
ନୂଆଦିଲ୍ଲୀ: କରୋନା ଭୂତାଣୁର ରୂପାନ୍ତରିତ ପ୍ରଜାତି ଡେଲ୍ଟା ( ବି ୧.୬୧୭.୨) ବିରୋଧରେ ଟିକା ଯେ ସଂପୂର୍ଣ୍ଣ ଫଳପ୍ରଦ ତାହା କୁହାଯାଇ ପାରିବ ନାହିଁ। ସିରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରସ୍ତୁତ କୋଭିସିଲ୍ଡ ଟିକାର ଗୋଟିଏ ଡୋଜ୍ ନେଇଥିବା ବ୍ୟକ୍ତିଙ୍କ ଠାରେ ଡେଲ୍ଟା ପ୍ରଜାତି ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ଯେଉଁ ଆଣ୍ଟିବଡି ବିକାଶ ହେବାର କଥା ତାହା ୫୮.୧ ପ୍ରତିଶତ ନମୁନାରେ ଦେଖିବାକୁ ମିଳିନାହିଁ। ସେହିଭଳି ଦୁଇ ଡୋଜ୍ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୬.୧ ପ୍ରତିଶତଙ୍କ କ୍ଷେତ୍ରରେ ମଧ୍ୟ ଡେଲ୍ଟା ପ୍ରଜାତିରୁ ସୁରକ୍ଷା ଦେବାଲାଗି ଆବଶ୍ୟକ ଆଣ୍ଟିବଡି ସୃଷ୍ଟି ହୋଇନାହିଁ ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି।
ତେବେ ଏହି ଅନୁଧ୍ୟାନକୁ ଆଇସିଏମ୍ଆର୍ର ବିଶେଷଜ୍ଞମାନେ ବର୍ତ୍ତମାନ ସୁଦ୍ଧା ପରୀକ୍ଷାନିରୀକ୍ଷା କରିନାହାନ୍ତି। ସୁରକ୍ଷା ଦେବାଲାଗି ଯେତିକି ଆଣ୍ଟିବଡି ଆବଶ୍ୟକ ତାହାର ମାତ୍ରା କମ୍ ଥିବାରୁ ତାହା ଚିହ୍ନଟ ହୋଇପାରି ନାହିଁ। କିନ୍ତୁ ଏହା ଥାଇପାରେ ଏବଂ ସଂକ୍ରମଣରୁ ଏବଂ ରୋଗର ଭୟାବହତାରୁ ଏହା ସୁରକ୍ଷା ଦେଇପାରେ ବୋଲି ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗର ପୂର୍ବତନ ମୁଖ୍ୟ ଡାକ୍ତର ଟି ଜାକବ ଜନ୍ କହିଛନ୍ତି। ଯେଉଁ ଆଣ୍ଟିବଡି ମୁଖ୍ୟତଃ ସାର୍ସ-କୋଭ୍-୨କୁ ଟାର୍ଗେଟ କରିଥାଏ ଏବଂ ମାରିଥାଏ ବା ମଣିଷ କୋଷ ଭିତରେ ପ୍ରବେଶ କରିବାରୁ ଅଟକାଇଥାଏ ଗତବର୍ଷ ପ୍ରଥମ ଲହର ବେଳେ ଦେଖାଦେଇଥିବା ବି୧ ପ୍ରଜାତି ତୁଳନାରେ ଡେଲ୍ଟା ପ୍ରଜାତି କ୍ଷେତ୍ରରେ କମ୍ ରହୁଛି। ଗୋଟିଏ ଡୋଜ୍ ଟିକା ନେଇଥିଲେ ବି୧ ପ୍ରଜାତି ତୁଳନାରେ ଡେଲଟା ପ୍ରଜାତି କ୍ଷେତ୍ରରେ ବ୍ୟକ୍ତିକୁ ସୁରକ୍ଷା ଦେବା ପାଇଁ ୭୮ ପ୍ରତିଶତ କମ୍ ଆଣ୍ଟିବଡି ରହୁଛି। ଦୁଇ ଡୋଜ୍ ଟିକା ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ ୬୯ ପ୍ରତିଶତ ଏବଂ ଯେଉଁମାନେ ସଂକ୍ରମିତ ହୋଇ ଗୋଟିଏ ଡୋଜ୍ ଟିକା ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ ୬୬ ପ୍ରତିଶତ ଏବଂ ସଂକ୍ରମିତ ହୋଇ ଦୁଇ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ୩୮ ପ୍ରତିଶତ ଆଣ୍ଟିବଡି ରହୁଛି।
The post ଟିକା ପରେ ବି ୧୬%ଙ୍କଠାରେ ଆଣ୍ଟିବଡି ନାହିଁ first appeared on Sambad.from କରୋନା | Sambad https://ift.tt/36ebit6
0 Comments