ଆସିଲା ୮ଶହ ମନୋକ୍ଲୋନାଲ ଆଣ୍ଟିବଡି କକ୍‌ଟେଲ, ହଜା‌‌‌ରେ ‘ଭିରାଫିନ୍’ ଭାଏଲ

ଭୁବନେଶ୍ବର : କୋଭିଡ ରୋଗୀଙ୍କ ପାଇଁ ନିକଟରେ ଅନୁମତି ମିଳିଥିବା ମନୋକ୍ଲୋନାଲ ଆଣ୍ଟିବଡି କକଟେଲ୍‌(କାସିରିଭିମା,ଇମ୍‌ଡେଭିମା) ଇଞ୍ଜେକସନ୍‌ ଓ ଭିରାଫିନ୍‌କୁ ରାଜ୍ୟ ସରକାର କିଣିଛନ୍ତି। ମନୋକ୍ଲୋନାଲ ଆଣ୍ଟିବଡି କକ୍‌ଟେଲ ଅତ୍ୟନ୍ତ ଦାମୀ ଇଞ୍ଜେକସନ୍ ହୋଇଥିବାରୁ ଏହାକୁ କିଭଳି ଲୋକଙ୍କଠାରେ ବ୍ୟବହାର କରାଯିବ, ତାହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ତର୍ଜମା କରୁଛି।

କିଛି ଦିନ ପୂର୍ବରୁ ରାଜ୍ୟରେ ଆପୋଲୋ ହସ୍ପିଟାଲରେ ମନୋକ୍ଲୋନାଲ ଆଣ୍ଟିବଡି କକ୍‌ଟେଲ ଚିକିତ୍ସା ଆରମ୍ଭ ହୋଇସାରିଛି। ସଳ୍ପ କିମ୍ବା ମଧ୍ୟମଧରଣର କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ‌ମନୋକ୍ଲୋନାଲ ଆଣ୍ଟିବଡି କକ୍‌ଟେଲ ବେଶ୍‌ ଫଳପ୍ରଦ ହେଉଥିବା କୁହାଯାଉଛି। ଫଳରେ ସଂକ୍ରମିତଙ୍କୁ ହସ୍ପିଟାଲରେ ଆଡମିସନ୍‌କୁ ରୋକାଯିବା ସହ କରୋନାଜନିତ ମୃତ୍ୟୁକୁ ମଧ୍ୟ କମାଇ ଦେଉଥିବା ଦାବି କରାଯାଉଛି। ଯଦି ଏହା ଫଳପ୍ରଦ ହୁଏ, ତାହାଲେ ହସ୍ପିଟାଲ ଉପରୁ ଚାପ କମିବ। ହେଲେ ଏହି ଇଞ୍ଜେକସନ୍‌ର ଦାମ ୬୦ ହଜାର ଟଙ୍କା ରହିଛି। ଏହି କାରଣରୁ ଇଞ୍ଜେକସନ୍‌କୁ ରାଜ୍ୟରେ ଏହାକୁ କିଭଳି ବ୍ୟବହାର କରାଯିବ, ତାହାର ଅନୁଶୀଳନ କରାଯାଉଛି। ଯଦି ଘରୋଇ ହସ୍ପିଟାଲର ଡାକ୍ତରଙ୍କ ଚିକିତ୍ସାରେ ରହିଥିବା ରୋଗୀ ଯଦି ଚାହିବେ, ତାହାଲେ ସେମାନେ ଆବଶ୍ୟକ କାଗଜପତ୍ର ଦେଖାଇ ଏହି ଇଞ୍ଜେକସନ୍ ମଧ୍ୟ ନେଇପାରିବେ କି ନାହିଁ, ସେନେଇ ବି ବିଚାରବିମର୍ଶ ଜାରି ରହିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମନୋକ୍ଲୋନାଲ ଆଣ୍ଟିବଡି କକ୍‌ଟେଲର ୮ଶହ ଇଞ୍ଜେକସନ୍‌କୁ ରାଜ୍ୟ ଔଷଧ ନିଗମ କିଣିଛି। ଏହାସହ ହଜାର ଇଞ୍ଜେକସନ୍ ‘ଭିରାଫିନ୍‌’ ମଧ୍ୟ ଓଡ଼ିଶାକୁ ଆସିଛି। ତେବେ ‘ଭିରାଫିନ୍’କୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯିବ କି ନାହିଁ, ତାହା ସ୍ପଷ୍ଟ ହୋଇପାରିନାହିଁ। ମାତ୍ର ଖୋଲା ବଜାରରେ ଏହା ଉପଲବ୍ଧ ହେବ ନାହିଁ ବୋଲି ସୂଚନା ମିଳିଛି।

The post ଆସିଲା ୮ଶହ ମନୋକ୍ଲୋନାଲ ଆଣ୍ଟିବଡି କକ୍‌ଟେଲ, ହଜା‌‌‌ରେ ‘ଭିରାଫିନ୍’ ଭାଏଲ first appeared on Sambad.

from କରୋନା | Sambad https://ift.tt/3ppWArx

Post a Comment

0 Comments