
ଭୋପାଳ: ବୁଧବାର ଦିନ ଭୋପାଳ କୋଭିଡ୍-୧୯ ‘ଡେଲ୍ଟା ପ୍ଲସ୍ ଭେରିଆଣ୍ଟ୍’ ସଂକ୍ରମଣଜନିତ ପ୍ରଥମ ମୃତ୍ୟୁ ରେକର୍ଡ କରିଛି। ଉଜ୍ଜୟିନୀର ଉକ୍ତ ମୃତ କୋଭିଡ୍-୧୯ ଆକ୍ରାନ୍ତ ରୋଗୀଙ୍କ ଶରୀରରୁ ସଂଗୃହୀତ ନମୁନାରେ ଥିବା ଭୂତାଣୁର ଗୁଣସୂତ୍ର-କ୍ରମରୁ ଏହା ଜଣାପଡ଼ିଛି। ଅତଏବ ଉକ୍ତ ମୃତା ମହିଳାଜଣକ ‘ଡେଲ୍ଟା ପ୍ଲସ୍ ଭେରିଆଣ୍ଟ୍’ଦ୍ବାରା ସଂକ୍ରମିତ ହୋଇଥିଲେ।
ମଧ୍ୟପ୍ରଦେଶରେ ଅଦ୍ୟାବଧି ସମୁଦାୟ ୫ଜଣ ‘ଡେଲ୍ଟା ପ୍ଲସ୍ ଭେରିଆଣ୍ଟ୍’ଦ୍ବାରା ସଂକ୍ରମିତ ବୋଲି ଜଣାପଡ଼ିଛି। ସେଥିରୁ ତିନୋଟି ସଂକ୍ରମଣ ମାମଲା ଭୋପାଳରେ ରିପୋର୍ଟ କରାଯାଇଥିବା ବେଳେ ବାକି ଦୁଇଟି ଉଜ୍ଜୟିନୀରୁ ଚିହ୍ନଟ କରାଯାଇଛି।
‘ଡେଲ୍ଟା ପ୍ଲସ୍ ଭେରିଆଣ୍ଟ୍’ଦ୍ବାରା ଆକ୍ରାନ୍ତ ହୋଇଥିବା ମଧ୍ୟପ୍ରଦେଶର ୫ଜଣ କୋଭିଡ୍ ରୋଗୀଙ୍କ ମଧ୍ୟରୁ ୪ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମହିଳାଜଣକ ମୃତ୍ୟୁ ବରଣ କରିଛନ୍ତି।
ଉଜ୍ଜୟିନୀର ନୋଡାଲ୍ କୋଭିଡ୍ ଅଧିକାରୀ ଡାକ୍ତର ରୌନକ ଗଣମାଧ୍ୟମକୁ କହିଛନ୍ତି ଯେ, ଉଜ୍ଜୟିନୀରେ ଦୁଇଟି ‘ଡେଲ୍ଟା ପ୍ଲସ୍ ଭେରିଆଣ୍ଟ୍’ ମାମଲା ଥିବା କଥା ଭୋପାଳ ରିପୋର୍ଟରୁ ସୁନିଶ୍ଚିତ ସୂଚନା ମିଳିଥିଲା। ‘ଡେଲ୍ଟା ପ୍ଲସ୍ ଭେରିଆଣ୍ଟ୍’ଦ୍ବାରା ଆକ୍ରାନ୍ତ ମହିଳାଜଣକ ମେ ୨୩ ତାରିଖ ଦିନ ମୃତ୍ୟୁବରଣ କରିଥିଲେ ବୋଲି ଡାକ୍ତର ରୌନକ କହିଛନ୍ତି। ମହିଳାଜଣକ ଆକ୍ରାନ୍ତ ହେବା ଆଗରୁ ତାଙ୍କ ସ୍ବାମୀ କୋଭିଡ୍+ ଥିବା ଜଣାପଡ଼ିଥିଲେ। ସ୍ବାମୀ ଦୁଇ ଡୋଜ୍ ଟିକା ନେଇଥିବା ବେଳେ ମହିଳାଜଣକ ଆଦୌ ଟିକା ନେଇ ନ ଥିଲେ।
ସରକାର ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ‘ଡେଲ୍ଟା ପ୍ଲସ୍ ଭେରିଆଣ୍ଟ୍’ ପଜିଟିଭ୍ ହୋଇଥିବା ରୋଗୀମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର କଣ୍ଟାକ୍ଟ୍ ଟ୍ରେସିଙ୍ଗ୍ ସରିଛି ଏବଂ ସେମାନେ ନେଗେଟିଭ୍ ଥିବା କଥା ଜଣାପଡ଼ିଛି ବୋଲି ମଧ୍ୟପ୍ରଦେଶ ଡାକ୍ତରୀ ଶିକ୍ଷାମନ୍ତ୍ରୀ ବିଶ୍ବାସ ସାରଙ୍ଗ କହିଛନ୍ତି।
ଏହା ସତ୍ତ୍ବେ ସରକାର ସମସ୍ତ ହସ୍ପିଟାଲ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଥିବା ସେ କହିଛନ୍ତି।
The post କୋଭିଡ୍-୧୯ ‘ଡେଲ୍ଟା ପ୍ଲସ୍ ଭେରିଆଣ୍ଟ୍’ ସଂକ୍ରମଣଜନିତ ପ୍ରଥମ ମୃତ୍ୟୁ ରେକର୍ଡ କଲା ମଧ୍ୟପ୍ରଦେଶ first appeared on Sambad.from କରୋନା | Sambad https://ift.tt/3qtjOh5
0 Comments