ପୁଣେ : ଭାରତରେ ଖୁବ ଶୀଘ୍ର ଉତ୍ପାଦନ ହେବାକୁ ଯ଼ାଉଛି ଆଉ ଏକ ବିଦେଶୀ ଟିକା । ପୁଣେର ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ) ଆମେରିକାର ନୂଆ କରୋନା ଟିକା ନୋଭାଭାକ୍ସର ଉତ୍ପାଦନ କରିବ ବୋଲି ଜଣାପଡ଼ିଛି ।

ଗତ କାଲି ଏହି ଟିକାର ୩ୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷଣ ଫଳାଫଳ ପ୍ରକାଶିତ ହୋଇଥିଲା । ସେଥିରେ କୁହାଯ଼ାଇଛି ଯ଼େ ଏହି ଟିକା କରୋନା ଭୁତାଣୁର ବିଭିନ୍ନ ପ୍ରକାର ବିରୋଧରେ ପ୍ରାୟ ୯୦.୪ ପ୍ରତିଶତ ପ୍ରଭାବୀ । ୩ୟ ପର୍ୟ୍ୟାୟ ପରୀକ୍ଷଣ ଲାଗି କମ୍ପାନି ପକ୍ଷରୁ ଆମେରିକା ଓ ମେକ୍ସିକୋର ୧୧୯ଟି ସ୍ଥାନରେ ୧୯,୯୬୦ ଜଣ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯ଼ାଇଥିଲା । ଏହି ପରୀକ୍ଷଣରୁ ଜଣାପଡ଼ିଥିଲା ଯ଼େ ଟିକାଟି ମାନବ ଶରୀର ପାଇଁ ବେଶ ନିରାପଦ ଓ କରୋନା ଭୁତାଣୁର ନିବାରଣ ପାଇଁ ପ୍ରଭାବୀ ।
୩ୟ ପର୍ୟ୍ୟାୟ ପରୀକ୍ଷଣରେ ସଫଳତାର ସହ ନିଜର ଦକ୍ଷତା ପ୍ରମାଣିତ କରିଥିଲେ ମଧ୍ୟ ଆମେରିକାରେ ନିକଟ ଭବିଷ୍ୟତରେ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ମଂଜୁରୀ ମିଳିବା ସମ୍ଭାବନା କମ ।କାରଣ ଆମେରିକୀୟ ନିୟମ ଅନୁସାରେ ଯ଼ଦି ଦେଶରେ ପୂର୍ବରୁ ପ୍ରଯ୍ୟାପ୍ତ ପରିମାଣରେ ଟିକା ଉପଲବ୍ଧ ରହିଛି, ଏକ ନୂଆ ଟିକାକୁ ଜରୁରୀକାଳୀନ ବ୍ୟବହାର ମଂଜୁରୀ ଦିଆଯାଇପାରିବ ନାହିଁ । ଏହାକୁ ନିୟମିତ ପଦ୍ଧତିରେ ହିଁ ଅନୁମତି ଦିଆଯିବ, ଯାହାକି ବେଶ ସମୟସାପେକ୍ଷ । ଏଣୁ ଭାରତରେ ଏହି ଟିକା ଆଗ ଉପଲବ୍ଧ ହେବାର ସମ୍ଭାବନା ରହିଛି ।

The post ଭାରତରେ ଉତ୍ପାଦନ ହେବ ଆମେରିକାର କରୋନା ଟିକା ‘ନୋଭାଭାକ୍ସ’, କରୋନା ଭୁତାଣୁ ବିରୋଧରେ ୯୦% ପ୍ରଭାବୀ first appeared on Sambad.

from କରୋନା | Sambad https://ift.tt/2TtlhHO