ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉମାନେ ଆଜି ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି। କୋଭିଡ-କଟକଣା ପାଇଁ ସାଧାରଣ ଭକ୍ତଙ୍କୁ ପୁରୀ ମନା ହୋଇଥିବାରୁ କୋଟି କୋଟି ଭକ୍ତ ଟିଭି ମାଧ୍ୟମରେ ସୁନାବେଶ ଦେଖୁଛନ୍ତି।

ଶ୍ରୀଜିଉମାନଙ୍କର ବର୍ଷକୁ ୬ ଥର ସୁନାବେଶ ନୀତି ଅନୁଷ୍ଠିତ ହୋଇଥାଏ। ଏଥିରୁ ଗୋଟିଏ ରଥ ଉପରେ ଥରେ ସୁନାବେଶ ହେବାର ପଂରାପରା ରହିଛି। ଏହା ବାହୁଡ଼ା ଯାତ୍ରାର ପରଦିନ ଅର୍ଥାତ ଆଶାଢ଼ ଶୁକ୍ଲ ପକ୍ଷ ଏକାଦଶୀ ତିଥିରେ ଶ୍ରୀଜିଉମାନଙ୍କୁ ରଥ ଉପରେ ସୁନା ବେଶ କରାଯାଇଥାଏ। ଏତଦ୍‌ ବ୍ୟତୀତ ଶ୍ରୀଜିଉମାନଙ୍କୁ ମନ୍ଦିର ଭିତରେ ୫ ଥର ସୁନାବେଶ କରାଯାଇଥାଏ। ଦଶହରା, କୁମାରପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମାରେ ମଧ୍ୟ ମହାପ୍ରଭୁଙ୍କୁ ସୁନାବେଶ କରାଯାଏ।

ସୁନାବେଶକୁ ‘ବଡ଼ତଡ଼ାଉ’ ବେଶ ମଧ୍ୟ କହିଥାନ୍ତି। ଇତିହାସ କହିଥାଏ, ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରଥମେ ଶ୍ରୀଜିଉମାନଙ୍କୁ ସୁନାବେଶ କରାଯାଇଥିଲା। ରଥ ଉପରେ ମଧ୍ୟାହ୍ନ ଧୂପପରେ ସୁନାବେଶ ହୋଇଥାଏ। ଏହି ଦିନ ଠାକୁରଙ୍କୁ ସନ୍ଧ୍ୟା ଆଳତି ଓ ସନ୍ଧ୍ୟାଧୂପ ରଥ ଉପରେ ଅନୁଷ୍ଠିତ ହୋଇଥାଏ। ଅତୀତରେ ସର୍ବାଧିକ ୧୩୮ ପ୍ରକାର ଅଳଙ୍କାରରେ ଶ୍ରୀଜିଉମାନଙ୍କୁ ସୁନାରେ ବେଶ କରାଯାଇଥିଲା।

ପାଳିଆ ପୁଷ୍ପାଳକ ଦଇତା ଖୁଣ୍ଟିଆ ତଳୁଚ୍ଛ ସେବାୟତମାନେ ସୁନାବେଶ କରିଥାନ୍ତି। ରତ୍ନ ଭଣ୍ଡାର ଘର ଭିତରୁ ପାଳିଆ ମେକାପ ଖୁଣ୍ଟିଆ ମାଜିଷ୍ଟ୍ରେଟଙ୍କ ଦ୍ୱାରା ସୁନାବେଶ ସାମଗ୍ରୀ ଆସିଥାଏ। ଶେଷରେ ମନ୍ଦିର ସେବାୟତମାନଙ୍କ ଦ୍ୱାରା ରଥ ଉପରକୁ ବେଶ ନିଆଯାଇଥାଏ।

The post ବର୍ଷକୁ ୬ ଥର ସୁନାବେଶରେ ଦର୍ଶନ ଦିଅନ୍ତି ଶ୍ରୀଜିଉ, ରଥ ଉପରେ ଥରେ first appeared on Sambad.

from କରୋନା | Sambad https://ift.tt/3kCMiEg