ଅହମଦାବାଦ : ଦେଶରେ କରୋନାର ଦ୍ବିତୀୟ ଲହର କମିବାରେ ଲାଗିଛି। କିନ୍ତୁ କରୋନାକୁ ନେଇ ନୂଆ ନୂଆ ଖବର ପ୍ରତିଦିନ ଶୁଣିବାକୁ ମିଳୁଛି। ଗୁଜରାଟର ସାବରମତୀ ନଦୀରେ କରୋନା ଭୂତାଣୁ ମିଳିବା ଅନେକଙ୍କ ଚିନ୍ତା ବଢ଼ାଇ ଦେଇଛି। ନଦୀର ବିଭିନ୍ନ ସ୍ଥାନରୁ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ‌ଏଥିରେ ୨୫ ପ୍ରତିଶତ ପାଣିରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି। କେବଳ ସାବରମତୀ ନଦୀ ନୁହେଁ, ଅହମଦାବାଦର ଦୁଇଟି ବଡ଼ ପୋଖରୀ (କାଂକରିୟା ଏବଂ ଚଂଦୋଲା)ରେ ମଧ୍ୟ କରୋନା ଭୂତାଣୁ ମିଳିଛି। ପୂର୍ବରୁ ଗଂଗା ନଦୀକୁ ଲାଗିଥିବା ଜଳସ୍ରୋତରେ କରୋନା ଭୂତାଣୁ ମିଳିଥିଲା। ତେଣୁ ପ୍ରାକୃତିକ ଜଳ ଉତ୍ସରେ କରୋନା ଭୂତାଣୁ ମିଳିବା ଚିନ୍ତା ବଢ଼ାଇ ଦେଇଛି।

ଉଲ୍ଲେଖଯୋଗ୍ୟ, ଆଇଆଇଟି ଗାନ୍ଧୀନଗର ପକ୍ଷରୁ ଅହମଦାବାଦ ନିକଟରୁ ସାବରମତୀ ପାଣିର ନମୁନା ନିଆଯାଇଥିଲା। ନମୁନା ପାଣିର ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଆଇଆଇଟିର ପୃଥିବୀ ଓ ବିଜ୍ଞାନ ବିଭାଗ ପ୍ରଫେସର ମନିଷ କୁମାରଙ୍କ କହିବାନୁଯାୟୀ, ଅନୁଧ୍ୟାନ ବେଳେ ୨୫ ପ୍ରତିଶତ ନମୁନା ପାଣିରେ କରୋନା ଭୂତାଣୁ ଥିବା ଜଣାପଡ଼ିଛି। ଏଥିଯୋଗୁ ନଦୀ ଏବଂ ପ୍ରାକୃତିକ ଉତ୍ସରୁ ଜଳ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ବିପଦ ବଢ଼ିଯାଇଛି। ୨୦୨୦ ସେପ୍ଟେମ୍ବର ୩ ତାରିଖରୁ ଡିସେମ୍ବର ୨୯ ତାରିଖ ମଧ୍ୟରେ ସାବରମତୀ ନଦୀ ଏବଂ ଅହମଦାବାଦର ପୋଖରୀରୁ ଏହି ନମୁନା ପ୍ରତ୍ୟେକ ସପ୍ତାହରେ ନିଆଯାଇଥିଲା। ନମୁନା ନିଆଯାଇ ପରୀକ୍ଷା କରାଯିବା ପରେ ସେଥିରୁ କରୋନା ଭୂତାଣୁ ମିଳିଥିଲା। ମନିଷ କୁମାରଙ୍କ କହିବାନୁଯାୟୀ, ସାବରମତୀ ନଦୀରୁ ୬୯୪, କାଂକରିୟା ପୋଖରୀରୁ ୫୪୯ ଏବଂ ଚଂଦୋଲା ପୋଖରୀରୁ ନମୁନା ସଂଗ୍ରହ କରାଯାଇଥିଲା। ଦ୍ବିତୀୟ ଲହରରେ ଭୂତାଣୁ ଏକାଧିକ ଥର ରୂପ ପରିବର୍ତ୍ତନ କରିସାରିଥିବାରୁ ଦେଶର ସବୁ ପ୍ରାକୃତିକ ଜଳସ୍ରୋତର ପରୀକ୍ଷା ପାଇଁ ବିଶେଷଜ୍ଞମାନେ ମତ ଦେଇଛନ୍ତି।

The post ସାବରମତୀରୁ ମିଳିଲା କରୋନା ଭୂତାଣୁ first appeared on Sambad.

from କରୋନା | Sambad https://ift.tt/2SaohIL