
ନୂଆଦିଲ୍ଲୀ: ଗୁରୁବାର ଦିନ ଜାରି ହୋଇଥିବା ସଦ୍ୟତମ ଆଦେଶନାମାରେ ପଶ୍ଚିମବଙ୍ଗ ସରକାର କିଛି କୋହଳ ସହ କୋଭିଡ୍-୧୯ କଟକଣାଗୁଡ଼ିକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି କଟକଣା ଜୁଲାଇ ୩୦ ପର୍ଯ୍ୟନ୍ତ ବଳବତ୍ତର ଥିଲା।
ଆସନ ସାମର୍ଥ୍ୟ ଠାରୁ ୫୦%ରୁ ଅଧିକଙ୍କୁ ନେଇ ଗୃହ ଅଭ୍ୟନ୍ତରରେ କୌଣସି ସରକାରୀ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ। ରାତି ୯ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ବାହାରେ ଚଳପ୍ରଚଳ କିଂବା ଯାନବାହନ ଚଳାଇ ପାରିବେ ନାହିଁ। କିନ୍ତୁ, ରାତ୍ରୀକାଳୀନ କଟକଣାରୁ ସ୍ବାସ୍ଥ୍ୟ ଓ ଜରୁରୀ ସେବା, ଆଇନଶୃଙ୍ଖଳା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଆଦିକୁ ବାଦ ଦିଆଯାଇଛି।
ସେହିଭଳି, କେରଳରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏହି ସପ୍ତାହରୁ ସପ୍ତାହାନ୍ତ ‘ଲକ୍ଡାଉନ୍’କୁ ଆହୁରି ବୃଦ୍ଧି କରିଛନ୍ତି। ତେଣୁ, ଜୁଲାଇ ୩୧ ଓ ଅଗଷ୍ଟ ୧ ତାରିଖ ଦିନ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଜାରି କରାଯିବ।
କେନ୍ଦ୍ର ସରକାର ମଧ୍ୟ କେରଳକୁ ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍’ରୁ ୬ଜଣିଆ ସଦସ୍ୟବିଶିଷ୍ଟ ଟିମ୍ ପଠାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। କେରଳର ମାଲପ୍ପୁରମ୍, ତ୍ରିଷୁର, କୋଝିକୋଡ଼, ଏର୍ଣ୍ଣାକୁଲମ୍, ପଲକଡ଼, କୋଲାମ, ଆଲାପ୍ପୁଝା, କନ୍ନୌର୍, ତିରୁବନନ୍ତପୁରମ୍ ଏବଂ କୋଟ୍ଟାୟାମ୍ ଆଦି ଜିଲ୍ଲାଗୁଡ଼ିକରେ ଅଧିକ କୋଭିଡ୍ ସଂକ୍ରମଣ ପ୍ରକୋପ ଦେଖାଯାଉଛି।
The post ପଶ୍ଚିମବଙ୍ଗରେ ଅଗଷ୍ଟ ୧୫ ଯାଏଁ ବଢ଼ିଲା କୋଭିଡ୍ କଟକଣା; କେରଳରେ ସମ୍ପୂର୍ଣ୍ଣ ସପ୍ତାହାନ୍ତ ‘ଲକ୍ଡାଉନ୍’ first appeared on Sambad.from କରୋନା | Sambad https://ift.tt/3zQblI7
0 Comments