ନୂଆଦିଲ୍ଲୀ: ନୂତନ କୋଭିଡ୍‌ ସଂକ୍ରମିତ ଓ ଦୈନିକ ମୃତକଙ୍କ ସଂଖ୍ୟାକୁ ବିଚାର କଲେ ଗତ ମେ’ ମାସରେ ହିଁ ଭାରତ ବିଶ୍ବର ସବୁଠୁ ଅଧିକ କ୍ଷତିଗ୍ରସ୍ତ ରାଷ୍ଟ୍ରର ଅପଯଶ ଧାରଣ କରିଛି। ଏହି ମହାମାରୀର ଆବିର୍ଭାବ ପରଠାରୁ କୌଣସି ଦେଶରେ ଏପରିକି କୌଣସି ମାସରେ ମଧ୍ୟ ଏଭଳି ସ୍ଥିତି ଦେଖାଯାଇନଥିଲା। କେବଳ ଏହି ମାସରେ ହିଁ ଭାରତରେ ୧.୨ ଲକ୍ଷ କୋଭିଡ୍‌ ଆକ୍ରାନ୍ତଙ୍କର ମୁତ୍ୟୁ ଘଟିଛି, ଯାହା ଗତ ଏପ୍ରିଲ ମାସ ତୁଳନାରେ(୪୮,୭୬୮) ପ୍ରାୟ ଅଢ଼େଇଗୁଣା ଅଧିକ।

ବିଶ୍ବର ଦ୍ବିତୀୟ ସର୍ବାଧିକ ମାସିକ ମୃତ୍ୟୁ ଗତ ଜାନୁଆରି ମାସରେ ଆମେରିକାରେ ହିଁ ଦେଖାଯାଇଥିଲା। ସେଠାରେ ଏହି ଜାନୁଆରି ମାସରେ ସର୍ବାଧିକ ୯୯,୬୮୦ ସଂଖ୍ୟକ କୋଭିଡ୍‌ ମୃତ୍ୟୁ ହୋଇଥିଲା ଯାହା ପୂର୍ବ ମାସ ତୁଳନାରେ ପାଖାପାଖି ୧୬ ହଜାର ଅଧିକ ରହିଥିଲା। ସେହିପରି ତୃତୀୟ ସର୍ବାଧିକ ମାସିକ ମୃତ୍ୟୁ ଗତ ଡିସେମ୍ବର ମାସରେ ଆମେରିକାରେ ସଂଘଟିତ ହୋଇଥିଲା। ଡିସେମ୍ବରରେ ସେଠାରେ ୮୩,୮୪୯ ଜଣ କୋଭିଡ୍‌ ପୀଡ଼ିତଙ୍କର ମୃତ୍ୟୁ ଘଟିଥିବା ବେଳେ ବିଶ୍ବର ଚତୁର୍ଥ ସଂଖ୍ୟକ ମାସିକ କୋଭିଡ୍‌ ମୃତ୍ୟୁ ଗତ ଏପ୍ରିଲ ମାସରେ ବ୍ରାଜିଲରେ ସଂଘଟିତ ହୋଇଥିଲା ଯାହା ୮୨,୪୦୧ ବୋଲି ଜଣାଯାଇଛି। କିନ୍ତୁ ଏହି ମେ’ ମାସରେ ହିଁ ଭାରତରେ ଏପ୍ରିଲ ମାସ ତୁଳନାରେ ୩୦ ପ୍ରତିଶତ ଅଧିକ ସଂକ୍ରମିତଙ୍କୁ ଦେଖିବାକୁ ମିଳିଥିଲା। ମେ’ ମାସରେ ମୋଟ ୯୦.୩ ଲକ୍ଷ ଭାରତୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ଏପ୍ରିଲ ମାସରେ ତାହା ୬୯.୪ ଲକ୍ଷ ରହିଥିଲା। ଆମେରିକା ପାଇଁ ଗତ ବର୍ଷ ଡିସେମ୍ବର ମାସରେ ସର୍ବାଧିକ ମାସିକ ସଂକ୍ରମିତଙ୍କୁ ଠାବ କରାଯାଇଥିଲା। ସେହି ମାସରେ ମୋଟ ୬୫.୩ ଲକ୍ଷ ଆମେରିକୀୟ ସଂକ୍ରମଣର ଶିକାର ହୋଇଥିଲେ।

ଲକ୍ଷେ ପାଖକୁ ଖସିଲା ସଂକ୍ରମଣ, ଏପ୍ରିଲ ୯ ପରେ ସର୍ବନିମ୍ନ

 ଦୈନିକ ମୃତ୍ୟୁସଂଖ୍ୟା ବି ୩ ହଜାର ତଳେ
୨୪ ଘଣ୍ଟାରେ ୧,୨୭,୫୧୦ ନୂତନ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଦୈନିକ କୋଭିଡ୍‌ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ଘଟି ଚାଲିଛି। ଏଥି ସହିତ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ବେ ସେହି ଅନୁସାରେ କମ୍‌ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତି ଆଣିଛି। ମଙ୍ଗଲବାର ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ୨୪ ଘଣ୍ଟା ଭିତରେ ଦେଶରେ ୧,୨୭,୫୧୦ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହା କି ଗତ ଏପ୍ରିଲ ୯ ତାରିଖ ପରଠାରୁ ସର୍ବନିମ୍ନ ବୋଲି ଜଣାଯାଇଛି। ସୋମବାର ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ଅଦ୍ୟାବଧି ମୋଟ ୨,୮୧,୭୫,୦୪୪ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୨୭,୯୩୬ ଜଣ ସଂକ୍ରମିତଙ୍କୁ ଠାବ କରାଯାଇଥିବା ବେଳେ ତାହା ପଛକୁ କର୍ଣ୍ଣାଟକରେ ୧୬,୬୦୪ ଜଣ, ମହାରାଷ୍ଟ୍ରରେ ୧୫,୦୭୭ ଜଣ, କେରଳରେ ୧୨,୩୦୦ ଜଣ ଓ ଆନ୍ଧ୍ରପ୍ରଦେଶରେ ୭,୯୨୩ ଜଣ ସଂକ୍ରମିତ ବାହାରିଛନ୍ତି। ଏହି ଦିନକ ଭିତରେ ଦେଶରେ ୨,୭୯୫ ଜଣ କୋଭିଡ୍‌ ପୀଡ଼ିତ ଆଖି ବୁଜିଥିବା ବେଳେ ଗତ ୩୪ ଦିନ ଭିତରେ ତାହା ମଧ୍ୟ ସର୍ବ ନିମ୍ନ ବୋଲି ଜଣାଯାଇଛି। ତାହାକୁ ମିଶାଇ ଦେଶରେ ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୩,୩୧,୮୯୫ରେ ପହଞ୍ଚିଛି।

ସଦ୍ୟ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୫୦୦ ଜଣ ହୋଇଥିବା ବେଳେ ତାହା ପଛକୁ ତାମିଲନାଡୁରେ ୪୭୮ ଜଣ, କର୍ଣ୍ଣାଟକର ୪୧୧ ଜଣ, କେରଳର ୧୭୪ ଜଣ ଓ ଉତ୍ତରପ୍ରଦେଶରେ ୧୫୧ ଜଣ ରହିଛନ୍ତି। ସେହିପରି ଲଗାତାର ୧୯ ଦିନ ପାଇଁ ରବିବାର ମଧ୍ୟ ନୂତନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସଂଖ୍ୟକ କୋଭିଡ୍‌ ପୀଡ଼ିତ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ୨୪ ଘଣ୍ଟା ଭିତରେ ଦେଶରେ ୨,୫୫,୨୮୭ ଜଣ ସୁସ୍ଥ ହୋଇଥିବା ବେଳେ ଅଦ୍ୟାବଧି ମୋଟ ୨,୫୯, ୪୭,୬୨୯ ଜଣ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଛନ୍ତି ଯାହା କି ମୋଟ ସଂକ୍ରମିତଙ୍କର ୯୨.୦୯ ପ୍ରତିଶତ ପରି ଉଚ୍ଚ ସ୍ତରରେ ପହଞ୍ଚିଛି। ଏଥି ସହିତ ଦେଶରେ ସକ୍ରିୟ ମାମଲା ୧୮,୯୫,୫୨୦କୁ ଖସି ଆସିଛି ଯାହା ମୋଟ ସଂକ୍ରମିତଙ୍କର ମାତ୍ର ୬.୭୩ ପ୍ରତିଶତ ପରି ନିମ୍ନ(ଉତ୍ତମ) ସ୍ତରରେ ପହଞ୍ଚିଛି ଏବଂ ଦୀର୍ଘ ୪୩ ଦିନ ପରେ ଏହା ୨୦ ଲକ୍ଷ ତଳକୁ ଖସିଛି। ଲଗାତାର ଅଷ୍ଟମ ଦିନ ପାଇଁ ଏପରି ସକ୍ରିୟ ହାର ୧୦ ପ୍ରତିଶତର ଯଥେଷ୍ଟ ତଳେ ରହିଛି। ସେହିପରି ଅଦ୍ୟାବଧି ମୋଟ ୨୧,୬୦,୪୬,୬୩୮ ଜଣ ଦେଶବାସୀଙ୍କର ଟିକାକରଣ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ଅପରପକ୍ଷେ, ଗତକାଲି ଦେଶରେ ୧୯,୨୫,୩୭୪ଟି ନମୁନା ପରୀକ୍ଷଣ ସହ ଅଦ୍ୟାବଧି ମୋଟ ୩୪,୬୭,୯୨,୨୫୭ ଜମଙ୍କର ନମୁନା ପରୀକ୍ଷା କରାଯାଇଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର) ସୂଚନା ଦେଇଛି।

The post ଅଭିଶପ୍ତ ମେ: ଭାରତରେ ବିଶ୍ବ ରେକର୍ଡ, ସର୍ବାଧିକ ସଂକ୍ରମଣ ସର୍ବାଧିକ ମୃତ୍ୟୁ first appeared on Sambad.

from କରୋନା | Sambad https://ift.tt/3uKCv0a