
ଭୁବନେଶ୍ବର : ରାଜ୍ୟରେ କରୋନାର ଦ୍ବିତୀୟ ଲହର ଲମ୍ବି ଚାଲିଛି। ଲକ୍ଡାଉନ୍, ସଟ୍ଡାଉନ୍ ସତ୍ତ୍ବେ ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ରାଜ୍ୟ ସମେତ ଦେଶରେ ସଂକ୍ରମଣ ସ୍ଥିତି ସଂଗିନ ହେବା ପଛରେ ଘାତକ ଡେଲ୍ଟା (ବି.୧.୬୧୭.୨) ଭାରିଏଣ୍ଟ ରହିଥିବା କୁହାଯାଉଛି। ଡେଲ୍ଟା ଯୋଗୁଁ ରାଜ୍ୟରେ ପଜିଟିଭ୍ ସଂଖ୍ୟା ବଢ଼ିଥିଲା ଏବଂ ଏବେ ବି ଡେଲ୍ଟା ଭାରିଏଣ୍ଟ ସକ୍ରିୟ ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଏ ପର୍ଯ୍ୟନ୍ତ ରାଜ୍ୟରେ ୩ହଜାର ନମୁନାର ଜିନ୍ ଅନୁଶୀଳନ ହୋଇଥିବା ବେଳେ ଏଥରେ ୯୨ରୁ ୯୩ ପ୍ରତିଶତ ଡେଲ୍ଟା ଭାରିଏଣ୍ଟ ଦେଖିବାକୁ ମିଳିଛି।
ସେହିପରି ଦେଶରେ ୬୫ହଜାର ଜିନ୍ ଅନୁଶୀଳନରେ ୯୬ ପ୍ରତିଶତ ଲୋକ ଡେଲ୍ଟା ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ନଜରକୁ ଆସିଛି। ଏହି ଅନୁଶୀଳନରୁ ଭୂତାଣରୁ ଅନ୍ୟ ପରିବର୍ତିତ ରୂପ ବା ମ୍ୟୁଟେସନ୍ ଦେଖିବାକୁ ମିଳିନାହିଁ। ତେଣୁ ଜିନ୍ ଅନୁଶୀଳନକୁ ଆହୁରି ବଢ଼ାଇବାକୁ ଯୋଜନା ହୋଇଛି। ଯାହାଫଳରେ ରାଜ୍ୟରେ କେଉଁ ଭାରିଏଣ୍ଟ ଅଧିକ ସକ୍ରିୟ ରହିଛି ତାହା ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦେଶକ ଡା. ଅଜୟ ପରିଡ଼ା।
ଡା.ପରିଡ଼ା ଆହୁରି କହିଛନ୍ତି ଯେ ପୂର୍ବରୁ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ୧୫ଦିନରେ ନେଗେଟିଭ୍ ରିପୋର୍ଟ ଆସୁଥିଲା। କିନ୍ତୁ ଏବେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ଶରରରେ ୩ରୁ ୪ ସପ୍ତାହ ପର୍ଯ୍ୟନ୍ତ ଭୂତାଣୁ ସକ୍ରିୟ ରହୁଛି। ନିକଟରେ ଆଇସିଏମ୍ଆର ପକ୍ଷରୁ ଦୁଇ ଡୋଜ୍ ଟିକା ନେବାର ୧୪ଦିନ ପରେ ହେଉଥିବା ସଂକ୍ରମଣ(ବ୍ରେକ୍ ଥ୍ରୁ) ଉପରେ ଏକ ଗବେଷଣା ସନ୍ଦର୍ଭ ପ୍ରକାଶ ପାଇଛି। ଏଥିରେ ୮୭ ପ୍ରତିଶତ ଡେଲ୍ଟା ଭାରିଏଣ୍ଟ ଦ୍ବାରା ସଂକ୍ରମିତ ହୋଇଥିବା ନଜରକୁ ଆସିଛି। ସେହିପରି ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୮୫ ପ୍ରତିଶତ ଲୋକଙ୍କୁ ହସ୍ପିଟାଲ ଯିବାକୁ ପଡ଼ୁନାହିଁ। ମାତ୍ର ୧ରୁ ୨ ପ୍ରତିଶତ ଲୋକ ଗୁରୁତର ହେଉଥିବା ନଜରକୁ ଆସୁଛି। ତେଣୁ ଟିକା ନେଲେ ଭୂତାଣରୁ ବିରୋଧରେ ସୁରକ୍ଷା ମିଳୁଥିବା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।
The post ଦ୍ୱିତୀୟ ଲହରରେ ୯୩ ପ୍ରତିଶତ ଡେଲଟା ଭାରିଏଣ୍ଟ first appeared on Sambad.from କରୋନା | Sambad https://ift.tt/3BwM1c0
0 Comments