ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଫିକା ପଡ଼ି ଆସୁଥିବା ମହାମାରୀ କୋଭିଡ୍‌-୧୯ର ଦ୍ବିତୀୟ ଲହର ସଂକ୍ରମଣର ଦୈନିକ ସଂଖ୍ୟା ତଳମୁହାଁ ହୋଇଚାଲିବା ସହ ଲଗାତାର ଷଷ୍ଠ ଦିନ ପାଇଁ ସୋମବାର ୬୦ ହଜାର ପାଖାପାଖି ରହିଛି। ଏପରିକି ଶନିବାର ଏହା ୬୦ ହଜାରର ଯଥେଷ୍ଟ ତଳକୁ ମଧ୍ୟ ଖସି ଆସିଛି ଯାହା ଗତ ତିନି ମାସ ମଧ୍ୟରେ ସର୍ବନିମ୍ନ ସ୍ତର ବୋଲି ଜଣାଯାଇଛି। ସେହିପରି ଦୈନିକ ମୃତକଙ୍କ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ହଜାରେ ପାଖାପାଖି କମି ଆସିଛି। ସର୍ବୋପରି କ୍ରମାଗତ ଭାବେ ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ସଂଖ୍ୟକ ରୋଗୀ ଆରୋଗ୍ୟଲାଭ କରିବା ସହ ସକ୍ରିୟ ମାମଲା ୭ ଲକ୍ଷ ପାଖକୁ ଖସି ଆସିବା ଆଶ୍ବସ୍ତିର ବିଷୟ ହୋଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରବିବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ଭିତରେ ଦେଶରେ ୫୮,୪୧୯ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୨,୯୮,୮୧,୯୬୫ ଜଣ ଦେଶବାସୀ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ କେରଳରେ ସର୍ବାଧିକ ୧୨,୪୪୩ ଜଣ ସଂକ୍ରମିତ ଠାବ ହୋଇଥିବା ବେଳେ ତାହା ପଛକୁ ମହାରାଷ୍ଟ୍ରରେ ୮,୯୧୨ ଜଣ, ତାମିଲନାଡୁରେ ୮,୧୮୩ ଜଣ, କର୍ଣ୍ଣାଟକରେ ୫,୮୧୫ ଜଣ ଓ ଆନ୍ଧ୍ରପ୍ରଦେଶରେ ୫,୬୭୪ ଜଣ ସଂକ୍ରମିତ ବାହାରିଛନ୍ତି। କେବଳ ଏହି ୫ଟି ରାଜ୍ୟରେ ହିଁ ଦେଶର ୭୦.୨୩ ପ୍ରତିଶତ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ଏହି ୨୪ ଘଣ୍ଟା ଭିତରେ ଦେଶରେ ୧,୫୭୬ ଜଣ କୋଭିଡ୍‌ ପୀଡ଼ିତ ଆଖି ବୁଜିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୩,୮୬,୭୧୩ରେ ପହଞ୍ଚିଛି। ଶନିବାରର ଏହି ସଦ୍ୟ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୬୮୨ ଜଣ ରହିଥିବା ବେଳେ ତାହା ପଛକୁ ତାମିଲନାଡୁରେ ୧୮୦ଜଣ, କର୍ଣ୍ଣାଟକରେ ୧୬୧ଜଣ, କେରଳରେ ୧୧୫ ଜଣ ଓ ପଶ୍ଚିମବଙ୍ଗରେ ୫୫ ଜଣ ରହିଛନ୍ତି। ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୮୭,୬୧୯ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨,୮୭,୬୬,୦୦୯ ଜଣ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିଥିବା ଜଣାଯାଇଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ସକ୍ରିୟ ମାମଲା ୩୦,୭୭୬ ଖସି ଆସି ୭,୨୯,୨୪୩ରେ ପହଞ୍ଚିଛି। କ୍ରମାଗତ ତ୍ରୟୋଦଶ ଦିନ ପାଇଁ ସକ୍ରିୟ ହାର ୫ ପ୍ରତିଶତ ତଳେ(୨.୪୪%) ରହିଛି।

The post ତିନି ମାସରେ ସର୍ବନିମ୍ନ ଦୈନିକ ସଂକ୍ରମଣ, ୮୧ ଦିନରେ ପ୍ରଥମ ଥର ୬୦ ହଜାର ତଳେ first appeared on Sambad.

from କରୋନା | Sambad https://ift.tt/3gIlMH3