ନୂଆଦିଲ୍ଲୀ: ଭାରତରେ ରୁଷୀୟ କୋଭିଡ୍‌-୧୯ ଟିକା ‘ସ୍ପୁଟ୍‌ନିକ୍ ଭି’ ଉତ୍ପାଦନ ନିମନ୍ତେ ଶୁକ୍ରବାର ଦିନ ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ (ଡିସିଜିଆଇ) ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’କୁ ଅନୁମତି ଦେଇଛନ୍ତି।

ନିର୍ଦ୍ଦିଷ୍ଟ କେତେକ ସର୍ତ୍ତାବଳି ରଖି ପୁଣେର ହଡ଼ପସର ଅଞ୍ଚଳରେ ଥିବା ଲାଇସେନ୍ସ୍‌ପ୍ରାପ୍ତ କାରଖାନାରେ ଅନୁଶୀଳନ, ପରୀକ୍ଷା ଏବଂ ବିଶ୍ଳେଷଣ ଲାଗି ‘ସ୍ପୁଟ୍‌ନିକ୍‌ ଭି’ ଟିକା ଉତ୍ପାଦନ କରିବା ପାଇଁ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ’କୁ (ଏସ୍‌ଆଇଆଇ) ଅନୁମୋଦନ ମଞ୍ଜୁର କରାଯାଇଛି। ଉକ୍ତ ଟିକା ଉତ୍ପାଦନ ନିମନ୍ତେ ‘ଏସ୍ଆଇଆଇ’ ବୁଧବାର ଦିନ ‘ଡିସିଜିଆଇ’ଙ୍କ ନିକଟରେ ଆବେଦନପତ୍ର ଦାଖଲ କରିଥିଲା।

ଭାରତରେ ‘ସ୍ପୁଟ୍‌ନିକ୍‌ ଭି’ ଟିକା ପ୍ରସ୍ତୁତି କରିବା ପାଇଁ ‘ଏସ୍‌ଆଇଆଇ’ ରୁଷ୍‌ର ମସ୍କୋସ୍ଥିତ ‘ଗାମାଲେୟା ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପି‌ଡେମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି’ଙ୍କ ସହ ସମ୍ମିଳିତ ହୋଇଛି।

Image Courtesy of The Print

ଭାରତରେ ରୁଷ୍‌ର ‘ସ୍ପୁଟ୍‌ନିକ୍‌ ଭି’ର ଜରୁରୀକାଳୀନ ବ୍ୟବହାର ପାଇଁ ‘ଡିସିଜିଆଇ’ ଏପ୍ରିଲ୍‌ ମାସରେ ଅନୁମତି ଦେଇଥିଲେ। ‘ହେଟେରୋ ବାୟୋଫାର୍ମା’, ‘ଗ୍ଲାଣ୍ଡ୍‌ ଫାର୍ମା’, ‘ପାନାସିଆ ବାୟୋଟେକ୍‌’, ‘ଷ୍ଟେଲିସ୍‌ ବାୟୋଫାର୍ମା’ ଏବଂ ‘ଭାଇରଚାଓ ବାୟୋଟେକ୍‌’ ପରେ ଭାରତରେ ‘ସ୍ପୁଟ୍‌ନିକ୍‌ ଭି’ ଉତ୍ପାଦନ କରିବାରେ ‘ଏସ୍‌ଆଇଆଇ’ ହେବ ଷଷ୍ଠ ଔଷଧ ନିର୍ମାଣକାରୀ କମ୍ପାନି।

ଭାରତରେ ପ୍ରଥମ ୨୫୦ ନିୟୁତ ଆମଦାନି କରାଯାଇଥିବା ‘ସ୍ପୁଟ୍‌ନିକ୍‌ ଭି’ ଶିଶି ବିକ୍ରୟ କରିବା ଲାଗି ହାଇଦ୍ରାବାଦସ୍ଥିତ ‘ଡକ୍ଟର୍‌ ରେଡ୍ଡୀସ୍‌ ଲାବ୍ରଟରିଜ୍‌’ ‘ରଷିଆନ୍‌ ଡାଇରେକ୍ଟ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଫଣ୍ଡ୍‌’ ସହ ରାଜିନାମା କରିଛି। ରୁଷ୍‌ରୁ ଆମଦାନି ହୋଇଥିବା ‘ସ୍ପୁଟ୍‌ନିକ୍‌ ଭି’ ଡୋଜ୍‌ପିଛା ଟ. ୯୯୫.୪୦ରେ ‘ଡକ୍ଟର୍‌ ରେଡ୍ଡୀସ୍‌ ଲାବ୍ରଟରିଜ୍‌’ ବିକ୍ରୟ କରୁଛି। ଭାରତରେ ଉତ୍ପାଦନ ଆରମ୍ଭ ହେଲେ ଏହାର ମୂଲ୍ୟ ହ୍ରାସ ପାଇପାରେ ବୋଲି କୁହାଯାଉଛି।

The post ଭାରତରେ ‘ସ୍ପୁଟ୍‌ନିକ୍‌ ଭି’ ଉତ୍ପାଦନ ପାଇଁ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’କୁ ଅନୁମତି ଦେଲେ ‘ଡିସିଜିଆଇ’ first appeared on Sambad.

from କରୋନା | Sambad https://ift.tt/3pl3FtE