
ନୂଆଦିଲ୍ଲୀ: ଦେଶରେ ୧୦ଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ହୋଇଛି। କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଓଡ଼ିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ମଣିପୁରରେ ସଂକ୍ରମଣ ବଢ଼ୁଥିବାରୁ ଏହି ୧୦ଟି ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଦେଶର ୪୬ ଜିଲ୍ଲାରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ଗତ କିଛି ସପ୍ତାହ ଧରି ଯେଉଁ ଜିଲ୍ଲା ଗୁଡ଼ିକରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ଅଧିକ ରହିଛି ସେଠାରେ କୋଭିଡ୍ କଟକଣା ବୃଦ୍ଧି କରିବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଭୂଷଣ କହିଛନ୍ତି, କୌଣସି ପ୍ରକାର ଅବହେଳା କଲେ ସ୍ଥିତି ଆଗକୁ ଆହୁରି ବିଗିଡ଼ି ଯାଇପାରେ। ତେଣୁ ଏନେଇ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ।
ଆଜିର ବୈଠକରେ ଆଇସିଏମ୍ଆର ଡାକ୍ତର ବଳରାମ ଭାର୍ଗବ ଉପସ୍ଥିତ ଥିଲେ। ଡାକ୍ତର ଭାର୍ଗବ କହିଛନ୍ତି, ଦେଶରେ ଦୈନିକ ସଂକ୍ରମଣ ୪୦ ହଜାର ରହିବା କୌଣସି ଆତ୍ମସନ୍ତୁଷ୍ଟିର କାରଣ ହେବା ଉଚିତ ନୁହେଁ। ଦେଶରେ ପ୍ରାୟ ୪୬ ଜିଲ୍ଲାରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ଅଧିକ ରହୁଛି ଏବଂ ୫୩ ଜିଲ୍ଲା ବିପଦ ଆଡ଼କୁ ମୁହାଁଉଛନ୍ତି। ୫୩ଟି ଜିଲ୍ଲାରେ ପଜିଟିଭ୍ ହାର ୫ରୁ ୧୦ ପ୍ରତିଶତ ରହୁଛି। ତେଣୁ ଏହାର ମୁକାବିଲା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। କରୋନା ନିୟନ୍ତ୍ରଣ ପାଇଁ ସରକାର ଏକ ୪ ସୂତ୍ରୀ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଉଚ୍ଚ ସଂକ୍ରମଣ ରହୁଥିବା ସ୍ଥାନ ତଥା ଅବରୋଧ ଅଞ୍ଚଳ ଏବଂ କ୍ଲଷ୍ଟର୍ରେ କଡ଼ା ନିରୀକ୍ଷଣ ବ୍ୟବସ୍ଥା ସହ ମାମଲାଗୁଡ଼ିକର କଣ୍ଟାକ୍ଟ ଟ୍ରେସିଂ କରିବା ପାଇଁ କେନ୍ଦ୍ର ସରକାର କହିଛନ୍ତି। ଶିଶୁ ସ୍ବାସ୍ଥ୍ୟସେବା ଉପରେ ଫୋକସ୍ କରି ଗ୍ରାମୀଣ ଅଞ୍ଚଳରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ସହ ଆଇସିଏମ୍ଆର ନିର୍ଦ୍ଦେଶାବଳି ଅନୁଯାୟୀ ମୃତ୍ୟୁ ରିପୋର୍ଟ କରିବାକୁ କୁହାଯାଇଛି। ଉପରୋକ୍ତ ୧୦ ରାଜ୍ୟକୁ କୌଣସି ଆବଶ୍ୟକ ନଥିଲେ ଯାତ୍ରା ନକରିବାପାଇଁ ଏବଂ ଅଯଥା ଭିଡ଼ ନକରିବାପାଇଁ ଲୋକଙ୍କୁ ପରାମର୍ଶ ଦେବାକୁ କୁହାଯାଇଛି।
ସଂକ୍ରମଣ ବଢ଼ୁଥିବା ରାଜ୍ୟମାନେ ଟେଷ୍ଟିଂ ବଢ଼ାଇବାପାଇଁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଉପରୋକ୍ତ ୧୦ ରାଜ୍ୟରେ ୮୦ ପ୍ରତିଶତରୁ ଅଧିକ ସକ୍ରିୟ ମାମଲା ଥିବାବେଳେ ଅଧିକାଂଶ ରୋଗୀ ହୋମ୍ ଆଇସୋଲେସନ୍ରେ ଅଛନ୍ତି। ରାଜ୍ୟମାନେ ନିଜସ୍ବ ଭାବେ ସେରୋ ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୬୦ ରୁ ଊର୍ଦ୍ଧ୍ବ ଏବଂ ୪୫ରୁ ୬୦ ବର୍ଷ ମଧ୍ୟରେ ଟିକାକରଣ ବୃଦ୍ଧି କରିବାପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
The post ୧୦ ରାଜ୍ୟରେ ସଂକ୍ରମଣ ବଢ଼ୁଛି: ସ୍ଥିତି ସମୀକ୍ଷା କଲା କେନ୍ଦ୍ର, ୪୬ ଜିଲ୍ଲାରେ ପଜିଟିଭ୍ ହାର ୧୦%ରୁ ଅଧିକ first appeared on Sambad.from କରୋନା | Sambad https://ift.tt/3fhEnso
0 Comments