଲ୍ସ ପାଳନ କରାଯାଇ ନଥିବାରୁ ହାଇକୋର୍ଟ ଖାରଜ କରିଥିଲେ। କିନ୍ତୁ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରାଯାଉ ନଥିବା ଅଭିଯୋଗ ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି କରୋନା ସଂକ୍ରମଣ ସ୍ଥିତି ଓ ଟିକାକରଣ ସଂପର୍କିତ ବିଚାରାଧୀନ ଥିବା ଆଇନଜୀବୀ ସୋହନ ମିଶ୍ରଙ୍କ ତରଫରୁ ଦାୟର ଜନସ୍ବାର୍ଥ ଆବେଦନ ସହିତ ଏହି ପ୍ରସଂଗ ଉପରେ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ଜିଲ୍ଲାରେ କରୋନା ସଂକ୍ରମଣ ମୃତ୍ୟୁର କ’ଣ ସ୍ଥିତି ରହିଛି, ସେ ନେଇ ସବିଶେଷ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୋହନ ମିଶ୍ରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରୀ ମାମଲା ପରିଚାଳନା କରୁଛନ୍ତି।
The post କରୋନା ମୃତ୍ୟୁ ସଂଖ୍ୟା ପ୍ରସଂଗ: ସ୍ବାସ୍ଥ୍ୟ ସଚିବଙ୍କ ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୁଷ୍ଟ, ସାନି ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ first appeared on Sambad.from କରୋନା | Sambad https://ift.tt/3i8Mdq4
0 Comments