ସ୍ତ୍ରୀ, ପୁଅ ଡକାଡକି ହୋଇ ଚାଲିଗଲେ, କୋଭିଡ୍‌ ହସ୍ପିଟାଲରୁ ଏକା ଫେରିଲେ ବସନ୍ତ

ଭୁବନେଶ୍ବର : ଏକମାତ୍ର ପୁଅ ସହ ସ୍ବାମୀ ଓ ସ୍ତ୍ରୀ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ପୁଅ ଓ ମା’ ଡକାଡକି ହୋଇ ଆରପାରିକୁ ଚାଲିଗଲେ। ନୂଆ ନୂଆ ବ୍ୟାଙ୍କ ଚାକିରି କରିଥିବା ୨୮ ବର୍ଷର ଭେଣ୍ଡିଆ ପୁଅକୁ ନିଷ୍ଠୁର ନିୟତି ପ୍ରଥମେ ଡାକି ନେଲା। ମହାମାରୀରେ ପୀଡ଼ିତ ବୃଦ୍ଧ ଦମ୍ପତି ପୁତ୍ରଶୋକ କରୁ କରୁ କରୋନାରେ ଆଖି ବୁଜିଦେଲେ ମହିଳା। ଶେଷରେ କରୋନାରୁ ମୁକୁଳି ଗଲେ ବୃଦ୍ଧ। ଜୀବନ ଯୁଦ୍ଧରେ ବୃଦ୍ଧ କରୋନାକୁ ସିନା ଜିତିଗଲେ, କିନ୍ତୁ ବାର୍ଦ୍ଧକ୍ୟରେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଗଲେ। ଏହା ହେଉଛି, ଭୁବନେଶ୍ବର ସୁନ୍ଦରପଦାସ୍ଥିତ ତ୍ରିଲୋଚନବିହାରରେ ରହୁଥିବା ବସନ୍ତ ଦାଶ (୭୪)ଙ୍କ ଦୁଃଖଭରା କାହାଣୀ।

ପିପିଲି ନୂଆଶାସନ ଗ୍ରାମର ବସନ୍ତ ସରକାରୀ ପ୍ରେସରେ ଚାକିରି କରିଥିଲେ। ଅବସର ପୂର୍ବରୁ ତିନି ଝିଅଙ୍କୁ ବିବାହ ଦେଇସାରିଥିଲେ। ଚାକିରିରୁ ଅବସର ନେବା ପରେ ସେ ତ୍ରିଲୋଚନ ବିହାରରେ ଘରଟିଏ କରି ପତ୍ନୀ କୁନିମଣି (୬୮) ଓ ଏକମାତ୍ର ପୁଅ ରବିନାରାୟଣଙ୍କ ସହ ରହୁଥିଲେ। ରବିନାରାୟଣ ସେଞ୍ଚୁରିଆନ ୟୁନିଭର୍ସିଟିରୁ ଏମବିଏ ପାସ୍‌ କରିବା ପରେ ଏକ ଘରୋଇ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର୍‌ ଭାବେ କାମ କରୁଥିଲେ। ପୁଅକୁ ହାତକୁ ଦି’ ହାତ କରିବା ପାଇଁ ବସନ୍ତ ଯୋଗାଡ଼ରେ ଲାଗି ପଡ଼ିଥିଲେ। ନାତିନାତୁଣୀ ମେଳରେ ବାର୍ଦ୍ଧକ୍ୟ କାଟିବାକୁ ମନ କରିଥିଲେ ବସନ୍ତ ଓ କୁନିମଣି। ମାତ୍ର ବିଧିର ବିଧାନ ଥିଲା ଭିନ୍ନ। ବସନ୍ତଙ୍କ ପରିବାର ମହାମାରୀ କରୋନାରେ ଆକ୍ରାନ୍ତ ହେଲା। କଣ୍ଟାବାଡ଼ସ୍ଥିତ ସ୍ପର୍ଶ କୋଭିଡ୍‌ ହସ୍ପିଟାଲରେ ସେମାନଙ୍କୁ ଚିକିତ୍ସା କରାଯାଉଥିଲା। ଗତ ମାସ ୨୬ତାରିଖରେ ରବିନାରାୟଣ ପ୍ରଥମେ ଆଖି ବୁଜି ଦେଇଥିଲେ। ପୁତ୍ର ଶୋକ ଭିତରେ କିନ୍ତୁ ବସନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ ଓ କୁନିମଣିଙ୍କୁ ଆରୋଗ୍ୟ କାମନା କରି ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ମାତ୍ର ତାହା ହେଲା ନାହିଁ। ପୁଅ ମୃତ୍ୟୁର ଠିକ ୧୪ଦିନ ପରେ କୁନିମଣି ଚାଲିଗଲେ।

The post ସ୍ତ୍ରୀ, ପୁଅ ଡକାଡକି ହୋଇ ଚାଲିଗଲେ, କୋଭିଡ୍‌ ହସ୍ପିଟାଲରୁ ଏକା ଫେରିଲେ ବସନ୍ତ first appeared on Sambad.

from କରୋନା | Sambad https://ift.tt/3iFwGyL

Post a Comment

0 Comments