ରାୟଗଡ଼ା: ଆମେ ସୁସ୍ଥ ଅଛୁ, ଟିକା ନେବୁନି କି ରକ୍ତ ନମୁନା ପରୀକ୍ଷା ପାଇଁ ଦେବୁନି। ଯଦି କିଛି ଅସୁବିଧା ହେବ କିଏ ବୁଝିବ? ଆମେ ମରିଗଲେ କିଏ ଦାୟୀ ହେବ…? ସେରୋ ସର୍ଭେ ପାଇଁ ଯାଇଥିବା ଆଇସିଏମଆର ଟିମକୁ ରାୟଗଡ଼ା ବ୍ଲକର ଜୁରୁଡ଼ି ଗ୍ରାମବାସୀ ନାନା ପ୍ରଶ୍ନ ପଚାରି ବିରୋଧ କରିବା ସହ ଘରେ ତାଲା ପକାଇ ଜଙ୍ଗଲକୁ ପଳାଇଛନ୍ତି। ବହୁ ବୁଝାଶୁଝା ସତ୍ତ୍ବେ ନମୁନା ଦେବାକୁ ଗ୍ରାମବାସୀ ରାଜି ନ ହେବା ପରେ ‌ଶେଷରେ ଟିମ୍ କର୍ତ୍ତୃପକ୍ଷ  ନିରାଶ ହୋଇ ଫେରିଛନ୍ତି। ୪୦ ଜଣଙ୍କ ପରିର୍ବତ୍ତେ ବହୁ କଷ୍ଟରେ ମାତ୍ର ୫ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିବା ଜଣା ପଡିଛି।

ରାୟଗଡ଼ା ଜିଲ୍ଲାରେ ଆଜିଠୁ ଆରମ୍ଭ ହୋଇଛି ସେରୋ ସର୍ଭେ। ଛଅ ବର୍ଷର ଶିଶୁଙ୍କଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ବର୍ଗର ଲୋକଙ୍କ ଦେହରେ ଆଣ୍ଟିବଡି କିପରି ଅଛି ତାହା ପରୀକ୍ଷା କରିବା ପାଇଁ ଆଇସିଏମଆରର ୯ ଜଣିଆ ଟିମ୍ ରାୟଗଡ଼ାରେ ପହଞ୍ଚିଛନ୍ତି। ଜିଲ୍ଲାର ୧୦ଟି କ୍ଲଷ୍ଟରରୁ ଟିମ୍ ରକ୍ତ ନମୁନା ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖିଛି। ପ୍ରଥମ ଦିନରେ ଟିମ୍ ରାୟଗଡ଼ା ବ୍ଲକ୍ ବାଇସିଂ ପଞ୍ଚାୟତର ଜୁରୁଡ଼ି ଗ୍ରାମକୁ ଯାଇଥିଲେ। ଟିମ୍ କର୍ତ୍ତୃପକ୍ଷ ସକାଳ ୧୦ଟାରେ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ଭୟଭୀତ ହୋଇ ପଡିଥିଲେ। ସେରୋ ସର୍ଭେର ସୁଫଳ ସଂପର୍କରେ ଗତକାଲି ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଗାଁ ଲୋକଙ୍କୁ ସଚେତନ କରିଥିଲେ। ରକ୍ତ ନମୁନା ଦେବା ପାଇଁ ଗ୍ରାମବାସୀ ମଧ୍ୟ ରାଜି ହୋଇଥିଲେ। ହେଲେ ହଠାତ୍ ମେଡ଼ିକାଲ୍ ଟିମକୁ ଦେଖି ଜଣେ ପରେ ଜଣେ ଗ୍ରାମବାସୀ ଘରେ ତାଲା ପକାଇ ଜଙ୍ଗଲକୁ ଚାଲି ଯାଇଥିଲେ।

ଘଣ୍ଟା ଘଣ୍ଟା ଧରି ଆଇସିଏମଆର ଟିମ୍ ଗାଁରେ ଅପେକ୍ଷା କରିବା ପରେ ମଧ୍ୟ ଗ୍ରାମବାସୀ ନ ଫେରିବାରୁ ଅଙ୍ଗନବାଡ଼ିକର୍ମୀ ପ୍ରିୟବ୍ରତ ମାଣ୍ଡାଙ୍ଗି, ସ୍ବାସ୍ଥ୍ୟକର୍ମୀ ହୀରାମଣି ମାଣ୍ଡାଙ୍ଗି ଜଙ୍ଗଲକୁ ଯାଇ ବୁଝାଇଥିଲେ। ତଥାପି ନିଜ ଜିଦରେ ଅଟଳ ରହିଥିଲେ ଗ୍ରାମବାସୀ। ରକ୍ତ ନମୁନା ଦେଲେ କୌଣସି ଅସୁବିଧା ହେବନି ବରଂ ଲୋକଙ୍କ ସ୍ବାସ୍ଥ୍ୟର ମାନ ସଂପର୍କରେ ଅଧିକ ଜାଣିହେବ ବୋଲି ଆଇସିଏମଆର ଟିମ୍ ମଧ୍ୟ ଜୁରୁଡ଼ି ଗ୍ରାମବାସୀଙ୍କ କହିଥିଲେ। କିନ୍ତୁ ଗ୍ରାମବାସୀ ଓଲଟି ପ୍ରଶ୍ନ କରି କହିଥିଲେ, ଆମେ ତ ସୁସ୍ଥ ଅଛୁ। ଆମକୁ କୌଣସି ରୋଗ ହୋଇନି। ଆପଣମାନେ ଚାଲି ଯାଆନ୍ତୁ। ଦେହର ଅନ୍ୟ କିଛି ରୋଗ ଥିଲେ କରୋନା ଟିକାର ପ୍ରଭାବ ପଡିବା ସହ ଲୋକଙ୍କ ମୃତ୍ୟୁ ହେଉଥିବା ନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ରହିଛି। ଯେଉଁଥି ପାଇଁ ସେରୋ ସର୍ଭେକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଏ ସଂପର୍କରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ପଚାରିବାରୁ ସଚେତନତାରୁ ଅଭାବ ଯୋଗୁ ଗ୍ରାମବାସୀ ରକ୍ତ ନମୁନା ଦେବା ପାଇଁ ମନା କରି ଘର ଛାଡ଼ି ପଳାଇବା ଘଟଣା ନଜରକୁ ଆସିଛି। ଗ୍ରାମବାସୀଙ୍କ ସଚେତନ କରି ରକ୍ତ ନମୁନା ପ୍ରଦାନ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।

The post ଜୁରୁଡ଼ିରେ ସେରୋ ସର୍ଭେକୁ ଗ୍ରାମବାସୀଙ୍କ ନାଁ; ଘରେ ତାଲା ପକାଇ ଜଙ୍ଗଲକୁ ପଳାଇଲେ first appeared on Sambad.

from କରୋନା | Sambad https://ift.tt/3wzYkBm