ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଗତ ମେ’ ୨୪ ତାରିଖରୁ ଘରକୁ ଘର ବୁଲି କରୋନା ଓ ଜଟିଳ ରୋଗର ଚିହ୍ନଟ ଅଭିଯାନ ଆରମ୍ଭ କରିଛନ୍ତି। ଏହି ବଡ଼ ଅଭିଯାନ ଅଗଷ୍ଟ ମାସ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ମାସ (ମେ’ ୨୪ରୁ ଜୁନ୍ ୨୨ ତାରିଖ)ରେ ଏହି ସର୍ବେକ୍ଷଣରେ ୧ଲକ୍ଷ ୧୫ହଜାର ୧୬୨ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହି ସର୍ବେକ୍ଷଣରେ ଆଶା ଓ ଅଙ୍ଗନବାଡ଼ିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ସୂଚନା ଅନୁସାରେ, ପ୍ରଥମ ମାସ ଭିତରେ ୯୪ଲକ୍ଷ ୫୪ହଜାର ୩୦୪ ବା ୯୯.୪ ପ୍ରତିଶତ ଘର ‌ସର୍ବେକ୍ଷଣରେ ସାମିଲ ହୋଇଛି। ତହିଁରୁ ଚିହ୍ନଟ ହୋଇଥିବା ୧ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୩,୧୨୦ଜଣଙ୍କୁ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଛି। ମେ’ ଶେଷ ସପ୍ତାହ ବେଳକୁ ରାଜ୍ୟରେ ସଂକ୍ରମଣ ହ୍ରାସ ନଜରକୁ ଆସିଥିଲା। ତଥାପି ଦୈନିକ ସଂକ୍ରମଣ ସଂଖ୍ୟା ବେଶ୍ ଉଚ୍ଚ ରହିଥିଲା। ଅନେକ ଲୋକଙ୍କଠାରେ କରୋନା ଲକ୍ଷଣ ଥିଲେ ହେଁ ସେମାନେ ନିଜ ଇଚ୍ଛାରେ କରୋନା ପରୀକ୍ଷା ପାଇଁ ଆସୁ ନ ଥିବା ଦେଖାଯାଇଥିଲା। ତେବେ ଘରକୁ ଘର ବୁଲି ସର୍ବେକ୍ଷଣ ଦ୍ବାରା ସେମାନଙ୍କୁ ଚିହ୍ନଟ କରାଯିବା ସମ୍ଭବ ହୋଇପାରିଛି।

ସେହିପରି ଏହି ଅଭିଯାନରେ କରୋନା ରୋଗୀଙ୍କ ବାଦ୍ ମଧ୍ୟ ବିଭିନ୍ନ ଜଟିଳ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ୩୯,୦୭୦ଜଣ ନୂତନ ଉଚ୍ଚ ରକ୍ତଚାପ, ୨୮,୮୭୯ ମଧୁମେହ, ୫୮୪ ମ୍ୟାଲେରିଆ, ୩୬୧ କୁଷ୍ଠରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ୧୮୫୫ ସନ୍ଦିଗ୍ଧ ଯକ୍ଷ୍ମା ରୋଗୀଙ୍କ କଫ ପରୀକ୍ଷା କରାଯାଇଛି। ତେବେ ସେମାନଙ୍କ ମଧ୍ୟରେ କେତେଜଣ ଯକ୍ଷ୍ମା‌ରେ ଆକ୍ରାନ୍ତ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ସମୟ ଭିତରେ ୨୯,୮୧୯ ଡାଇରିଆ ରୋଗୀଙ୍କ ଚିକିତ୍ସା କରାଯାଇଛି। କର୍କଟ ରୋଗରେ ଆକ୍ରାନ୍ତ ୧୩୧୨ଜଣଙ୍କୁ କେମୋ ଓ ୩୪୪୯ଜଣଙ୍କୁ ଡାଏଲିସିସ୍ ପାଇଁ ହସ୍ପିଟାଲକୁ ସ୍ଥାନାନ୍ତରରେ ଆଶା ଓ ଅଙ୍ଗନବାଡ଼ି କର୍ମୀ ସହଯୋଗ କରିଛନ୍ତି। ଅଭିଯାନରେ ୧୩ ଲକ୍ଷରୁ ଅଧିକ ଜିଙ୍କ୍ ବଟିକା ଲୋକମାନଙ୍କୁ ବଣ୍ଟନ କରାଯାଇଛି।

ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ଏଥିପାଇଁ ମାସିକ ୧ହଜାର ଟଙ୍କା ହିସାବରେ ୩ ମାସ ପର୍ଯ୍ୟନ୍ତ ପ୍ରୋତ୍ସାହନ ଭତ୍ତା ପ୍ରଦାନ କରାଯିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଅତି କମ୍‌ରେ ୧୫ଦିନରେ ଥରେ ସେମାନେ ଘରକୁ ଘର ବୁଲି ରୋଗୀଙ୍କ ସ୍ଥିତି ସଂପର୍କରେ ଯାଞ୍ଚ କରିବେ। ଏବେ ବର୍ଷା ଋତୁ ଆରମ୍ଭ ହୋଇଥିବା ବେ‌ଳେ ଏହି ଅଭିଯାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

The post ଘରକୁ ଘର ବୁଲି କୋଭିଡ୍‌ ରୋଗୀଙ୍କୁ ଚିହ୍ନଟ ଅଭିଯାନ, ମାସକରେ ଚିହ୍ନଟ ହୋଇଛନ୍ତି ଲକ୍ଷେରୁ ଅଧିକ first appeared on Sambad.

from କରୋନା | Sambad https://ift.tt/3dI8qJ3