
ଭୁବନେଶ୍ବର: କରୋନାର ତୃତୀୟ ଲହରକୁ ନେଇ ଅନେକ ଆକଳନ କରାଯାଉଛି। ଓଡ଼ିଶାକୁ ନିର୍ଦ୍ଦିଷ୍ଟ ଭାବେ ତୃତୀୟ ଲହର କେବେ ଆସିବ ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ତଥାପି କରୋନାର ଦ୍ବିତୀୟ ଲହର ଯେଉଁଭଳି ଭାବେ ପ୍ରଭାବ ବିସ୍ତାର କଲା, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ତେଣୁ ତୃତୀୟ ଲହର ଆସୁ କି ନ ଆସୁ ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ଲାଗି ରାଜ୍ୟ ସରକାର ଆଗୁଆ ଯୋଜନା ଆରମ୍ଭ କରିଛନ୍ତି। ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠାଠାରୁ ଆରମ୍ଭ କରି ଶିଶୁଙ୍କ ପାଇଁ ଆଇସିୟୁ ଓ ଔଷଧ ମହଜୁଦ ରଖିବା ଲାଗି ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ତୃତୀୟ ଲହର ପାଇଁ କେନ୍ଦ୍ର ସରକାର ୮ଟି ଔଷଧକୁ ମହଜୁଦ ରଖିବା ଲାଗି ଗାଇଡଲାଇନ୍ ଜାରି କରିଛନ୍ତି। ଏଥିପାଇଁ ରାଜ୍ୟ ଔଷଧ ନିଗମକ ପକ୍ଷରୁ ଏସବୁ ଔଷଧକୁ କିଣିବା ଲାଗି ପଦକ୍ଷେପ ନିଆଯାଇଛି। ଏହାସହ ନିର୍ଦ୍ଦିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁରୋଗ ଆଇସିୟୁ ସହିତ ଅକ୍ସିଜେନ୍ ଓ ୨୦-୩୦ ଶଯ୍ୟାର ବ୍ୟବସ୍ଥା କରାଯାଉଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
ଏହା ବ୍ୟତୀତ ରାଜ୍ୟ ସରକାର ଜରୁରୀକାଳନ କୋଭିଡ ରେସପନ୍ସ ପ୍ୟାକେଜ୍(ଇସିଆରପି)ରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବିତୀୟ ପର୍ଯ୍ୟାୟ ପ୍ୟାକେଜ୍ରେ ଡାଏଗ୍ନୋଷ୍ଟିକ କେନ୍ଦ୍ର , ଟେଲିମେଡିସିନ୍ ହବ୍, ଗୁରୁତର ରୋଗୀଙ୍କ ଗମନାଗମନ, କୋଭିଡ କେୟାର ସେଣ୍ଟର ସହିତ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଆଇସିୟୁ ଓ ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ୬୦:୪୦ ଅନୁପାତରେ ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର ସମୁଦାୟ ୮୬୧.୯୬ କୋଟି ଟଙ୍କା ଖର୍ଚ କରିବାକୁ ଥିବା ବେଳେ ଏଥିରେ କେନ୍ଦ୍ର ସରକାରଙ୍କ ୫୧୭.୧୮ କୋଟି ଓ ରାଜ୍ୟ ସରକାରଙ୍କ ୩୪୪.୭୮ କୋଟି ଅଂଶ ରହିଛି। ନିକଟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରତ୍ୟେକ ଜିଲ୍ଲାରେ ଏକ ଆରଟି-ପିସିଆର ଲ୍ୟାବ୍ ପ୍ରତିଷ୍ଠା କରିବା ଲାଗି ନିଷ୍ପତ୍ତି ନିଆଯାଇଛି।
ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତରଳ ମେଡିକାଲ ଅକ୍ସିଜେନ୍(ଏଲଏମ୍ଓ) ସହ ମେଡିକାଲ ଗ୍ୟାସ୍ ପାଇପଲାଇନ୍ ବ୍ୟବସ୍ଥା ଓ ଯେତିକି ଆଇସିୟୁ ଶଯ୍ୟା ସହିତ ଅତିରିକ୍ତ ଆଇସିୟୁ ଶଯ୍ୟା ମଧ୍ୟ ପ୍ରତିଷ୍ଠା କରାଯିବ। ତୃଣମୂଳସ୍ତରରେ ମଧ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବା ସିଏଚ୍ସି ସ୍ତରରେ ୨୦ଶଯ୍ୟା ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବା ପିଏଚ୍ସିରେ ୬ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟରର ମଧ୍ୟ ବ୍ୟବସ୍ଥା ରହିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇଟି ଏଏଲଏସ୍ ଆମ୍ବୁଲାନ୍ସ ଓ ଉପଖଣ୍ଡ ସ୍ତରୀୟ ଓ ବ୍ଲକ୍ ହସ୍ପିଟାଲରେ ଗୋଟିଏ ଲେଖାଏଁ ଏଏଲଏସ୍ ଆମ୍ବୁଲାନ୍ସ ରଖାଯିବ।
ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଲିମେଡିସିନ୍ ଓ କୋଭିଡ କେୟାର ସେଣ୍ଟରଗୁଡ଼ିକରେ ମଧ୍ୟ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ପୂର୍ବରୁ ରାଜ୍ୟ ସରକାର ତୃତୀୟ ଲହର ପାଇଁ ୩ହଜାର ଶଯ୍ୟା ସହିତ ୬୧୦ କ୍ରିଟିକାଲ ଶଯ୍ୟା ସଂରକ୍ଷିତ ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। ତୃତୀୟ ଲହରରେ ଶିଶୁମାନେ ଅଧିକ ମାତ୍ରରେ ପ୍ରଭାବିତ ହେବାର ଆଶଙ୍କା ରହିଥିବା କାରଣରୁ କଟକସ୍ଥିତ ଶିଶୁଭବନକୁ ଉତ୍କର୍ଷ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ଲାଗି ଉଦ୍ୟମ କରାଯାଉଛି। ଶ୍ବାସକ୍ରିୟା ଜନିତ ସହାୟତା ପାଇଁ ପ୍ରତିଷ୍ଠା ହେବାକୁ ଥିବା ସିମୁଲେସନ୍ ଲ୍ୟାବ୍ ପ୍ରତିଷ୍ଠା ପାଇଁ ଏକ୍ସପେସନ୍ ଅଫ୍ ଇଣ୍ଟରେଷ୍ଟ(ଇଓଆଇ) ମଗାଯାଇଛି।
ଏହାସହ ପିଏମ୍-କେୟାର ପାଣ୍ଠିରେ ରାଜ୍ୟରେ ୩୯ଟି ପିଏସ୍ଏ ପ୍ଲାଣ୍ଟ ପ୍ରସ୍ତୁତ ହେବାକୁ ଥିବାବେଳେ ତହିଁରୁ ଏ ପର୍ଯ୍ୟନ୍ତ ୭ଟି କାର୍ଯ୍ୟକ୍ଷମ ହୋଇପାରିଛି। ଚଳିତମାସ ଶେଷ ସୁଦ୍ଧା ଆହୁରି ୧୯ଟି ପିଏସ୍ଏ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବା ଲାଗି ଲକ୍ଷ୍ୟ ରହିଛି। ବଳକା ୧୩ଟିକୁ ସ୍ବାଧୀନତା ଦିବସ ପୂର୍ବରୁ କାର୍ଯ୍ୟକ୍ଷମ କରିବା ଲାଗି ଲକ୍ଷ୍ୟ ରହିଛି। ରାଜ୍ୟ ସରକାର ମଧ୍ୟ ଏଭଳି ୨୯ଟି ପ୍ଲାଣ୍ଟ ପ୍ରତିଷ୍ଠା କରିବା ଲାଗି ଯୋଜନା କରିଥିବା ବେଳେ ୨ଟି କାର୍ଯ୍ୟକ୍ଷମ ହୋଇପାରିଛି। ଆସନ୍ତା ସେପ୍ଟେମ୍ବର ମାସ ବେଳକୁ ବଳକା ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି।
The post ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ, ୬୦:୪୦ ଅନୁପାତରେ ଖର୍ଚ୍ଚ କରିବେ କେନ୍ଦ୍ର-ରାଜ୍ୟ first appeared on Sambad.from କରୋନା | Sambad https://ift.tt/3iagvIY
0 Comments