
ବେଲ୍ଜିୟମ୍: ବେଲଜିୟମ୍ର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, କୋଭିଡ୍-୧୯ର ଦୁଇଟି ଭିନ୍ନ ଭିନ୍ନ ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ହେବା ପରେ ଜଣେ ୯୦ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଥିଲା, ଯାହା କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ଆଉ ଏକ ବିପଦ ସୃଷ୍ଟି କରିଛି। ସୂଚନା ଅନୁସାରେ ମହିଳା ଜଣକ ଉଭୟ ବ୍ରିଟେନ୍ରେ ପ୍ରଥମେ ଦେଖାଦେଇଥିବା ଆଲ୍ଫା ଭାରିଆଣ୍ଟ ଏବଂ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ମିଳିଥିବା ବିଟା ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଥିଲେ। ସମ୍ଭବତଃ ବୃଦ୍ଧା ଜଣକ ଅଲଗା ଅଲଗା ଲୋକଙ୍କଠାରୁ ସଂକ୍ରମିତ ହୋଇଥିଲେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
ମହିଳା ଜଣକ ମାର୍ଚ୍ଚ ମାସରେ ବେଲ୍ଜିୟମ୍ର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ସେହିଦିନ ହିଁ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେ ନିଜ ଘରେ ରହି ଚିକିତ୍ସିତ ହେଉଥିଲେ ଏବଂ ଟିକା ନେଇ ନ ଥିଲେ। ତାଙ୍କର ଶ୍ବାସକ୍ରିୟାଜନିତ ସମସ୍ୟା ଖୁବ୍ଶୀଘ୍ର ବୃଦ୍ଧି ପାଇଲା ଏବଂ ୫ ଦିନ ପରେ ସେ ମରିଗଲେ। ଯେତେବେଳେ ତାଙ୍କର ଶ୍ବସନତନ୍ତ୍ରର ନମୁନା ପରୀକ୍ଷା କରାଗଲା, ସେତେବେଳେ ଦୁଇଟି ପରୀକ୍ଷାରୁ ଦୁଇ ପ୍ରକାର ଷ୍ଟ୍ରେନ୍ ବାହାରିଲା। ଏହି ଉଭୟ ପ୍ରକାର ଷ୍ଟ୍ରେନ୍ ଯୋଗୁ ତାଙ୍କର ଏତେ ଶୀଘ୍ର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟି ମୃତ୍ୟୁ ହେଲା କି ବୋଲି ଗବେଷକମାନେ ନିଶ୍ଚିତ କରି କହିପାରୁ ନାହାନ୍ତି। ତା’ ପୂର୍ବରୁ ଜାନୁୟାରୀ ମାସରେ ଏପରି ଉଭୟ ସଂକ୍ରମଣର ଦୁଇଟି ମାମଲା ବେଲ୍ଜିୟମ୍ର ବୈଜ୍ଞାନିକମାନେ ରିପୋର୍ଟ କରିଥିଲେ। କିନ୍ତୁ ଏହା ଉପରେ ଅନୁଧ୍ୟାନର ରିପୋର୍ଟ ସାଇଣ୍ଟିଫିକ୍ ଜର୍ଣ୍ଣାଲରେ ପ୍ରକାଶ ପାଇନାହିଁ। ଗବେଷକମାନେ ମଧ୍ୟ ପୂର୍ବରୁ ଲୋକେ ଇନ୍ଫ୍ଲୁଏଞ୍ଜାର ଏକାଧିକ ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ହେବାର ପ୍ରମାଣ ପାଇଛନ୍ତି। ସୀମିତ ପରୀକ୍ଷଣ ଯୋଗୁ ସାରା ବିଶ୍ବରେ ଏମିତି କେତେ ଦ୍ବୖତ-ସଂକ୍ରମଣ ଘଟୁଛି ଏବଂ ଏହାର ପ୍ରଭାବ କ’ଣ ସେ ବିଷୟରେ ବିଶେଷ ତଥ୍ୟ ଉପଲବ୍ଧ ନାହିଁ କିମ୍ବା ତା’ ଉପରେ ବିଶେଷ ଗୁରୁତ୍ବ ଦିଆଯାଇ ନାହିଁ। ଦ୍ବୈତ ସଂକ୍ରମଣ ଚିହ୍ନଟ କରିବା ପାଇଁ ବି କୌଣସି ସରଳ ପଦ୍ଧତି ନାହିଁ। କିନ୍ତୁ ଏଣିକି ଏହା ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ଅଛି ବୋଲି ବେଲ୍ଜିୟମ୍ର ଆଲ୍ଷ୍ଟ-ସ୍ଥିତ ଓଏଲ୍ଭି ହସ୍ପିଟାଲର ଆଣବିକ ଜୀବବିଜ୍ଞାନୀ ତଥା ଅନୁଧ୍ୟାନର ମୁଖ୍ୟ ଲେଖକ ଆନ୍ ଭ୍ୟାନ୍କିର୍ବଘେନ୍ କହିଛନ୍ତି।
The post ବିଶେଷଜ୍ଞମାନଙ୍କ ଉଦ୍ବେଗ, ଦ୍ବୈତ ସଂକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ first appeared on Sambad.from କରୋନା | Sambad https://ift.tt/3hzT23Y
0 Comments