ଜି୭ ଶିଖର ସମ୍ମିଳନୀରେ ‘ଭ୍ୟାକ୍ସିନ୍‌ ପାସ୍‌ପୋର୍ଟ’ ନିୟମ ବିଦ୍ବେଷାତ୍ମକ: ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ଜି୭+ ମନ୍ତ୍ରୀସ୍ତରୀୟ ଅଧିବେଶନରେ ‘ଭ୍ୟାକ୍ସିନ୍‌ ପାସ୍‌ପୋର୍ଟ’ ନିୟମ ବିଦ୍ବେଷାତ୍ମକ ବୋଲି ଶୁକ୍ରବାର ଦିନ ‘ଜି୭ ଶିଖର ସମ୍ମିଳନୀ’ରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କୁ ସମ୍ଭାଷଣ ଦେବା ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି। ଏହାର କାରଣ ଦର୍ଶାଇବାକୁ ଯାଇ ଡାକ୍ତର ବର୍ଦ୍ଧନ କହିଛନ୍ତି ଯେ, ବିକଶିତ ଦେଶମାନଙ୍କ ଠାରୁ ବିକାଶଶୀଳ ଦେଶମାନଙ୍କରେ କୋଭିଡ୍‌-୧୯ ଟିକାକରଣ ହାର ଯଥେଷ୍ଟ ସ୍ବଳ୍ପ। ତେଣୁ, ‘ଭ୍ୟାକ୍ସିନ୍‌ ପାସ୍‌ପୋର୍ଟ’ ବ୍ୟବସ୍ଥାକୁ ଭାରତ ତୀବ୍ର ବିରୋଧ କରୁଛି।

ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି, ମହାମାରୀର ଏଭଳି ପରିସ୍ଥିତିରେ ‘ଭ୍ୟାକ୍ସିନ୍‌ ପାସ୍‌ପୋର୍ଟ’ ପ୍ରସଙ୍ଗରେ ଭାରତର ଉଦ୍‌ବେଗ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯିବା ପ୍ରାସଙ୍ଗିକ। ବିକାଶଶୀଳ ଦେଶଗୁଡ଼ିକରେ ସ୍ବଳ୍ପସଂଖ୍ୟକ ଜନତାଙ୍କୁ ଟିକା ଦିଆଯାଇଥିବା ବେଳେ ବିକଶିତ ଦେଶଗୁଡ଼ିକରେ ବହୁସଂଖ୍ୟକ ଜନତାଙ୍କୁ ଟିକା ଦିଆସରିଛି। ଏହାଛଡ଼ା, ବିକାଶଶୀଳ ଦେଶମାନେ ସମାନ ସଂଖ୍ୟକ ଓ ସୁଲଭ ମୂଲ୍ୟରେ ଟିକା ପାଇ ପାରୁନାହାନ୍ତି। ନିରାପଦ ଓ ଫଳପ୍ରଦ ଟିକା ଯୋଗାଣ ଏବଂ ବଣ୍ଟନ ବ୍ୟବସ୍ଥା ମଧ୍ୟ ଏହି ଦେଶମାନଙ୍କରେ ହୋଇ ପାରୁନାହିଁ। ଏଭଳି ପରିସ୍ଥିତିରେ ‘ଭ୍ୟାକ୍ସିନ୍‌ ପାସ୍‌ପୋର୍ଟ’ ନିମୟ ଲାଗୁ କରାଯିବା ନୀତି ବିକାଶଶୀଳ ରାଷ୍ଟ୍ରମାନଙ୍କ ପ୍ରତି ବାଛବିଚାର କରାଯିବା ଭଳି ମନେହେବ।

Image Courtesy of Twitter

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟିକାର ଫଳପ୍ରଦତା ଏବଂ ଟିକା ଯୋଗାଣ ସଂକ୍ରାନ୍ତରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ପରାମର୍ଶ ପ୍ରତି ଧ୍ୟାନ ଦିଆଯାଇ ‘ଭ୍ୟାକ୍ସିନ୍‌ ପାସ୍‌ପୋର୍ଟ’ ଲାଗୁ କରାଯାଉ ବୋଲି ଭାରତ ପ୍ରସ୍ତାବ ଦେଉଛି।

ଏହା ବ୍ୟତିରେକେ, ଏବର୍ଷ ‘ଜି୭ ଶିଖର ସମ୍ମିଳନୀ’ରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କୁ ସମ୍ଭାଷଣ ଦେବା ପାଇଁ ସୁଯୋଗ ପାଇଥିବାରୁ ଟୁଇଟ୍‌ କରି ଡାକ୍ତର ବର୍ଦ୍ଧନ କୃତଜ୍ଞତା ଜ୍ଞାପନ କରିଛନ୍ତି।

The post ଜି୭ ଶିଖର ସମ୍ମିଳନୀରେ ‘ଭ୍ୟାକ୍ସିନ୍‌ ପାସ୍‌ପୋର୍ଟ’ ନିୟମ ବିଦ୍ବେଷାତ୍ମକ: ହର୍ଷ ବର୍ଦ୍ଧନ first appeared on Sambad.

from କରୋନା | Sambad https://ift.tt/3ggRhXA

Post a Comment

0 Comments