ଜୟପୁର: ମହାମାରୀ କରୋନା ବହୁ ପରିବାରକୁ ଉଜାଡିଲାଣି। ଆଉ ଗୋଟିଏ ପରିବାରର ୨ ଭାଇ ଏହି ପର୍ଦ୍ଧରେ ସାମିଲ ହୋଇଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ କୋଭିଡରେ ଆକ୍ରାନ୍ତ ବଡ଼ ଭାଇ ଓ ସାନ ଭାଇ ଡକାଡକି ହୋଇ ଆରପାରିକୁ ଚାଳିଯାଇଛନ୍ତି। ଏଭଳି ଘଟଣାଟି ହୋଇଛି ଜୟପୁର ବ୍ଲକର ଡାଙ୍ଗରା ଗାଁରେ। ଏହି ଗାଁର ଗୋଟିଏ ପରିବାରର ଦୁଇ ଭାଇଙ୍କର ୨୪ଘଣ୍ଟାରେ ମୃତ୍ୟୁ ହେବା ପରେ ଡାଙ୍ଗରା ସମେତ ଆଖ ପାଖ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଜୟପୁର କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତ ଡାଙ୍ଗରାର କୌଳାସ ଚନ୍ଦ୍ର ନାୟକ(୩୭) ଙ୍କର ଗତ କାଲି ମୃତ୍ୟୁ ହୋଇଥିଲା। ଏଥିରେ ବଡ଼ଭାଇଙ୍କ ସହ ସାନ ଭାଇ ଖଗେଶ୍ବର ନାୟକ(୩୫) ମଧ୍ୟ ସଂକ୍ରମିତ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଦୁଇ ଜଣ ଯାକ ଗୁରୁତର ରହିଥିଲେ। ଗତକାଲି ବଡ଼ ଭାଇ କୌଳାସଙ୍କର ମୃତ୍ୟୁ ହୋଇଥିଲା।

ଆଜି ସକାଳୁ ଖଗେଶ୍ବରଙ୍କର ମୃତ୍ୟୁ ହୋଇଛି। କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ ଜୟପୁରର ଚମ୍ପାକୁପୁଲି ଶ୍ମଶାନରେ ୨୪ଘଣ୍ଟା ମଧ୍ୟରେ ଉଭୟଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ଗୋଟିଏ ପରିସରରେ ହିଁ ଦୁଇ ଭାଇଙ୍କ ଜୁଇ ୨୪ଘଣ୍ଟାରେ ଜଳିଛି। ଦୁଇ ଭାଇ ସ୍ବଳ୍ପ ଜମିରେ ଚାଷବାସ କରି ପରିବାରର ପ୍ରତିପୋଷଣ କରି ଆସୁଥିଲେ। ଉଭୟ ଅଲଗା ଅଲଗା ଘରରେ ରହୁଥିଲେ। କୌଳାସ ୨ପୁଅ, ପତ୍ନୀ ଆଦିଙ୍କୁ ନେଇ ଖୁସିବାସିରେ ରହୁଥିଲେ। ସେଭଳି ଖଗେଶ୍ବର ନିଜ ପତ୍ନୀଙ୍କୁ ନେଇ ରହୁଥିଲେ। ଗତ ୧୫ଦିନ ତଳେ ପ୍ରଥମେ କୌଳାସଙ୍କୁ ଅଚାନକ ଭାବେ ଥଣ୍ଡା ହେବା ସହ ଜ୍ବର ହୋଇଥିଲା। ଏହାରି ମଧ୍ୟରେ ସେ ଥଣ୍ଡା ଜ୍ବର ହେଉଥିବା ଭାବିଥିଲେ । ଅଚାନକ ଭାବେ ସେ ନିଶ୍ବାସ ନେଇ ନ ପାରିବାରୁ ତାଙ୍କର ପରୀକ୍ଷା କରାଯାଇଥିଲା। ଏବଂ ସେ କୋଭିଡ୍ ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ। ଏହା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହାରି ମଧ୍ୟରେ ସାନଭାଇ ଖଗେଶ୍ବର ବି ସଂକ୍ରମିତ ହେବା ସହ ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ। ଏହାରି ମଧ୍ୟରେ ଖଗେଶ୍ବର ବି ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ବି ଜୟପୁର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ବଡ଼ ଭାଇର ମୃତ୍ୟୁ ହୋଇଥିବା ବେଳେ ଆଜି ସାନଭାଇର ମୃତ୍ୟୁ ହେବା ପରିବାରବର୍ଗ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ୨ଜଣ ଯାକ ପରିବାରର ମୁଖ୍ୟ ଆୟକାରୀ ଏବଂ ମୁରବୀ ରହିଥିଲେ। କୌଳାସଙ୍କ ମୃତ୍ୟୁ ପରେ ୨ପୁଅ ଅନାଥ ଏବଂ ପତ୍ନୀ ବିଧବା ହୋଇଛନ୍ତି। ସେଭଳି ଖଗେଶ୍ବରଙ୍କ ମୃତ୍ୟୁ ପରେ ପତ୍ନୀ ବିଧବା ହୋଇଯାଇଛନ୍ତି। ଏବେ ଉଭୟ ପରିବାରକୁ ନେଇ କିଭଳି ବଂଚି ବେ ଚିନ୍ତାରେ ପଡ଼ିଛନ୍ତି। ଉଭୟଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

The post କରୋନା କାରୁଣ୍ୟ: ୨୪ଘଣ୍ଟା ନପୁରୁଣୁ ଦୁଇ ଭାଇ ଡ଼କାଡକି ହୋଇ ଚାଲିଗଲେ first appeared on Sambad.

from କରୋନା | Sambad https://ift.tt/3gHDCu1