କୋଭିଡ ଆକ୍ରାନ୍ତ ପ୍ରାଚୀନ ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌

ଭୁବନେଶ୍ବର : ରାଜ୍ୟର ପ୍ରାଚୀନ ଜନଜାତିମାନଙ୍କ ଅଞ୍ଚଳରେ କୋଭିଡ ମହାମାରୀ ସଂକ୍ରମଣ ଆରମ୍ଭ ହୋଇଛି। କୋଭିଡ ଆକ୍ରାନ୍ତ ପ୍ରାଚୀନ ଜନଜାତିମାନଙ୍କ ସ୍ବାସ୍ଥ୍ୟସେବା ପାଇଁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯାଇଛି। ଏଥିରେ ମାଗଣା ମାସ୍କ୍‌ ବଣ୍ଟନଠାରୁ ଆରମ୍ଭ କରି ପରିବାର ପିଛା ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି।

ସ୍ବତନ୍ତ୍ର ପ୍ୟାକେଜ୍‌ ଅନ୍ମସ୍ତ ପ୍ରାଚୀନ ଜନଜାତି ଗୋଷ୍ଠୀର ବ୍ୟକ୍ତିମାନଙ୍କୁ ମାଗଣା ମାସ୍କ୍‌ ଓ ସାନିଟାଇଜର ବଣ୍ଟନ କରାଯିବ। କୋଭିଡ ଆକ୍ରାନ୍ତ ସମସ୍ତ ପରିବାରକୁ ୨ ହଜାର ୫୦୦ ଟଙ୍କା ମୂଲ୍ୟର ଶୁଖିଲା ରାସନ୍‌ କିଟ୍‌ ଯୋଗାଇ ଦିଆଯିବ। କୋଭିଡ ଆକ୍ରାନ୍ତ ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କୁ ଆନୁଷ୍ଠାନିକ ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ପ୍ରତିଦିନ ୧୦୦ ଟଙ୍କା ସହିତ ୧୪୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହାସହିତ ଜନଜାତିଙ୍କ ଘରକୁ ଘର ଯାଇ ଯାଞ୍ଚ କରାଯାଇ କୋଭିଡ ଲକ୍ଷଣ ଅନୁଧ୍ୟାନ କରାଯିବ। ପ୍ରାଚୀନ ଜନଜାତି ଗ୍ରାମାଞ୍ଚଳରେ କାର୍ଯ୍ୟରତ କମ୍ୟୁନିଟି ରିସୋର୍ସ ବ୍ୟକ୍ତିଙ୍କୁ ୪ ମାସ ପାଇଁ ମାସିକ ୧ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ମାଇକ୍ରୋ ପ୍ରୋଜେକ୍ଟ ଅଧୀନରେ କାର୍ଯ୍ୟରତ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ସ୍ବାସ୍ଥ୍ୟ କିଟ୍‌ ସହ ଜୀବନବୀମା ପରିସରଭୁକ୍ତ କରାଯାଇଛି।

ଏହାସହିତ ଜରୁରୀକାଳୀନ ଆମ୍ବୁଲାନ୍‌ସ୍‌ ସେବା ନିମନ୍ତେ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପ୍ରାଚୀନ ଜନଜାତିମାନେ ବସବାସ କରୁଥିବା ଅଞ୍ଚଳରେ ମହାମାରୀ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଶା, ଅଙ୍ଗନବାଡ଼ି ଓ ଏଏନ୍‌ଏମ୍‌ କର୍ମୀମାନେ ସି.ଆର୍‌.ପିଙ୍କ ସହିତ ଥର୍ମାଲ୍‌ ସ୍କ୍ରିନିଂ ଓ ଅକ୍ସିମିଟର ଯୋଗେ ପ୍ରାଚୀନ ଜନଜାତିମାନଙ୍କ କୋଭିଡ ପରୀକ୍ଷା କରୁଛନ୍ତି। ଏହାସହିତ ଏକାଥରକେ ଅଧିକ ଲୋକଙ୍କୁ ପରୀକ୍ଷା କରିବା ପାଇଁ ବ୍ଲକ୍‌ ସ୍ତରରେ ରାପିଡ୍‌ ରେସ୍‌ପନ୍‌ସ ଟିମ୍‌ କାର୍ଯ୍ୟ କରୁଛନ୍ତି।

ଓଡ଼ିଶାର ୧୪ଟି ଜିଲ୍ଲାରେ ବସବାସ କରୁଥିବା ୧୩ଟି ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କ ସୁରକ୍ଷା ନିମନ୍ତେ ବିଭାଗ ସଦା ସର୍ବଦା ଜାଗ୍ରତ ରହିଛି। ଓଡ଼ିଶାର ୫୪୧ଟି ଗ୍ରାମରେ ୨୭ ହଜାର ୩୦୮ଟି ପିଭିଟିଜି ପରିବାର ରହିଛନ୍ତି। ଏମାନଙ୍କୁ କୋଭିଡ ସଂକ୍ରମଣରୁ ସୁରକ୍ଷା ଦେବା ନିମନ୍ତେ ବିଭାଗ ପକ୍ଷରୁ ନିଆଯାଇଥିବା ଜରୁରୀକାଳୀନ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତାକୁ ରାଜ୍ୟସ୍ତରୀୟ ମନିଟରିଂ କମିଟି ଦୈନିକ ତଦାରଖ କରୁଛନ୍ତି।

The post କୋଭିଡ ଆକ୍ରାନ୍ତ ପ୍ରାଚୀନ ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ first appeared on Sambad.

from କରୋନା | Sambad https://ift.tt/3yWvInu

Post a Comment

0 Comments