
ରାଉରକେଲା ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍) ପାଇଛି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସହିତ ସମାନ ମାନ୍ୟତା। କିନ୍ତୁ ଏଠାରେ କ୍ୟାପିଟାଲ ହସ୍ପିଟାଲରେ ଉପଲବ୍ଧ ସୁବିଧା ସୁଯୋଗର କାଣିଚାଏ ବି ନାହିଁ। ଗତ ୨୦୧୯ ଅକ୍ଟୋବରରେ ୫ଟି ସଚିବ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଆର୍ଜିଏଚ୍ ଗସ୍ତରେ ଆସି ବିଭିନ୍ନ ବିଭାଗ ବୁଲିଲେ। ସ୍ଥିତି ଅନୁଧ୍ୟାନ କଲେ। ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ ହସ୍ପିଟାଲର ସୁବିଧା ଅସୁବିଧା ସଂକ୍ରାନ୍ତରେ ପଚାରି ବୁଝିଲେ। ଯିବା ପରେ ‘ମୋ ସରକାର’ ପାଣ୍ଠିରୁ ରୋଗୀଙ୍କ ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁରି କଲେ। ଏହାର କିଛି ଦିନ ପରେ, ଅର୍ଥାତ୍ ୨୦୧୯ ଅକ୍ଟୋବର ୨୮ରେ ଆର୍ଜିଏଚ୍କୁ ୪୦୦ ଶଯ୍ୟା ଡାକ୍ତରଖାନା କରାଗଲା ବୋଲି ଘୋଷଣା କଲେ।
ଏ ସମ୍ପର୍କିତ ଚିଠି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆର୍ଜିଏଚ୍ ନିର୍ଦ୍ଦେଶକଙ୍କ ପାଖକୁ ଆସିଲା। କିନ୍ତୁ କିଛି ହେଲାନି। ଇତି ମଧ୍ୟରେ ଦେଢ଼ବର୍ଷ ବିତିଯାଇଛି। ଆଜି ଯାଏଁ ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାଣିଚାଏ ପଦକ୍ଷେପ ନିଆଗଲା ନାହିଁ। ଫଳରେ ଡାକ୍ତରଖାନାର ୪୦୦ ଶଯ୍ୟାର ସୁବିଧା ସୁଯୋଗ କେବଳ ଚିଠିରେ ହିଁରେ ସୀମିତ ରହିଯାଇଛି। ଆଶ୍ଚର୍ଯ୍ୟ କଥା, ସିଏମ୍ଓ ଅଫିସ୍ରୁ ଯେଉଁ ଚିଠି ଆସିଛି, ସେଥିରେ ଚିଠିର ଇସ୍ୟୁ ନମ୍ବର ନାହିଁ କି, କୌଣସି ଅଧିକାରୀଙ୍କ ଦସ୍ତଖତ ନାହିଁ। ଏଥିରୁ ସ୍ବାସ୍ଥ୍ୟ ବିଭାଗ କେମିତି ଚାଲିଛି, ଆର୍ଜିଏଚ୍କୁ ମିଳିଥିବା ଚିଠି ଏହାର ଜ୍ବଳନ୍ତ ଉଦାହରଣ। ଯଦି ସ୍ମାର୍ଟସିଟିର ସ୍ବାସ୍ଥ୍ୟ ସେବାକୁ ସରକାର ଏମିତି ଗୁରୁତ୍ବ ଦେଉଛନ୍ତି। ତା ହେଲେ ଉପାନ୍ତ ବ୍ଲକର ସ୍ବାସ୍ଥ୍ୟ ସେବା କେମିତି ଚାଲିଥିବ, ଏଥିରୁ ସହଜେ ଅନୁମେୟ।
ସେପଟେ ୨୭୬ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଦୈନିକ ଅର୍ନ୍ତବିଭାଗରେ ଭର୍ତ୍ତି ହେଉଛନ୍ତି ୩୮୦ ରୁ ୪୦୦ ରୋଗୀ। ବେଡ୍ ନଥିବାରୁ କିଛି ରୋଗୀ ବାରଣ୍ଡାରେ ଓ ଅନ୍ୟ କିଛି ବେଡ୍ ତଳ ଚଟଣାରେ ଚିକିତ୍ସିତ ହେଉଛନ୍ତି। ସ୍ମାର୍ଟ ସିଟିରେ ସ୍ବାସ୍ଥ୍ୟ ସେବାର ଏମିତି ବିକଳ ଚିତ୍ର, ମାସେ କି ଦୁଇ ମାସ ନୁହେଁ। ବର୍ଷ ବର୍ଷ ଧରି ଚାଲିଛି। ସବଠୁ ଆଶ୍ଚର୍ଯ୍ୟ କଥା, ସରକାରଙ୍କ ପାଣ୍ଠି ଅଭାବରୁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍)କୁ ବିନିଯୋଗ ହେଉଛି। ଡାକ୍ତର, ଆମ୍ବୁଲାନ୍ସ ସେବା, ନର୍ସ ଏମିତି କି ମୋ ସରକାର ପାଣ୍ଠି ମଧ୍ୟ ଡିଏମ୍ଏଫ୍ରୁ ଆସୁଛି। କହିବାକୁ ଗଲେ ଆର୍ଜିଏଚ୍ ମାସକୁ ଯେତିକ ଅର୍ଥ ଖର୍ଚ୍ଚ ହେଉଛି, ତା’ର ପ୍ରାୟ ୩୦ରୁ ୪୦% ଡିଏମ୍ଏଫ୍ ବହନ କରୁଛି। ଯେଉଁ ଦିନ ଡିଏମ୍ଏଫ୍ ବନ୍ଦ ହୋଇଯିବ, ସେହି ଦିନ ଆର୍ଜିଏଚ୍ରୁ ଅଧା ସୁବିଧାସୁଯୋଗ ଯେ ନ ହଟିଯିବ ତାହା କହିବା ମୁସ୍କିଲ।
ଆର୍ଜିଏଚ୍ରେ ବିଭିନ୍ନ ବିଭାଗରେ ମୋଟ ୫୫ ଡାକ୍ତର ଅଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ୧୭ ଡାକ୍ତର ଡିଏମ୍ଏଫ୍ରୁ ନିଯୁକ୍ତି ହୋଇଛନ୍ତି। କେବଳ ଡାକ୍ତର ନୁହଁନ୍ତି ୩୭ ନର୍ସ, ୨ଟି ଆମ୍ବୁଲାନ୍ସ ସମେତ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ଡିଏମ୍ଏଫ୍ରୁ ଆସୁଛି। ଦୀର୍ଘ ଦିନର ଦାବି ପରେ ସିଟି ସ୍କାନ୍, ଡାୟଲେସିସ୍ ସୁବିଧା ହୋଇଛି। ତାହା ପୁଣି ପିପି ମୋଡରେ। ଏଥିସହ ଏକ୍ସ-ରେ, ଅଲଟ୍ରା ସାଉଣ୍ଡ, ଇସିଜି, କେମୋ ଥେରାପି ଆଦି କିଛି ସୁବିଧା ଉପଲବ୍ଧ ରହିଛି। ଆଇସିୟୁ, ଏମ୍ଆର୍ଆଇ ସୁବିଧା ଆଜି ଯାଏ ହେଉନି। ପୃଥକ ଦୁର୍ଘଟଣା ବିଭାଗ (ସେପାରେଟ୍ କାଜୁଆଲିଟି ବିଭାଗ), ମର୍ଗ ହାଉସ୍ରେ ଅଧିକାଂଶ ସମୟରେ ଏସି କାମ କରୁନି। ଶବ ସଡୁଛି। ସ୍ବତନ୍ତ୍ର ଶବ ବ୍ୟବଚ୍ଛେଦ ସେବା ସୁବିଧା ପାଇଁ ପାନପୋଷ ଏସ୍ଡିଏମ୍ଓ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡୁଛି।
ଫରେନ୍ସିକ୍ ବିଭାଗର ଆବଶ୍ୟକତା ରହିଛି। ଶିଶୁ ବିଭାଗର ଆଇସିୟୁ ବ୍ୟବସ୍ଥା ହେବ ହେବ ବୋଲି ହେଉ ନାହିଁ। ରେଡିଓଲୋଜିଷ୍ଟ ନଥିବାରୁ ଅଲଟ୍ରା ସାଉଣ୍ଡ ସେବା ଠିକ୍ ଭାବେ ମିଳୁ ନାହିଁ। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରମାନେ ଯେନତେନ ପ୍ରକାରେ ଚଳାଉଛନ୍ତି। ଅଡିଓଲୋଜିଷ୍ଟ, ନ୍ୟୁରୋଲୋଜିଷ୍ଟ, ସାଇକ୍ରେଟିକ୍ସ ବିଶେଷଜ୍ଞ ନାହାନ୍ତି। ଜଳପୋଡା ବିଭାଗ ଅଛି। କିନ୍ତୁ ଚିକିତ୍ସା କରିବାକୁ ଡାକ୍ତର ନାହାନ୍ତି। ହସ୍ପିଟାଲର ସବୁଠୁ ଗୁରୁତ୍ବ ବିଭାଗ ଏମ୍ଆର୍ଡି (ମେଡିକାଲ୍ ରେକର୍ଡ ଡିପାର୍ଟମେଣ୍ଟ) ପ୍ରତ୍ୟେକ ବିଭାଗର କାଗଜପତ୍ରଗୁଡ଼ିକ ଠିକ୍ ଭାବେ ଦେଖାରେଖା କରାଯାଇପାରୁ ନାହିଁ। ଡାକ୍ତର ଓ କର୍ମଚାରୀଙ୍କ ପାଇଁ ରହିଛି ମାତ୍ର ୧୬ଟି ସରକାରୀ କ୍ବାର୍ଟର୍ସ। ୫୫ ଡାକ୍ତରଙ୍କୁ ମାତ୍ର ୬ଟି, ୨୦୦ରୁ ଅଧିକ କର୍ମଚାରୀଙ୍କ ପାଇଁ ୧୦ଟି କ୍ବାର୍ଟର୍ସ ରହିଛି। ଉଲ୍ଲେଖଯୋଗ୍ୟ, ଆର୍ଜିଏଚ୍ ଉପରେ ରାଉରକେଲା ସମେତ ଜିଲ୍ଲାର ଅଧିକାଂଶ ଉପାନ୍ତ ବ୍ଲକ, ଝାଡ଼ଖଣ୍ଡ ଓ ଛତିଶଗଡର ରୋଗୀ ନିର୍ଭରଶୀଳ। ପ୍ରତ୍ୟେକ ଦିନ ବର୍ହିବିଭାଗରେ ୮୦୦ରୁ ୧୦୦୦ ଚିକିତ୍ସିତ ହେଉଛନ୍ତି। ଅର୍ନ୍ତବିଭାଗରେ ୩୦୦ରୁ ୪୦୦ ରୋଗୀ ଭର୍ତ୍ତି ହେଉଛନ୍ତି। ଶଯ୍ୟା ସଂଖ୍ୟା ୧୨୮ରୁ ବଢ଼ି ୨୭୬କୁ ବୃଦ୍ଧି ପାଇଥିଲା।
The post ରାଉରକେଲା ସରକାରୀ ହସ୍ପିଟାଲ: ଚିଠିରେ ସୀମିତ ୪୦୦ ଶଯ୍ୟା ସୁବିଧା, ଡିଏମ୍ଏଫ୍ ଫାଣ୍ଠି ହିଁ ଭରସା first appeared on Sambad.from କରୋନା | Sambad https://ift.tt/2VvMevB
0 Comments