
ଆଗ୍ରା : କୋଭିଡ୍ ଟିକା ନେଲେ କୁଆଡ଼େ ଜୀବନ ଚାଲିଯିବ ବୋଲି ଏକ ଗୁଜବକୁ ଭିତ୍ତି କରି ଉତ୍ତରପ୍ରଦେଶର ମଥୁରା ଅନ୍ତର୍ଗତ ନୂଆବସ୍ତିରେ ଟିକାକରଣ ଭୀଷଣ ଭାବରେ ପ୍ରଭାବିତ ହୋଇଥିବା ଜଣାଯାଇଛି। ଏପରିକି ୧୫,୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ସ୍ବାସ୍ଥ୍ୟକର୍ମୀମାନେ ଦୀର୍ଘ ଦୁଇ ଦିନ ହେଲା ଡେରା ପକାଇ ଲୋକଙ୍କୁ ସଚେତନ ଓ ଉତ୍ସାହତ କରି ଚାଲିଥିବା ବେଳେ ମାତ୍ର ୨୦ ଜଣ ଟିକା ନେଇଥିବା ଚିନ୍ତାର ବିଷୟ ହୋଇଛି। ମହାମାରୀ କୋଭିଡ୍-୧୯ ବିରୋଧରେ ଯୁଝିବା ପାଇଁ ସରକାର ଟିକାକରଣକୁ ପ୍ରାଧାନ୍ୟ ଦେଉଥିବା ବେଳେ ଲୋକଙ୍କ ମନରେ ଛାଇଯାଇଥିବା ଏଭଳି ଅନ୍ଧବିଶ୍ବାସ ବା ଗୁଜବ ଲକ୍ଷ୍ୟସାଧନରେ ପ୍ରତିବନ୍ଧକ ସାଜିଛି। କେବଳ ନୂଆବସ୍ତି ଇଲାକା କାହିଁକି, ଉତ୍ତରପ୍ରଦେଶର ପ୍ରାୟ ଗ୍ରାମାଞ୍ଚଳମାନଙ୍କରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ଟିକା କୁଆଡ଼େ ଶରୀରରେ ରୋଗପ୍ରତିରୋଧକତା କମାଇ ଦେବା ସହ ବନ୍ଧ୍ୟାତ୍ବ ଆଣିଦେଇଥାଏ ଏବଂ ବେଳେ ବେଳେ ମୃତ୍ୟୁମୁଖରେ ପକାଇଥାଏ ବୋଲି ଏକ ଗୁଜବ ଗ୍ରାମାଞ୍ଚଳରେ ଖୁବ୍ ପ୍ରଚାରିତ ହୋଇଛି। ଫଳରେ ଲୋକେ ଟିକା ନେବା ପାଇଁ କୁନ୍ଥ କୁନ୍ଥ ହେବା ସହ ଏପରିକି ସ୍ଥଳବିଶେଷରେ ଲୁଚୁଥିବା ଜଣାଯାଇଛି। ରାଜ୍ୟରେ ୧୮ ବର୍ଷରୁ ଅଧିକ ବୟସର ପ୍ରାୟ ୧୪ କୋଟି ନାଗରିକ ରହିଥିବା ବେଳେ ଏଯାଏ ମାତ୍ର ୧.୯ କୋଟିଙ୍କର ଟିକାକରଣ ସରିଛି। ସେଥିରୁ କେବଳ ୩୫.୩ ଲକ୍ଷ ହିତାଧିକାରୀ ଟିକାର ଉଭୟ ମାତ୍ରା ନେଇଛନ୍ତି। ତେଣୁ ଧାର୍ଯ୍ୟ ସମୟ ଭିତରେ କିପରି ଟିକାକରଣ ସରିବ ରାଜ୍ୟ ପାଇଁ ଚିନ୍ତାର ବିଷୟ ହୋଇଛି।
The post ମୃତ୍ୟୁ ଗୁଜବ: ଟିକା ଭୟରେ ଲୁଚୁଛନ୍ତି first appeared on Sambad.from କରୋନା | Sambad https://ift.tt/3uPuyXR
0 Comments