ନୂଆଦିଲ୍ଲୀ: ସମ୍ପ୍ରତି ୧୦%ରୁ ଅଧିକ ପଜିଟିଭିଟି ହାର ରେକର୍ଡ କରୁଥିବା ସମସ୍ତ ଜିଲ୍ଲାଗୁଡ଼ିକରେ ‌କଠୋର କଟକଣା ଲାଗୁ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟମାନଙ୍କୁ ନିର୍ଦେଶ ଦେଇଛି। କେନ୍ଦ୍ର ସରକାର କହିଛନ୍ତି, ଉକ୍ତ ଜିଲ୍ଲାଗୁଡ଼ିକରେ ଜନଗହଳି ପ୍ରତିରୋଧ କରିବା ଏବଂ ଲୋକମାନଙ୍କ ପାରସ୍ପାରିକ ମିଳାମିଶା ବନ୍ଦ କରିବା ଲାଗି ଉପଯୁକ୍ତ ପଦକ୍ଷେପ ନିଆଯାଇଛି ବୋଲି ସମ୍ପୃକ୍ତ ରାଜ୍ୟମାନେ ସୁନିଶ୍ଚିତ ହେବା ଉଚିତ।

ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବା ପଜିଟିଭିଟି ହାର ଅଧିକ ଦର୍ଶାଉଥିବା ୧୦ଟି ରାଜ୍ୟର କୋଭିଡ୍‌-୧୯ ପରିସ୍ଥିତି ସମୀକ୍ଷା କରି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଲେ, ଗତ ସପ୍ତାହଗୁଡ଼ିକରେ ୧୦%ରୁ ଅଧିକ ପଜିଟିଭିଟି ହାର ରିପୋର୍ଟ କରୁଥିବା ସମସ୍ତ ଜିଲ୍ଲାରେ କଠୋର କଟକଣା ଲାଗୁ କରିବା କଥା ବିଚାର କରାଯିବା ଆବଶ୍ୟକ।

ସେ କହିଛନ୍ତି, ଭୂତାଣୁ ସଂକ୍ରମଣ ପ୍ରତିରୋଧ କରିବା ଲାଗି ଜନତାଙ୍କ ଚଳାଚଳ ବନ୍ଦ/ହ୍ରାସ କରିବା, ଜନଗହଳି ସୃଷ୍ଟି ଏବଂ ଜନତାଙ୍କ ମଧ୍ୟରେ ପାରସ୍ପରିକ ମିଳାମିଶା ବନ୍ଦ କରାଯିବା ଉଚିତ। ଏଭଳି ଅବସ୍ଥାରେ ଏହି ସବୁ ଜିଲ୍ଲାଗୁଡ଼ିକରେ କୌଣସି ପ୍ରକାରର କୋହଳ ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇପାରେ।

Image Courtesy of Times of India

କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ଦର୍ଶାଉଥିବା ୧୦ଟି ରାଜ୍ୟ ହେଉଛନ୍ତି, କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଓଡ଼ିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ମଣିପୁର।

ସଙ୍କଟଜନକ ପରିସ୍ଥିତି ଥିବା ଜିଲ୍ଲାଗୁଡ଼ିକରେ କୋଭିଡ୍-୧୯ ପରୀକ୍ଷା ଏବଂ ଟିକାକରଣ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ଉପରୋକ୍ତ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ବିପଦଗ୍ରସ୍ତ ହେବା ଆଶଙ୍କା ଥିବା ଜନତାଙ୍କୁ କୋଭିଡ୍-୧୯ ଟିକାର ଦ୍ବିତୀୟ ଡୋଜ୍‌ ଦେବା ଉପରେ ପ୍ରାଧାନ୍ୟ ଦେବା ଲାଗି ମଧ୍ୟ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

ଉପରୋକ୍ତ ୧୦ଟି ଜିଲ୍ଲାରେ ୮୦%ରୁ ଅଧିକ ସକ୍ରିୟ କୋଭିଡ୍‌-୧୯ ମାମଲା ‘ହୋମ୍‌ ଆଇସୋଲେସନ୍‌’ରେ ଥିବା କଥା ରିପୋର୍ଟ ହୋଇଛି ବୋଲି ମନ୍ତ୍ରାଳୟ ଉଲ୍ଲେଖ କରିଛି। ‌ତେଣୁ, ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିବା ସହ ଡାକ୍ତରୀ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରାଯିବା ଉଚିତ ବୋଲି ଭୂଷଣ କହିଛନ୍ତି।

The post ୧୦%ରୁ ଅଧିକ ପଜିଟିଭିଟି ‌ହାର ଥିବା ଜିଲ୍ଲାଗୁଡ଼ିକରେ କଠୋର କଟକଣା ଲାଗୁ କରିବା ପାଇଁ ରାଜ୍ୟମାନଙ୍କୁ କହିଲେ କେନ୍ଦ୍ର ସରକାର first appeared on Sambad.

from କରୋନା | Sambad https://ift.tt/3lfsxmn