
ନୂଆଦିଲ୍ଲୀ: ଟିକାକରଣ ନିମନ୍ତେ ଅନେକ ରାଷ୍ଟ୍ର ଟିକା ଯୋଗାଡ଼ କରିବାକୁ ଡହଳବିକଳ ହେଉଥିବା ବେଳେ ଶୁକ୍ରବାର ସୁଦ୍ଧା ବିଶ୍ବବ୍ୟାପୀ କରୋନାଭାଇରସ୍ଜନିତ ମୃତ୍ୟୁ ୪ ନିୟୁତ ଅତିକ୍ରମ କରିଯାଇଛି ବୋଲି ‘ରଏଟର୍ସ ଟାଲି’ରୁ ଜଣାପଡ଼ିଛି।
ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ୍ ଭଳି ରାଷ୍ଟ୍ରରେ ନୂତନ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି। ତେଣେ, ବିଶ୍ବବ୍ୟାପୀ ‘ଡେଲ୍ଟା ଭେରିଆଣ୍ଟ୍’ ପ୍ରକୋପ ବୃଦ୍ଧି ପାଉଥିବା ବେଳେ କେତେକ ରାଷ୍ଟ୍ରରେ ଟିକାର ଅଭାବ ଦେଖାଦେଇଛି।
‘ରଏଟର୍ସ’ କରିଥିବା ବିଶ୍ଳେଷଣ ଅନୁସାରେ, କୋଭିଡ୍-୧୯ଜନିତ ମୃତ୍ୟୁ ୨ ନିୟୁତ ହେବା ପାଇଁ ବର୍ଷେ ଲାଗିଥିବା ବେଳେ ପରବର୍ତ୍ତୀ ୨ ନିୟୁତ ମୃତ୍ୟୁ ମାତ୍ର ୧୬୬ ଦିନରେ ରେକର୍ଡ କରାଯାଇଛି।
ସମୁଦାୟ ମୃତ୍ୟୁସଂଖ୍ୟା ଆଧାରରେ ବିଶ୍ବର ଶ୍ରେଷ୍ଠ ୫ଟି ରାଷ୍ଟ୍ର ତାଲିକାରେ ଅଛନ୍ତି- ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ୍, ଭାରତ, ରୁଷିଆ ଏବଂ ମେକ୍ସିକୋ। ବିଶ୍ବରେ ରେକର୍ଡ କରାଯାଇଥିବା ସମୁଦାୟ ମୃତ୍ୟୁସଂଖ୍ୟାର ପ୍ରାୟ ୫୦% ମୃତ୍ୟୁ ଏହି ୫ଟି ରାଷ୍ଟ୍ରରେ ଘଟିଛି। ସେହିଭଳି ଜନସଂଖ୍ୟା ଅନୁଯାୟୀ ମୃତ୍ୟୁହାର ଅଧିକ ଥିବା ଅନ୍ୟାନ୍ୟ ଦେଶ ତାଲିକାରେ ରହିଛନ୍ତି- ପେରୁ, ହଙ୍ଗେରି, ବୋଜ୍ନିଆ, ଚେକ୍ ସାଧାରଣତନ୍ତ୍ର ଏବଂ ଜିବ୍ରାଲଟର୍।
‘ରଏଟର୍ସ’ ବିଶ୍ଳେଷଣ ଅନୁସାରେ, ଗତ ମାର୍ଚ ମାସରୁ ସବୁଠୁ ଅଧିକ ସଂକ୍ରମଣ ଘଟିଛି ଲାଟିନ୍ ଆମେରିକୀୟ ଦେଶରେ। ବିଶ୍ବରେ ରେକର୍ଡ କରାଯାଉଥିବା ପ୍ରତି ୧୦୦ ସଂକ୍ରମଣରେ ସେ ସବୁଦେଶର ୪୩ ଜଣ ସଂକ୍ରମିତ ରହୁଥିବା ଜଣାପଡ଼ିଛି। ବଲିଭିଆ, ଚିଲି ଏବଂ ଉରୁଗୁଏ ଦେଶରେ ୨୫ ରୁ ୪୦ ବର୍ଷ ବୟସ୍କ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି।
ବିଶ୍ବର ଦରିଦ୍ର ରାଷ୍ଟ୍ରମାନଙ୍କରେ ଟିକା ସଙ୍କଟ ଦେଖା ଦେଇଥିବାରୁ ମହାମାରୀ ନିୟନ୍ତ୍ରଣ କରାଇବା ଲାଗି ଟିକା ଦାନ କରିବା ଲାଗି ଧନିକ ରାଷ୍ଟ୍ରମାନଙ୍କୁ ନିବେଦନ କରାଯାଇଛି।
The post ସମଗ୍ର ବିଶ୍ବରେ ୪ ନିୟୁତ ଟପିଲା କୋଭିଡ୍-୧୯ଜନିତ ମୃତ୍ୟୁ; ଟିକା ପାଇଁ ଡହଳବିକଳ ହେଉଛନ୍ତି ଅନେକ ରାଷ୍ଟ୍ର: ରିପୋର୍ଟ first appeared on Sambad.from କରୋନା | Sambad https://ift.tt/3wDNNVJ
0 Comments